ବର୍ଷା ଯୋଗୁ ଅଧାରେ ଅଟକିଲା ଭାରତ-ପାକିସ୍ତାନ ଲଢ଼େଇ


ବର୍ଷା ଯୋଗୁ ଅଧାରେ ଅଟକିଲା ଭାରତ-ପାକିସ୍ତାନ ଲଢ଼େଇ, କାଲି ପୁଣି ଖେଳା ଯିବ ଭାରତ-ପାକିସ୍ତାନ ଲଢ଼େଇରେ ପୁଣି ଦାଉ ସାଜିଛି ବର୍ଷା। ଶ୍ରୀଲଙ୍କାରେ ଲଗାଣ ବର୍ଷା ଯୋଗୁ ଏସିଆ କପର ଏହି ଲଢ଼େଇ ଆଜି ଅଧାରୁ ବନ୍ଦ ହୋଇ ଯାଇଛି। ଭାରତ-ପାକିସ୍ତାନ ସୁପର ୪ ମ୍ୟାଚ୍‌ ପାଇଁ ସଂରକ୍ଷିତ ଦିବସ ଥିବାରୁ ଆସନ୍ତାକାଲି ପୁଣି ମ୍ୟାଚ୍‌ ଖେଳାଯିବ। ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍‌ ଆରମ୍ଭ ହେବ।ଭାରତ ଆଜି ୨୪.୧ ଓଭର ବ୍ୟାଟିଂ କରିଛି।ଆସନ୍ତାକାଲି ଏହି ଠାରୁ ବ୍ୟାଟିଂ କରିବ। ବିରାଟ କୋହଲି(୮) ଓ କେଏଲ ରାହୁଲ(୧୭) କାଲି ଇନିଂସ ଆରମ୍ଭ କରିବେ। ଭାରତ ଆଜି ୨ ୱିକେଟ ହରାଇ ୧୪୭ ରନ କରିଛି।କାଲି ଭାରତ ସଂରକ୍ଷିତ ଦିବସରେ ପାକିସ୍ତାନକୁ ଭେଟିବାକୁ ଯାଉଥିବା ବେଳେ ମଙ୍ଗଳବାର ଶ୍ରୀଲଙ୍କା ସହ ସୁପର ୪ର ଦ୍ୱିତୀୟ ମ୍ୟାଚ୍‌ ଖେଳିବ। ଏହାର ଅର୍ଥ ଦଳ ପାଇଁ ବିଶ୍ରାମର ସମୟ ନାହିଁ।ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ହାଇଭୋଲଟେଜ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭାରତୀୟ ଟିମର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ଚୌକା ଓ ଛକା ମାରି ପାକିସ୍ତାନ ବୋଲରଙ୍କୁ ନୟାନ୍ତ କରିଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।ଗିଲ୍‌ ପ୍ରଥମେ ୩୭ ବଲରେ ସମ୍ମୁଖୀନ ହୋଇ ଚଳିତ ଏସିଆ କପରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ପାକିସ୍ତାନ ବିପକ୍ଷରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ। ଏହାପରେ ରୋହିତ ଶର୍ମା ଛକା ମାରି ନିଜର ୫୦ ରନ ପୂରଣ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ୫୦ତମ ଅର୍ଦ୍ଧଶତକ। ଦଳୀୟ ସ୍କୋର ୧୨୧ ଥିବା ବେଳେ ରୋହିତ ୫୬ ରନ କରି ଶଦାବ ଖାନଙ୍କ ବଲରେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୪୯ ବଲର ସମ୍ମୁଖୀନ ହୋଇ ୬ଟି ଚୌକା ଓ ୪ଟି ଛକା ବଳରେ ୫୬ ରନର ଇନିଂସ ଖେଳିଥିଲେ।ଏହାର ପରବର୍ତ୍ତୀ ଓଭରରେ ଗିଲ୍‌ ମଧ୍ୟ ଆଉଟ ହୋଇଯାଇଥିଲେ। ତାଙ୍କୁ ଶାହୀନ ଶାହ ଆଫ୍ରିଦି ଆଉଟ କରିଥିଲେ। ଗିଲ ୫୨ଟି ବଲର ସାମ୍ନା କରି ୫୮ ରନ କରିଛନ୍ତି। ଏଥିରେ ୧୦ଟି ଚୌକା ରହିଛି। କ୍ରମାଗତ ଡବଲ ଝଟକା ପରେ ବିରାଟ ଓ କେଏଲ ରାହୁଲ ସ୍ଥିତି ସମ୍ଭାଳିଥିଲେ। ରାହୁଲ ନିଜର ଅପରାଜିତ ୧୭ ରନର ଇନିଂସରେ ୨ଟି ଚୌକା ମାରିଛନ୍ତି।ଉଭୟ କ୍ରିଜ୍‌ରେ ଜମି ଆସୁଥିବା ବେଳେ ହଠାତ୍‌ ବର୍ଷା ହୋଇଥିଲା। ବର୍ଷା ଯୋଗୁ ମ୍ୟାଚ୍‌ ସ୍ଥଗିତ ରହିବା ବେଳକୁ ୨୪୧.୧ ଓଭରରେ ଭାରତ ୨ ୱିକେଟ ହରାଇ ୧୪୭ ରନ କରିଥିଲା। କେଏଲ ରାହୁଲ ୨୮ ବଲରେ ୧୭ ଓ ବିରାଟ କୋହଲି ୧୬ ବଲରେ ୮ ରନ କରି ଅପରାଜିତ ରହିଥିଲେ। ଏହାପରେ ବର୍ଷା ଛାଡ଼ିଥିଲେ ମଧ୍ୟ ଓଦା ଆଉଟ ଫିଲ୍ଡ ଯୋଗୁ ମ୍ୟାଚ୍‌ ଆରମ୍ଭ ହୋଇ ପାରି ନଥିଲା।ସନ୍ଧ୍ୟା ପ୍ରାୟ ୮.୩୦ରେ ଦୁଇ ଅମ୍ପାୟାର ପୁଣି ପଡ଼ିଆ ଅବସ୍ଥା ଅନୁଧ୍ୟାନ ପାଇଁ ଯାଇଥିଲେ। ତେବେ ହଠାତ୍‌ ପୁଣି ବର୍ଷା ହେବାରୁ ଆଜି ଆଉ ମ୍ୟାଚ୍‌ ସମ୍ଭବ ପର ହୋଇ ନଥିଲା। ଆସନ୍ତାକାଲି ସଂରକ୍ଷିତ ଦିବସରେ ମ୍ୟାଚ୍‌ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଥିଲା।


error: Content is protected !!