ନିର୍ଣ୍ଣାୟକ ମୁକାବିଲା ପୂର୍ବରୁ ପାକିସ୍ତାନକୁ ଜୋରଦାର ଝଟକା ଏସିଆ କପ୍‌ରୁ ବାଦ୍ ପଡ଼ିଲେ ନସୀମ ଶାହ


ଗୁରୁବାର ଖେଳାଯିବାକୁ ଥିବା ଏସିଆ କପ୍ ୨୦୨୩ର ନିର୍ଣ୍ଣାୟକ ତଥା କର ବା ମର ମୁକାବିଲା ପୂର୍ବରୁ ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା। ଦଳର ତାରକା ବୋଲର ନସୀମ ଶାହ ଆହତଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଭାରତ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ନସୀମଙ୍କୁ କାନ୍ଧରେ ଆଘାତ ଲାଗିଥିଲା। ନସୀମ ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ମୋଟ୍ ୭ ଓ୍ଵିକେଟ୍ ନେଇଥିଲେ। ଉଲ୍ଲେଖନୀୟ ଆସନ୍ତାକାଲି ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍‌ର ବିଜେତା ସେପ୍ଟେମ୍ବର ୧୭ ଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ ଭେଟିବ।ସୂଚନା ଅନୁଯାୟୀ, ନସୀମଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। ଏହି କାରଣରୁ ସେ ଭାରତ ବିପକ୍ଷ ମୁକାବିଲାରେ ନିଜର ସଂପୂର୍ଣ୍ଣ ୧୦ ଓଭର ବୋଲିଂ କରି ପାରି ନ ଥିଲେ। ଏପରିକି ସେ ବ୍ୟାଟିଂ କରିବାକୁ ବି ଆସି ନ ଥିଲେ। ଏହି ମ୍ୟାଚ୍‌ରେ ଦ୍ରୁତ ବୋଲର ହାରିସ ରଉଫ ମଧ୍ୟ ଆହତ ହୋଇଥିଲେ। ସେ ମଧ୍ୟ ବ୍ୟାଟିଂ ପାଇଁ କ୍ରିଜକୁ ଓହ୍ଲାଇ ନ ଥିଲେ। ସେ ମାତ୍ର ୫ ଓଭର ବୋଲିଂ କରି ପାରି ଥିଲେ।ତେବେ ପାକିସ୍ତାନ ପାଇଁ ଆଶ୍ଵସ୍ତିକର ଯେ ରଉଫ ଏସିଆ କପ୍‌ରେ ପାକିସ୍ତାନ ଦଳରେ ଅଛନ୍ତି। ଅନ୍ୟପଟେ ପାକିସ୍ତାନ ଦଳ ପ୍ରବନ୍ଧକ ଦିନିକିଆ ବିଶ୍ଵକପ୍ ୨୦୨୩କୁ ଦୃଷ୍ଟିରେ ରଖି ଦୁଇ ବୋଲରଙ୍କୁ ନେଇ ସତର୍କତା ଅବଲମ୍ବନ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନସୀମ ଓ ରଉଫ ଆଜି ପାକିସ୍ତାନ ଦଳ ସହିତ ଷ୍ଟାଡିୟମରେ ଥିଲେ ହେଁ ଅଭ୍ୟାସ୍‌ରେ ଯୋଗ ଦେଇ ନାହାନ୍ତି। ଦଳ ପ୍ରବନ୍ଧକ ଚାହୁଁଛନ୍ତି ଦୁଇ ଖେଳାଳି ବିଶ୍ରାମ କରନ୍ତୁ ଏବଂ କୌଣସି ପ୍ରକାରର ରିସ୍କ ଉଠାନ୍ତୁ ନାହିଁ। ନସୀମଙ୍କ ବଦଳ ଖେଳାଳି ଭାବେ ଦଳରେ ଜମାନ ଖାନଙ୍କୁ ସାମିଲ୍ କରାଯାଇଛି। ଜମାନ ଏ ପର୍ଯ୍ୟନ୍ତ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୪ଟି ଓ୍ଵିକେଟ୍ ନେଇଛନ୍ତି।


error: Content is protected !!