September 24, 2026

Now Odisha

Now Odisha

ଚଳନ୍ତା ବସ୍‌ରେ ହଠାତ୍‌ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ

Spread the love

ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ଜେୱର ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏକ ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଚଳନ୍ତା ବସ୍‌ରେ ହଠାତ୍‌ ନିଆଁ ଲାଗିଯିବାରୁ ହାହାକାର ସୃଷ୍ଟି ହୋଇଥିଲା। ବସ୍‌ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ନିଆଁରୁ ରକ୍ଷା ପାଇବା ପାଇଁ କିଛି ଯାତ୍ରୀ ବସ୍‌ରୁ ଡେଇଁପଡ଼ିଥିଲେ। ନୋଏଡା ପୋଲିସର ତାଜା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଯମୁନା ଏକ୍ସପ୍ରେସୱେର ଜେୱର ଅଞ୍ଚଳର ଦୟାନତପୁର ଗାଁ ନିକଟରେ ଏହି ଘଟଣା ଘଟିଛି। ବସ୍ଟି ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗିଥିଲା। କିଛି ସମୟ ମଧ୍ୟରେ ନିଆଁ ସମଗ୍ର ବସ୍କୁ ନିଜ କବଳକୁ ନେଇଥିଲା।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବସ୍‌ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଚାଳକ ବସ୍‌କୁ ରାସ୍ତାକଡ଼ରେ ଅଟକାଇଥିଲେ। ଏହାପରେ ଅନେକ ଯାତ୍ରୀ ବସ୍‌ରୁ ବାହାରି ଆସିଥିଲେ। ଜୀବନ ବଞ୍ଚାଇବା ପାଇଁ କିଛି ଯାତ୍ରୀ ବସ୍‌ରୁ ଡେଇଁପଡ଼ିଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଥିଲା।

ତେବେ ନୋଏଡା ପୋଲିସର ସୂଚନା ଅନୁଯାୟୀ, ଏହି ଭୟାବହ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିବା ଜଣାପଡ଼ିଛି।

ଗ୍ରେଟର ନୋଏଡାରେ ଘଟିଥିବା ଏହି ଦୁର୍ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ପ୍ରକାଶ କରିବା ସହ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇ ଆବଶ୍ୟକ ସମସ୍ତ ସହାୟତା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସେ କାମନା କରିଛନ୍ତି।

error: Content is protected !!