September 26, 2026

Now Odisha

Now Odisha

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

Spread the love

ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ୨ ଜଣ CRPF ଯବାନ, ଜଣେ ପୋଲିସ ଓ ଜଣେ କନଷ୍ଟେବଳଙ୍କ ନାଁ ସାମ୍ନାକୁ ଆସିଛି । ଅଭିଯୋଗ ପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି।

ଘଟଣାଟି ଅମରୋହାର ହସନପୁର କୋତୱାଲି ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଯେଉଁ ଫାର୍ମହାଉସ୍‌ରେ ଘଟଣା ଘଟିଥିବା ଅଭିଯୋଗ ହୋଇଛି, ତାହା ଉତ୍ତରାଖଣ୍ଡର ଖାନପୁର ଆସନର ସ୍ୱାଧୀନ ବିଧାୟକ ଉମେଶ ଶର୍ମାଙ୍କର ବୋଲି ରିପୋର୍ଟରେ ଦାବି କରାଯାଇଛି। ପୀଡ଼ିତା ହରିୟାଣାର ଫତେହାବାଦ ଅଞ୍ଚଳର ବାସିନ୍ଦା। ତାଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୨୦ରେ ଜଣେ ପରିଚିତଙ୍କ ସହ ତାଙ୍କର କଥା ହୋଇଥିଲା। ପରେ ସେ ସୋନିପତ୍‌ରେ CRPF ହେଡ୍ କନଷ୍ଟେବଳ ମୋହିତଙ୍କୁ ଭେଟିଥିଲେ। ସେପ୍ଟେମ୍ବର ୨୧ ଦିନ ପ୍ରାୟ ୧ଟା ବେଳେ ମୋହିତ ତାଙ୍କୁ କାର୍‌ରେ ନେଇ ମେରଠ ଅଭିମୁଖେ ବାହାରିଥିଲେ। ରାସ୍ତାରେ ତାଙ୍କ ସହଯୋଗୀ CRPF ଇନ୍ସପେକ୍ଟର ଲାଲାରାମ ଯାଦବ ମଧ୍ୟ କାର୍‌ରେ ଚଢ଼ିଥିବା ଅଭିଯୋଗ ହୋଇଛି। ପରେ ସେମାନେ ଯୁବତୀଙ୍କୁ ଅମରୋହାର ହସନପୁର ନେଇଥିଲେ।

ହସନପୁର ଥାନା ଗେଟ୍ ନିକଟରେ ସେମାନଙ୍କର ଥାନାରେ ନିଯୁକ୍ତ ଦାରୋଗା ସଞ୍ଜୟ ତୋମରଙ୍କ ସହ ଭେଟ ହୋଇଥିବା ଅଭିଯୋଗ ରହିଛି। ଏହାପରେ ସମସ୍ତେ ଝୁଲପୁରୀ ଗାଁର ଏକ ଫାର୍ମହାଉସ୍‌କୁ ଯାଇ ଦୁଇଟି ରୁମ୍ ବୁକ୍ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେଠାରେ ତାଙ୍କ ସହ ଜୋରଜବରଦସ୍ତି କରାଯାଇଥିଲା। ଖାଦ୍ୟ ଦେବାକୁ ଆସିଥିବା ପ୍ରମୋଦ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।

ଅମରୋହା ଏସ୍‌ପି ଲାଖନ ସିଂହ ଯାଦବଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୨୩ ଭୋର ସମୟରେ ଜଣେ ମହିଳା ଫୋନ୍ କରି ତାଙ୍କ ସହ ଜୋରଜବରଦସ୍ତି କରାଯାଉଥିବା ଜଣାଇଥିଲେ। ସୂଚନା ପାଇବା ପରେ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲା। ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହାସହ ହସନପୁର ଥାନାରେ ନିଯୁକ୍ତ ଦାରୋଗା ସଞ୍ଜୟ ତୋମର ଓ କନଷ୍ଟେବଳଙ୍କୁ ଏସ୍‌ପି ଲାଖନ ସିଂହ ନିଲମ୍ବିତ କରିଥିବା ଜଣାପଡ଼ିଛି ।

error: Content is protected !!