October 4, 2026

Now Odisha

Now Odisha

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

Spread the love

ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୨୧୧ ର ସଂଗ୍ରହ କରିଛି। ଫଳରେ ଗୋଲ୍ଡ ମେଡାଲ ଜିତିବା ପାଇଁ ପାକିସ୍ତାନକୁ ୨୧୨ ରନ୍‌ର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ଅଭିଷେକ ଶର୍ମା ଏବଂ ତିଲକ ବର୍ମା ଦମଦାର ବ୍ୟାଟିଂ କରିଛନ୍ତି। ଅଭିଷେକ ୬୧ ରନର ଆକର୍ଷଣୀୟ ଇନିଂସ ଖେଳିଥିବା ବେଳେ ତିଲକ ୫୧ ରନ୍‌ରେ ଅପରାଜିତ ରହିଛନ୍ତି।
ଆରମ୍ଭରୁ ଭାରତକୁ ଦୁଇଟି ଝଟକା ଲାଗିଥିଲେ ମଧ୍ୟ ଅଭିଷେକ ଇନିଂସକୁ ସମ୍ଭାଳିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରି ସେ ୬୧ ରନ ସଂଗ୍ରହ କରି ଭାରତର ବଡ଼ ସ୍କୋରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି।

ଇନିଂସ୍‌ର ଶେଷ ଭାଗରେ ତିଲକ ଦାୟିତ୍ୱ ନେଇ ଦ୍ରୁତ ରନ ସଂଗ୍ରହ କରିଥିଲେ। ସେ ୫୧ ରନ କରି ଅପରାଜିତ ରହିଥିଲେ। ତାଙ୍କ ଏହି ଇନିଂସ ବଳରେ ଭାରତ ୨୦୦ ରନ୍‌ ପାର କରିବାରେ ସଫଳ ହୋଇଥିଲା। ଏବେ ପାକିସ୍ତାନ ସମ୍ମୁଖରେ ୨୧୨ ରନ୍‌ର ବଡ଼ ଲକ୍ଷ୍ୟ ରହିଛି। ଫାଇନାଲରେ ଭାରତୀୟ ବୋଲର୍ମାନେ ଏହି ଲକ୍ଷ୍ୟକୁ କିପରି ରକ୍ଷା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ।
ଏହି ଫାଇନାଲର ବିଜେତା ଦଳ ଗୋଲ୍ଡ ମେଡାଲ ହାସଲ କରିବ। ପରାଜିତ ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଭାରତ ପୂର୍ବ ସଂସ୍କରଣରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଥିଲା। ଏହା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଟିମ ମଧ୍ୟ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଗୋଲ୍ଡ ମେଡାଲ ଜିତିସାରିଛି।

error: Content is protected !!