କମୁଛି ଲଘୁଚାପର ଦିନ ସଂଖ୍ୟା


ଚଳିତବର୍ଷର ଆଷାଢ ମାସର ସ୍ବଳ୍ପ ବୃଷ୍ଟି ଶ୍ରାବଣ ମାସରେ ପୁରା ହେବ ବୋଲି ପାଣିପାଣ ବିଭାଗର ବୈଜ୍ଞାନିକମାନେ ଆକଳନ କରିଥିଲେ । ହେଲେ ଏମିତି କିଛି ଭି ହେଲାନି । ବରଂ ଶ୍ରାବଣରେ ମଧ୍ୟ ଧୋକ୍କା ଦେଲା ମୌସୁମୀ । ମୌସୁମୀ ମୁହଁ ଫେରାଇବା ପରେ ଚାଷୀ ନିର୍ଭର କରିଛନ୍ତି ଲଘୁଚାପ ବର୍ଷା ଉପରେ । ହେଲେ ଲଘୁଚାପ ବି ଦାଉ ସାଧିଛି । ତଥ୍ୟ ଅନୁସାରେ ସାଧାରଣତଃ ଅଗଷ୍ଟ ମାସରେ ୪ରୁ୫ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ ଏବଂ ଲଘୁଚାପ ଦିନ ସଂଖ୍ୟା ୧୬.୩ଦିନ ରହିଥାଏ । ହେଲେ ଚଳିତବର୍ଷ ଅଗଷ୍ଟ ମାସରେ ମାତ୍ର ୨ଟି ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଲଘୁଚାପର ଦିନ ମାତ୍ର ୯ଦିନ ରହିଥିଲା । ତା ସହିତ ପାଖାପାଖି ୧୦ଦିନ ଛାଡିଦେଲେ ୨୦ଦିନ ରାଜ୍ୟରେ ଆବଶ୍ୟକତା ଠାରୁ ୪୦ରୁ୫୦ ପ୍ରତିଶତ କିମ୍ବା ତା ଠୁ ଆହୁରି ଅଧିକ ନିଅଁଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସାଧାରଣତଃ ତାର ମୁଖ୍ୟ କାରଣ ହେଉଛି ଚଳିତବର୍ଷ କେନ୍ଦ୍ରୀୟ-ପୂର୍ବ ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଏଲ-ନିନୋର ସକ୍ରିୟତା ବହୁତ ବୃଦ୍ଧି ପାଇଛି । ଫଳରେ ଏହା ମୌସୁମୀ ବାୟୁପ୍ରବାହକୁ ଦୁର୍ବଳ କରିବା ସହ ଶୁଷ୍କତା ବୃଦ୍ଧି କରାଇଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।ସେପଟେ ରିପୋର୍ଟ କହୁଛି ୨୦୦୦ମସିହା ପରଠାରୁ ମୌସୁମୀ ଦୁର୍ବଳ ଦିନ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ମୌସୁମୀ ଋତୁରେ ତାପମାତ୍ରା ବୃଦ୍ଧି ସହ ବିଜୁଳି ଘଡଘଡିର ତୀବ୍ରତା ବଢିଛି । ତେବେ ବଢୁଥିବା ବିଜୁଳି ଘଡଘଡି ପାଇଁ ତିନିଟି ପାରାମିଟର ଦାୟୀ । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ଅଧିକ ରହୁଥିବ, ବାୟୁମଣ୍ଡଳ ଅସନ୍ତୁଳନ ବା ଅସ୍ଥିର ରହୁଥିବ ଅର୍ଥାତ୍ ତାପମାତ୍ରା ତଳୁ ଉପରକୁ ତୀବ୍ର ବେଗରେ କମୁଥିବ । ଏହା ବ୍ୟତୀତ କୌଣସି ସିଷ୍ଟମ ଥିବ ଯାହାକି ଜଳୀୟବାଷ୍ପ ତଳୁ ଉପରକୁ ନେଉଥିବ । ଯେଉଁଥିପାଇଁ ଜୁଲାଇରୁ ଅଗଷ୍ଟରେ ତାପମାତ୍ରା ଅଧିକ ରହିବା ସହ ଜଳୀୟବାଷ୍ପ ପାଇଁ ପାଗ ଅନୁକୁଳ ରହିବା ଯୋଗୁଁ ବଜ୍ରପାତର ସଂଖ୍ୟା ବୃଦ୍ଧି ପାଇଥିଲା ।ସେପଟେ ଗତ ୧୨ବର୍ଷ ମଧ୍ୟରେ ଓଡିଶାରେ ବଜ୍ରାଘାତରେ ପାଖାପାଖି ୪ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଆମେ ସତର୍କ ହେବା ଦରକାର । ଟେକ୍ନୋଲୋଜି ମାଧ୍ୟମରେ ଲୋକମାନଙ୍କ ନିକଟରେ ଯେତେଶୀଘ୍ର ଏ ସଂକ୍ରାନ୍ତରେ ଖବର ପହଂଚିବ, ସତର୍କତା ମୂଳକ ପଦକ୍ଷେପ ଲୋକେ ନେବେ ଏବଂ ଏହାସହ ଚାଷ ଜମିରେ ତାଳଗଛ ଅଧିକ ମାତ୍ରାରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି ପରିବେଶବିତ୍ l


error: Content is protected !!