ଥାଇଲାଣ୍ଡ ଉପସାଗର ଏବଂ ସଂଲଗ୍ନ ଥାଇଲାଣ୍ଡ ଓ ମ୍ୟାନ୍ମାର ଉପରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ବୁଧବାର ସନ୍ଧ୍ୟାରେ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିଛି। ଏହାର ପ୍ରଭାବରେ ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ୩ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ତେବେ ଏହି ସମୟ ଭିତରେ ଲଘୁଚାପ ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ବିଭିନ୍ନ ପାଣିପାଗ ମଡେଲ ଓ ବିଶେଷଜ୍ଞମାନେ ଆକଳନ କରିଥିଲେ ମଧ୍ୟ ଏନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ। ତେବେ ଅକ୍ଟୋବର ୨୬ରୁ ୨୯ ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ନେଇ ୟେଲୋ ଆଲର୍ଟ ଜାରି ହୋଇଛି।
ଅନ୍ୟପକ୍ଷରେ ପାଣିପାଗ ବିଜ୍ଞାନୀ ଡ. ଶରତ ସାହୁ କହିଛନ୍ତି, ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ କିମ୍ବା ତା’ଠୁ ଉପରକୁ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମକୁ ମଧ୍ୟ ଯାଇପାରେ। ପବନର ବେଗ ସର୍ବାଧିକ ୧୨୦ ରୁ ୧୩୦ କିମି ପର୍ଯ୍ୟନ୍ତ ରହିପାରେ। କିନ୍ତୁ ବାତ୍ୟା ଆନ୍ଧ୍ର ନା ଓଡ଼ିଶା ଉପକୂଳ ଛୁଇଁବ, ତାହା ଆସନ୍ତା ୨୫ ତାରିଖ ପରେ ଜଣାପଡିବ। ବାତ୍ୟା ସୃଷ୍ଟି ହେଲେ ଏହାର ନାମ ‘ଅର୍ଣ୍ଣବ’ ରହିବ। ୟୁରୋପିଆନ ମଡେଲର ଆକଳନ ଅନୁସାରେ, ୨୮ ତାରିଖ ବେଳକୁ ବାତ୍ୟା ଉପକୂଳ ଛୁଇଁପାରେ।
