T.E.Ravenshaw ବା ଟମାସ୍ ଏଡଵାର୍ଡ ରେଭେନ୍ସା । ଯାହାଙ୍କ ପାଇଁ କଟକ ମାଟିରେ ଠିଆ ହୋଇଛି ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ବ ବିଦ୍ୟାଳୟ । ଆଗାମୀ ଦିନରେ ଏହାର ନାମ ପରିବର୍ତ୍ତନ କରାଯିବ କି ନାହିଁ ତାକୁ ନେଇ ଏବେଠାରୁ ତର୍ଜମା ଆରମ୍ଭ ହୋଇଛି । କାରଣ ସ୍ବାୟତ୍ବ ଶାସନ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗରୀମାମୟ ବିଶ୍ବ ବିଦ୍ୟାଳୟର ନାମ ପରିବିର୍ତ୍ତନ ହେବା ଉଚିତ୍ କି ନୁହେଁ ବୋଲି ଓଡ଼ିଶାବାସୀଙ୍କ ଆଗରେ ପ୍ରଶ୍ନଟିଏ ଠିଆ କରିଛନ୍ତି ।
ତେବେ ନାମ ପରିବର୍ତ୍ତନ ହେଉ କି ନ ହେଉ, ଓଡ଼ିଶାବାସୀ ରେଭେନ୍ସାଙ୍କ ସମ୍ପର୍କରେ ଜାଣିବାର ଆବଶ୍ୟକତା ନିହାତି ରହିଛି । ୧୮୬୫ ମସିହାରେ ଏଡଵାର୍ଡ ରେଭେନ୍ସା ଓଡ଼ିଶାର କମିଶନର ଭାବେ ଯୋଗ ଦିଅନ୍ତି । ଇଂରେଜ ଶାସନାଧିନ ଭାରତବର୍ଷରେ ଓଡିଶାପାଇଁ ଏହା ଗୋଟିଏ କଳଙ୍କମୟ ଐତିହାସିକ ସନ୍ଧିକ୍ଷଣ । ନଅଙ୍କ ଦୁର୍ଭିକ୍ଷ ଦେଇ ଗତି କରୁଥାଏ ଓଡ଼ିଶା । କିନ୍ତୁ କମିଶନରଙ୍କ ପାଖରେ ଖବର ପହଞ୍ଚେ ଓଡ଼ିଶାର କୃଷକମାନେ କର ପଇଠ ନ କରିବାକୁ ଏଭଳି ପେଖନା କରୁଛନ୍ତି । କିଛି ମୁଷ୍ଟିମେୟ ବଙ୍ଗୀୟ ଅଧିକାରୀଙ୍କ ଏହି ଭ୍ରମାତ୍ମକ ବିବୃତ୍ତିରେ ରେଭେନ୍ସା ଭାସି ଯାଆନ୍ତି । ଆଉ ଅବିଚାରିତ ଭାବେ ଓଡ଼ିଶାର କୃଷକମାନଙ୍କଠାରୁ ୨୦ ହଜାର ଟନର ଚାଉଳ ବଙ୍ଗଳାକୁ ରତ୍ପାନୀ କରି ଦିଆଯାଏ । ଯାହା ଲାଗି ଓଡ଼ିଶାବାସୀଙ୍କ ଆଖିରେ ରେଭେନ୍ସା ସାହେବ ଛୋଟ ହୋଇଯାଆନ୍ତି ।
ଅବଶ୍ୟ ଏ ସ୍ଥିତି ଦୀର୍ଘ ସମୟ ବଳବତ୍ତର ରୁହେନି । ନିଜେ କମିଟି ଗଠନ କରି ସ୍ଥିତି ପରଖିବା ପରେ ରେଭେନ୍ସା ବୁଝିପାରନ୍ତି, ସେ ଭୁଲ କରିଛନ୍ତି ବୋଲି । ପୋକ ମାଛି ପରି ମରୁଥିବା ଲୋକମାନଙ୍କୁ ଦେଖି ସମ୍ବେଦନଶୀଳ ହୋଇପଡନ୍ତି ସାହେବ। ବଙ୍ଗୀୟ ଅଧିକାରୀଙ୍କ ସଠତା ଜାଣିବା ପରେ, ଓଡ଼ିଆ ଲୋକଙ୍କ ଶିକ୍ଷା, ସରକାରୀ ଚାକରିରେ ଭାଗିଦାରି ନେଇ ଚେଷ୍ଟିତ ହୁଅନ୍ତି ।
୧୮୬୭ ମସିହା ଡିସେମ୍ବର ମାସରେ ସରକାରଙ୍କ ତରଫରୁ ନଅଙ୍କ ଦୁର୍ଭିକ୍ଷର ପରିସମାପ୍ତି ଘୋଷଣା କରାଯାଇଥିଲା। ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ଦାରୁଣ ଦୁର୍ଭିକ୍ଷର କଥା ଉଠି ରେଭେନ୍ସା ନିନ୍ଦିତ ବି ହୁଅନ୍ତି। ଓଡ଼ଶାର ବିକାଶ ପାଇଁ ଓଡ଼ିଆ ପୋଥୀର ସଂରକ୍ଷଣ, ଓଡ଼ିଆ ପ୍ରିଣ୍ଟି ପ୍ରେସର ସ୍ଥାପନ ଦିଗରେ କାମ କରନ୍ତି। କିଛି ଗବେଷଣା ନିବନ୍ଧ ଏହା ମଧ୍ୟ କୁହେ ଯେ, ଗୌରୀଶଙ୍କର ରାୟଙ୍କ ସହ ସାମିଲ୍ ହୋଇ ସେ ‘କଟକ ପ୍ରିଟିଙ୍ଗ୍ କମ୍ପାନୀ’ ବସାଇବାରେ ସାହାଯ୍ୟ କରିଥିଲେ ଓ ଏହାର ଅଂଶଧନ ମଧ୍ୟ କିଣିଥିଲେ।
୧୮୬୮ ମସିହାରେ କଟକ ଜିଲ୍ଲା ସ୍କୁଲରେ ଆଉ ଦୁଇଟି ଉଚ୍ଚତର ଶ୍ରେଣୀ ଖୋଲାଯାଇ ପାଠ୍ୟକ୍ରମ ଆରମ୍ଭ ହୁଏ। ପରବର୍ତ୍ତୀ ସମୟରେ ଏହା ‘ ରେଭେନ୍ସା ମହାବିଦ୍ୟାଳୟ’ ନାମରେ ପରିଚିତ ହୁଏ। ୧୮୭୯ ସାଲରେ ଓଡ଼ିଶାରୁ ବିଦାୟ ନେବା ପୂର୍ବରୁ ରେଭେନ୍ସା ଓଡ଼ିଶାର କିଛି ରାଜାମାନଙ୍କୁ କଲେଜ ପାଇଁ ଅର୍ଥ ଦାନ କରିବା ପାଇଁ ନିବେଦନ କରନ୍ତି। ମୟୁରଭଞ୍ଜ ମହାରାଜା, କୃଷ୍ଣଚନ୍ଦ୍ର ଭଞ୍ଜଦେଓ, କୁଜଙ୍ଗ ରାଜା, କାଶିମ୍ ବଜାର ରାଣୀ, ପାଣ୍ଡୁଆ ଜମିଦାର ଏବଂ ଅନେକ ସାହାଯ୍ୟ କରିଥିଲେ କଲେଜ ପାଇଁ। ଫଳରେ ଗଢିଉଠିଥିଲା କଟକରେ ଏହି ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍ସା। ଏହି ତଥ୍ୟ ଶ୍ରୀ ନୃସିଂହ ଚରଣ ସାହୁଙ୍କ ସଙ୍କଳିତ ଆମ ଓଡ଼ିଶା ପୁସ୍ତକରେ ବିସ୍ତୃତ ଭାବେ ସ୍ଥାନୀତ ହୋଇଛି।
More Stories
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି