ଛଟ ପୂଜା ପୂର୍ବରୁ ତେଜିଲା ପଶ୍ଚିମବଙ୍ଗ ରାଜନୀତି। ହାୱଡ଼ାର କାଜିପଡ଼ାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ବାମ ସରକାର ଓ ତୃଣମୂଳ କଂଗ୍ରେସକୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ୩୪ ବର୍ଷର ବାମ ଶାସନ ଏବଂ ୧୫ ବର୍ଷର ଟିଏମ୍ସି ସରକାର ବଙ୍ଗଳାର ସାମାଜିକ ଏକତା ଓ ପୁରୁଣା ସାଂସ୍କୃତିକ ପରମ୍ପରାକୁ କ୍ଷତି ପହଞ୍ଚାଇଥିବା ସେ ଅଭିଯୋଗ କରିଛନ୍ତି।
ଶୁଭେନ୍ଦୁ କହିଛନ୍ତି, ମୋ’ ସରକାର ଦୁର୍ଗାପୂଜା, କାଳୀପୂଜା, ଛଟ୍ ପୂଜା ଓ ରାମନବମୀ ଭଳି ଧାର୍ମିକ ଉତ୍ସବରେ କୌଣସି ପ୍ରକାର ବାଧା ସୃଷ୍ଟି ହେବାକୁ ଦେବନାହିଁ। ପୂର୍ବ ସରକାର ଗୁଡ଼ିକ ରାଜନୈତିକ ଫାଇଦା ପାଇଁ ଧାର୍ମିକ ଉତ୍ସବକୁ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ବିହାର, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରୁ ଆସିଥିବା ଭାରତୀୟ ନାଗରିକଙ୍କୁ ବାହାର ଲୋକ ବୋଲି କୁହାଯାଉଥିବା ବେଳେ ବାଂଲାଦେଶରୁ ଅବୈଧ ଅନୁପ୍ରବେଶକାରୀଙ୍କ ପ୍ରତି ପୂର୍ବ ଟିଏମ୍ସି ସରକାର ନରମ ମନୋଭାବ ରଖିଥିବା ଶ୍ରୀ ଅଧିକାରୀ ଅଭିଯୋଗ କରିଛନ୍ତି।
କେବଳ ଧାର୍ମିକ ପ୍ରସଙ୍ଗ ନୁହେଁ, ଦୁର୍ନୀତିକୁ ନେଇ ମଧ୍ୟ ଟିଏମ୍ସିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରୁ ହଜାର ହଜାର କୋଟି ଟଙ୍କା ବାହାରକୁ ପଠାଯାଇଥିବା ଅଭିଯୋଗ କରିବା ସହ ଫଳତାର ଟିଏମ୍ସି ନେତା ଜାହାଙ୍ଗୀର ଖାନ୍ ଓ ସନ୍ଦେଶଖାଲିର ଶେଖ୍ ଶାହଜାହାନ୍ଙ୍କ ସହ ଜଡ଼ିତ ନିର୍ମାଣ କାର୍ଯ୍ୟର ପ୍ରସଙ୍ଗ ଉଠାଇଛନ୍ତି। ଦୁର୍ନୀତିରେ ସମ୍ପୃକ୍ତ କାହାକୁ ମଧ୍ୟ ଛଡ଼ାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।
ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ପାଲଟା ଆକ୍ରମଣ କରିଛି ସିପିଆଇ(ଏମ୍)। ଦଳର ନେତା ସତରୂପ ଘୋଷ କହିଛନ୍ତି, ଭାରତୀୟ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ନାସ୍ତିକ ରହିବାର ସ୍ୱାଧୀନତା ମଧ୍ୟ ଦେଇଛି। ଏହା ସହ ନାରଦା ଷ୍ଟିଙ୍ଗ୍ ମାମଲାର ପ୍ରସଙ୍ଗ ଉଠାଇ ଶୁଭେନ୍ଦୁଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ କ୍ୟାମେରାରେ ଟଙ୍କା ନେଉଥିବା ଦୃଶ୍ୟ ସାମ୍ନାକୁ ଆସିଥିବା ଦାବି କରି ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଜବାବ ମାଗିଛନ୍ତି।
ଛଟ ପୂଜା ମଞ୍ଚରୁ ଆରମ୍ଭ ହୋଇଥିବା ଏହି ବୟାନବାଜି ଏବେ ବଙ୍ଗଳା ରାଜନୀତିରେ ଧର୍ମ, ସାଂସ୍କୃତିକ ପରିଚୟ ଓ ଦୁର୍ନୀତି ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି। ଗୋଟିଏ ପଟେ ଶୁଭେନ୍ଦୁ ପୂର୍ବ ସରକାରଙ୍କ କାର୍ୟ୍ୟକଳାପକୁ ପ୍ରଶ୍ନ କରୁଥିବା ବେଳେ ଅନ୍ୟପଟେ ବିରୋଧୀ ତାଙ୍କ ପୁରୁଣା ବିବାଦକୁ ଉଠାଇ ପାଲଟା ଜବାବ ଦେଉଛନ୍ତି।
