ଜୀବନ ପାଇଁ ଦୁଇ ବୁନ୍ଦା, ଜନ୍ମରୁ ୫ବର୍ଷର ଶିଶୁଙ୍କୁ ଅତ୍ୟନ୍ତ ଜରୁରୀ ପୋଲିଓ ଦୁଇ ବୁନ୍ଦା। ପୋଲିଓ ମୁକ୍ତ ଭାରତ ଲକ୍ଷ୍ୟରେ ଚାଲିଥିବା ପୋଲିଓ ବୁନ୍ଦା ଅଭିଯାନ ରବିବାର ଗଞ୍ଜାମ ଜିଲାରେ ସମ୍ପନ୍ନ ହୋଇଛି।
ଛତ୍ରପୁରସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଜିଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ହୋଇଛି। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ନିଜ ଝିଅକୁ ମଧ୍ୟ ପୋଲିଓ ଦୁଇ ବୁନ୍ଦା ଦେଇ ସଚେତନତା ବାର୍ତ୍ତା ଦେଇଥିଲେ।
ଜନ୍ମରୁ ୫ ବର୍ଷର ସମସ୍ତ ଶିଶୁ ଏହି ପୋଲିଓ ବୁନ୍ଦା ନେବାପାଇଁ ସେ ଅଭିଭାବକମାନଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ସରାକରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହେଉଥିବା ଏହି ପୋଲିଓ ବୁନ୍ଦା ଅଭିଯାନରୁ କୌଣସି ଶିଶୁ ଯେପରି ବାଦ ନ ପଡିବେ ସେଥିପ୍ରତି ଜିଲାପାଳ ଗୁରୁତ୍ୱାରୋପ କରିଥିଲେ।
ଗଞ୍ଜାମ ଜିଲାରେ ଚଳିତ ବର୍ଷ ୩ ଲକ୍ଷ ୪୫ ହଜାର ୧୧ ଜଣ ଶିଶୁକୁ ଏହି ପଲସ ପୋଲିଓ ବୁନ୍ଦା ପ୍ରଦାନ ନେଇ ଲକ୍ଷ୍ୟ ରଖାଯାଇଛି । ରବିବାର ହୋଇଥିବା ପଲସ ପୋଲିଓ କାର୍ଯ୍ୟକ୍ରମ ୧୬୩୭ଟି ବୁଥରେ ହୋଇଥିଲା।
ଏଥିପାଇଁ ୩୨୭୪ଟି ଟିମ୍ କରାଯାଇଥିବା ବେଳେ ୬୫୪୮ ଜଣ କର୍ମୀ ନିୟୋଜିତ ହୋଇଥିଲେ। ବସଷ୍ଟାଣ୍ଡ, ରେଳ ଷ୍ଟେସନ ଆଦି ଜନଗହଳି ସ୍ଥାନ ପାଇଁ ୭୫ଟି ଟ୍ରାଞ୍ଜିଟ ଟିମ ଓ ଉପାନ୍ତ ଅଞ୍ଚଳ ପାଇଁ ୫୫ଟି ମୋବାଇଲ ଟିମ୍ ଗଠନ ହୋଇଥିଲା। ଏହାକୁ ତଦାରଖ କରିବା ପାଇଁ ୩୨୩ ଜଣ ସୁପରଭାଇଜର ନିୟୋଜିତ ଥିଲେ।
ଯେଉଁ ଶିଶୁ ପୋଲିଓ ବୁନ୍ଦା ଖାଇବାରୁ ବଞ୍ଚିତ ରହିଯାଇଛନ୍ତି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କର୍ମଚାରୀମାନେ ଆସନ୍ତା ୨୩ ଓ ୨୪ରେ ଘରକୁ ଘର ବୁଲି ସେମାନଙ୍କୁ ପଲସ ପୋଲିଓ ବୁନ୍ଦା ଦେବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମରେ ସିଡିଏମ୍ଓ ଡ଼ ଉମାକାନ୍ତ ସାହୁ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡାକ୍ତର ଅଲେଖ ପ୍ରଧାନ, ଡା. ଅତିଫ ଅଲ୍ଲୀ, ଡା. ବି. ସରଙ୍ଗୀ, ଡିପିଏମ ବୁଲୁନାଥ ସାହୁ, ଦିଲ୍ଲୀପ ପଣ୍ଡା, ରୋଟାରିୟନ ପ୍ରଫୁଲ ପଟ୍ଟନାୟକ, ମ୍ୟାନେଜର ଗଣେଶ ନାହାକ, ପ୍ରଶାନ୍ତ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
