ଆତଙ୍କବାଦ ପ୍ରସଙ୍ଗରେ ଯେକୌଣସି ଆଲୋଚନା ଠୋସ୍ ପ୍ରମାଣ ଆଧାରରେ ହେବା ଉଚିତ । ଏଥିପାଇଁ ଏକ ସାଧାରଣ ମଞ୍ଚ ଗଠନ କରାଯାଇ ସମସ୍ତ ଦେଶ ପରସ୍ପର ସମ୍ମୁଖରେ ପ୍ରମାଣ ଉପସ୍ଥାପନ କରିବା ଆବଶ୍ୟକ । ଆତଙ୍କବାଦର ମୁକାବିଲା ପାଇଁ ସାମୂହିକ ଉଦ୍ୟମ ହିଁ ଏକମାତ୍ର ସମାଧାନ ବୋଲି କହିଛନ୍ତି ପାକିସ୍ତାନ ମନ୍ତ୍ରୀ ମୁସାଦିକ ମସୁଦ ମଲିକ।
ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ସଭ୍ୟତାଗତ ସଂଳାପ ମଞ୍ଚରେ ଯୋଗଦେବାକୁ ଭାରତ ଆସିଥିବା ମଲିକ ଗଣମାଧ୍ୟମକୁ କହିଛନ୍ତି ଯେ ସମଗ୍ର ଅଞ୍ଚଳ ଆତଙ୍କବାଦର ସମସ୍ୟାରେ ଜର୍ଜରିତ। ତେଣୁ ଏହାର ସମାଧାନ ପାଇଁ ସମସ୍ତ ଦେଶ ଏକାଠି ହେବା ଦରକାର । ଏହି ସମସ୍ୟାରେ ପାକିସ୍ତାନ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ତାଙ୍କ ଦେଶରେ ହଜାର ହଜାର ଲୋକ ଆତଙ୍କବାଦର ଶିକାର ହୋଇଥିବା ସହ ପ୍ରତିଦିନ ଲୋକଙ୍କ ଜୀବନ ଯାଉଛି ବୋଲି ସେ କହିଛନ୍ତି। ଆତଙ୍କବାଦ ଉପରେ ଯେତେବେଳେ ବି ଆଲୋଚନା ହେବ, ତାହା ପ୍ରମାଣ ଆଧାରରେ ହେବା ଉଚିତ । ସମସ୍ତ ଦେଶ ପରସ୍ପର ସମ୍ମୁଖରେ ପ୍ରମାଣ ରଖନ୍ତୁ ଏବଂ ସେହି ଆଧାରରେ ସମସ୍ୟାର ସମାଧାନ କରନ୍ତୁ । ଆତଙ୍କବାଦର ମୁକାବିଲା କରିବାରେ ପାକିସ୍ତାନର ସ୍ୱାର୍ଥ ଅନ୍ୟ ଦେଶ ତୁଳନାରେ ଅଧିକ ବୋଲି ମଧ୍ୟ ସେ ମତ ଦେଇଛନ୍ତି ।
ଅନ୍ୟପକ୍ଷରେ, ଭାରତରେ ଆୟୋଜିତ ‘ସଭ୍ୟତାଗତ ଓ ସାଂସ୍କୃତିକ ଅଭିବ୍ୟକ୍ତି’ ଶୀର୍ଷକ ଅଧିବେଶନରେ ଯୋଗଦେଇ ମଲିକ କହିଛନ୍ତି ଯେ ଭିନ୍ନ ଭିନ୍ନ ପରିଚୟ ଓ ବିବିଧତା ମଧ୍ୟରେ ସଂଳାପ ହୋଇଥାଏ। ସେମାନେ ଏଠାକୁ ଏହି ସଂଳାପ ପାଇଁ ଆସିଛନ୍ତି। ଏହି ଅଧିବେଶନର ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ।ଉଲ୍ଲେଖଯୋଗ୍ୟ, ୨୦୨୫ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତତା ଜାରି ରହିଛି। ଏହି ପରିସ୍ଥିତିରେ ପାକିସ୍ତାନର ଜଣେ ମନ୍ତ୍ରୀ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି ।
