ଭୁବନେଶ୍ବର: ଏକ ଘରୋଇ ସଂସ୍ଥାର ଚାରି ବର୍ଷର ଆର୍ଥିକ ଅଡ଼ିଟ୍ ପାଇଁ ଭୁବନେଶ୍ବରରେ ଅବସ୍ଥାପିତ କେନ୍ଦ୍ରୀୟ ଜିଏସ୍ଟି କାର୍ଯ୍ୟାଳୟର ଦୁଇ ଜିଏସ୍ଟି ଅଧିକାରୀ ଉକ୍ତ ସଂସ୍ଥାର ମାଲିକଙ୍କ ଠାରୁ ୪ଲକ୍ଷ ଟଙ୍କା ଦାବି କରିଥିଲେ। ଉକ୍ତ ମାଲିକଙ୍କ ଠାରୁ ୩ଲକ୍ଷ ଟଙ୍କା ନେବା ବେଳେ ସିବିଆଇର ଏକ ଟିମ୍ ମାଡ଼ିବସିଛି। ଗିରଫ ଦୁଇ ଅଧିକାରୀ ହେଲେ, ଟିକେଲାଲ୍ ସୁଲିଆ ଓ ଦିଲ୍ କିଶୋର ରମଣ। ମିଳିଥିବା ସୂଚନା ଅନୁସାରେ, ଏହି ଲାଞ୍ଚ କାରବାର ନେଇ ଅଭିଯୋଗକାରୀ (ଉକ୍ତ ଘରୋଇ ସଂସ୍ଥାର ମାଲିକ) ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସିବିଆଇ ଟିମ୍ ଦୁଇ ବରିଷ୍ଠ ଜିଏସ୍ଟି ଅଧିକାରୀଙ୍କୁ ଧରିବାକୁ ଜାଲ ବିଛାଇଥିଲା। କେନ୍ଦ୍ରୀୟ ଜିଏସ୍ଟି କାର୍ଯ୍ୟାଳୟ, ଭୁବନେଶ୍ବରର ଅଧୀକ୍ଷକ ଶ୍ରୀ ସୁଲିଆ ଲାଞ୍ଚ ଟଙ୍କା ନେଉଥିବା ବେଳେ ତାଙ୍କୁ ପ୍ରଥମେ ସିବିଆଇ ଟିମ୍ ମାଡ଼ି ବସିଥିଲା। ତାଙ୍କଠାରୁ ଲାଞ୍ଚ ବାବଦ ୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ତାଙ୍କୁ ପଚରାଉଚରା କରି ଲାଞ୍ଚ କାରବାରରେ ଜଡ଼ିତ ଥିବା ଅନ୍ୟ ଅଧୀକ୍ଷକ ରମଣଙ୍କ ସଂପୃକ୍ତିର ପ୍ରମାଣ ମିଳିଥିଲା। ଦୁଇ ଜିଏସ୍ଟି ଅଧୀକ୍ଷକଙ୍କୁ ସିବିଆଇ ପକ୍ଷରୁ ସତ୍ସଙ୍ଗ ବିହାରସ୍ଥିତ କେନ୍ଦ୍ରୀୟ ଜିଏସ୍ଟି କାର୍ଯ୍ୟାଳୟରେ ମାରାଥନ୍ ଜେରା ପରେ ଗିରଫ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ସବିଆଇ ସୂତ୍ରରୁ ପ୍ରକାଶ।
