ନୂଆଦିଲ୍ଲୀ: ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳର ଏକ କାଫେରେ ସହକର୍ମୀଙ୍କ ସହ ରାତିରେ ଆୟୋଜିତ ଭୋଜିରେ ଯୋଗଦେବା ପରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ତିନିଜଣଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ଓ ଅଭିଯୁକ୍ତମାନେ କର୍କରଡୁମାସ୍ଥିତ କ୍ରସ୍ ରିଭର ମଲ୍ର ଏକ କାଫେରେ କାମ କରନ୍ତି। ସୋମବାର ରାତିରେ ପୀଡ଼ିତାଙ୍କ ସମେତ ଆଠଜଣ ସହକର୍ମୀ ପ୍ରୀତ ବିହାରର ସାଲ୍ଟାନେଟ୍ କାଫେରେ ଏକାଠି ହୋଇଥିଲେ। କାଫେଟି ସାଧାରଣତଃ ରାତି ୧୧ଟା ୩୦ରେ ବନ୍ଦ ହୋଇଥାଏ। କିନ୍ତୁ ଗୋଷ୍ଠୀର ଜଣେ ସଦସ୍ୟଙ୍କ ପାଖରେ ଚାବି ଥିବାରୁ ବନ୍ଦ ହେବା ପରେ ମଧ୍ୟ କାଫେ ଖୋଲାଯାଇ ଭୋଜି ଜାରି ରହିଥିଲା। ସେଠାରେ ସମସ୍ତେ ମଦ୍ୟପାନ କରିବା ସହ ନାଚଗୀତ କରିଥିଲେ। ମଙ୍ଗଳବାର ଭୋର୍ ପ୍ରାୟ ୩ଟା ୩୦ରେ ସେମାନେ କାଫେ ଛାଡ଼ିଥିଲେ।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଭୋଜି ସମୟରେ ଦୁଇଜଣ ପୁରୁଷ ସହକର୍ମୀ ତାଙ୍କୁ ଦୁଷ୍କର୍ମ କରିଥିଲେ। ଅନ୍ୟ ସହକର୍ମୀମାନେ ଏଥିରେ ସହଯୋଗ କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ପରେ ପୁଲିସ ଚାରିଜଣ ପୁରୁଷ ଓ ଦୁଇଜଣ ମହିଳାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରିଛି। ପୁଲିସ ଅନୁଯାୟୀ, ଅଭିଯୋଗ ପରେ ଦୁଇ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରାଯାଇଛି। ଅବଶିଷ୍ଟ ତିନିଜଣଙ୍କୁ ଖୋଜା ଚାଲିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ପଠାଯାଇଛି। ତାଙ୍କ ବୟାନ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ମଧ୍ୟ ରେକର୍ଡ କରାଯିବ। ମାମଲାର ତଦନ୍ତ ଜାରି ରହିଛି।
