May 18, 2026

Now Odisha

Now Odisha

ନିତିନ ନବୀନ ବିଜେପି ସାଙ୍ଗଠନିକ ଉତ୍କର୍ଷତାର ପ୍ରତିଫଳନ: ଡ଼ଃ ତପନ କୁମାର ଚାନ୍ଦ |

Spread the love

ଭୁବନେଶ୍ୱର, ୧୭/୦୫: ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ନିତିନ ନବୀନ ମେ ୧୮ ତାରିଖରେ ଓଡ଼ିଶା ଆସୁଛନ୍ତି। ନିତିନ ନବୀନଙ୍କ ବିଷୟରେ ସାଧାରଣ ଲୋକମାନଙ୍କ ମନରେ ଅନେକ ଉତ୍କଣ୍ଠା ରହିଛି, ସଂକ୍ଷିପ୍ତରେ କହିବାକୁ ହେଲେ “ନିତିନ ନବୀନ ହେଉଛନ୍ତି ବିଜେପି ସାଙ୍ଗଠନିକ ଉତ୍କର୍ଷତାର ପ୍ରତିଫଳନ।” ନିତିନଙ୍କ ମତରେ ରାଜନୀତି କୌଣସି ପଦବୀ କିମ୍ବା ସତ୍ତା ପାଇବାର ସୁଯୋଗ ନୁହେଁ, ବରଂ ଏହା ଏକ ଗୁରୁ ଦାୟିତ୍ୱ। କାର୍ଯ୍ୟକର୍ତ୍ତାରୁ ଆରମ୍ଭ କରି ଦଳର ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ତାଙ୍କ ଉତ୍ଥାନ, ନୂତନ ପିଢ଼ୀର ନେତୃତ୍ୱ ଉପରେ ଦଳର ଆସ୍ଥା ଓ ବିଶ୍ୱାସର ପ୍ରତୀକ।

ବିଜେପିରେ ତାଙ୍କର ଯାତ୍ରାକୁ ଯେଉଁମାନେ ଅଧିକ ଭାବେ ଜାଣିବାକୁ ଚାହାନ୍ତି, ସେମାନେ ପ୍ରଥମେ ଦଳର ଅସାଧାରଣ ଉତ୍ଥାନକୁ ବୁଝିବା ଆବଶ୍ୟକ, ଯାହା ଦଳର ଦୃଷ୍ଟିଭଙ୍ଗୀ ଓ ସାଙ୍ଗଠନିକ ଶକ୍ତି ମାଧ୍ୟମରେ ନିରନ୍ତର ଭାବେ ସୁଦୃଢ଼ ହୋଇଆସିଛି। ଆମେ ସାଧାରଣତଃ ୧୯୮୪ ମସିହା ସ୍ମରଣ କରିଥାଉ, ଯେତେବେଳେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରବର୍ତ୍ତୀ ସମବେଦନା ଲହରୀ ମଧ୍ୟରେ ବିଜେପିର ସଂସଦରେ କେବଳ ଦୁଇଟି ଆସନ ଥିଲା। ସେଠାରୁ ଆରମ୍ଭ କରି ଦଳର ଉତ୍ଥାନ ଅଭୂତପୂର୍ବ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୩ଟି ଆସନ ଜିତିଥିଲା ଏବଂ ୨୦୨୪ ଲୋକସଭା ନିର୍ବାଚନରେ ୨୪୦ଟି ଆସନ ଅର୍ଜନ କରିଥିଲା। ବିଜେପିର ମୂଳ ଭାରତୀୟ ଜନସଂଘରୁ, ଯାହା ୧୯୫୧ ମସିହାରେ ଗଠିତ ହୋଇଥିଲା ଏବଂ ପରେ କେନ୍ଦ୍ରରେ ଜନତା ପାର୍ଟି ସରକାରର ସହଭାଗୀ ହୋଇଥିଲା। ସେତେବେଳେ ଜନସଂଘ ସମ୍ପୂର୍ଣ୍ଣ ଭାବେ ଜନତା ପାର୍ଟିରେ ବିଲୀନ ହୋଇଯାଇଥିଲା। କିନ୍ତୁ ଜନତା ପାର୍ଟି ସରକାରର ପତନ ପରେ, ବିଜେପି ଜନସଂଘର ରୂପାନ୍ତରିତ ଭାବେ ଫିନିକ୍ସ ପକ୍ଷୀ ପରି ପୁନର୍ଜନ୍ମ ନେଇଥିଲା।

୧୯୮୦ ମସିହାରେ ମାତ୍ର କିଛି ନେତାଙ୍କୁ ନେଇ ଗଠିତ ବିଜେପି ଆଜି ୧୧ କୋଟିରୁ ଅଧିକ ପ୍ରାଥମିକ ସଦସ୍ୟ ସହିତ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଜନୈତିକ ଦଳରେ ପରିଣତ ହୋଇଛି ଏବଂ ଚୀନ କମ୍ୟୁନିଷ୍ଟ ପାର୍ଟିକୁ ମଧ୍ୟ ପଛରେ ପକାଇଦେଇଛି। ଏହି ଅପୂର୍ବ ବିକାଶ ସମ୍ଭବ ହୋଇପାରିଛି ଦଳର ସାଙ୍ଗଠନିକ ଉତ୍କର୍ଷତା, ଶୃଙ୍ଖଳା ଓ ଦୀର୍ଘମିଆଦି କୌଶଳ ଦ୍ୱାରା। “ଏକାତ୍ମ ମାନବବାଦ”କୁ ମୂଳ ଦର୍ଶନ ଭାବେ ଗ୍ରହଣ କରିଥିବା ବିଜେପି “ପଞ୍ଚନିଷ୍ଠା” — ରାଷ୍ଟ୍ରବାଦ, ରାଷ୍ଟ୍ରୀୟ ଏକାତ୍ମତା, ଗଣତନ୍ତ୍ର, ମୂଲ୍ୟଭିତ୍ତିକ ରାଜନୀତି, ଶୋଷଣମୁକ୍ତ ଏବଂ ସମତାଯୁକ୍ତ ସମାଜ ଓ ସର୍ବଧର୍ମ ସମଭାବକୁ ନିଜର ପଥପ୍ରଦର୍ଶକ ସିଦ୍ଧାନ୍ତ ଭାବେ ଧାରଣ କରିଛି। ଅତହ ଜନମାନସରେ ବିଜେପି ଏକ ସ୍ଥିର, ମଜବୁତ ସିଦ୍ଧାନ୍ତ ଓ ରାଷ୍ଟ୍ରବାଦୀ ଭାବନାର ଦଳ ଭାବେ ଆଦୃତ ହେବା ସହିତ, ଏହାର ମୂଲ୍ୟବୋଧଭିତ୍ତିକ ରାଜନୀତି ତଥା ପ୍ରଶାସନିକ ସ୍ୱଚ୍ଛତା ଯୁବପିଢ଼ୀ ଓ ମହିଳାମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଛି। ବିଗତ ୧୨ ବର୍ଷରେ ମୋଦୀଙ୍କ ଶାସନ ସମୟରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଜନମାନସରେ ବିଜେପି ସମ୍ବନ୍ଧରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିପାରିଛି ।

ବିଜେପିର ଶୃଙ୍ଖଳା ଓ କ୍ୟାଡର୍ ଭିତ୍ତିକ ସଂଗଠନ ଅନ୍ୟାନ୍ୟ ରାଜନୈତିକ ଦଳଠାରୁ ଏହାକୁ ସ୍ୱତନ୍ତ୍ର କରିଛି। ଗତ ଦୁଇ ଦଶକ ଧରି ଦଳ ତୃଣମୂଳ ସ୍ତରରେ ଅସାଧାରଣ ବିକାଶ ଦେଖିଛି। ଜାତି, ଅଞ୍ଚଳ, ପରିବାରବାଦ ଭଳି ସୀମିତ କାର୍ଯ୍ୟସୂଚୀକୁ ପଛକୁ ଠେଲି, ଦଳ ଦେଶର ରାଜନୀତିରେ ବିକାଶ ଓ ଉନ୍ନତିକୁ ମୁଖ୍ୟ କାର୍ଯ୍ୟସୂଚୀ ଭାବେ ସ୍ଥାପିତ କରିପାରିଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ନୂତନ ଆତ୍ମବିଶ୍ୱାସ ଓ ବିଶ୍ୱସ୍ତରୀୟ ପରିଚୟ ସହିତ ନିଜକୁ ପରିବର୍ତ୍ତିତ କରିଛି। ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା, ସ୍ୱଚ୍ଛ ଭାରତ, ଉଜ୍ଜ୍ୱଳା, ପିଏମ୍ ଆବାସ, ଜଳ ଜୀବନ ମିଶନ, ଜନଧନ ଭଳି ୭୫ ରୁ ଅଧିକ ମୌଳିକ ସୁବିଧା, ସମ୍ମାନ ଓ ସୁରକ୍ଷା, ଆୟ ଓ ଆତ୍ମନିର୍ଭରଶୀଳତା ଭଳି, ଜନକଲ୍ୟାଣକାରୀ ଓ ରାଷ୍ଟ୍ରହିତକାରୀ ଯୋଜନା ମାନ ଦେଶବାସୀଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କରିଛି। ଏହା ଯୁବପିଢ଼ୀ ସହିତ ସମାଜର ସମସ୍ତ ଶ୍ରେଣୀଙ୍କୁ ମଧ୍ୟ ବିଜେପିର ଚିନ୍ତାଧାରା ଓ ନେତୃତ୍ୱ ଉପରେ ଆସ୍ଥା ରଖିବାକୁ ପ୍ରେରିତ କରିଛି।

error: Content is protected !!