May 20, 2026

Now Odisha

Now Odisha

୩୦ଟି ବିଜ୍ଞପ୍ତିତ ନାଗରିକ ସେବାରେ ୯୪% ସମୟସୀମା ଅନୁପାଳନ ହାସଲ କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ

Spread the love

ଭୁବନେଶ୍ୱର, ୧୯/୦୫: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ‘ଓଡ଼ିଶା ସେବା ଅଧିକାର ଆଇନ’ (ଓଆରଟିପିଏସ) ଅଧୀନରେ ନାଗରିକ ସେବା ପ୍ରଦାନର କାର୍ଯ୍ୟଦକ୍ଷତା ଓ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୀକ୍ଷାରେ ପ୍ରକାଶ ପାଇଛି ଯେ, ବିଭାଗ ଅଧୀନରେ ରହିଥିବା ୩୦ଟି ବିଜ୍ଞାପ୍ତିତ ନାଗରିକ ସେବାରେ ପ୍ରାୟ ୯୪% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି।

ରାଜ୍ୟ ସରକାରଙ୍କ “ଲୋକସେବା ଅଧିକାର – ସୁବିଧାରେ ସରକାରୀ ସେବା” ଆଦର୍ଶକୁ ଆଧାର କରି ବିଭାଗ ସହରାଞ୍ଚଳ ନାଗରିକ ସେବା ପ୍ରଦାନ ବ୍ୟବସ୍ଥାକୁ କ୍ରମାଗତ ଭାବେ ଡିଜିଟାଲ୍ ଓ ଲୋକାଭିମୁଖୀ କରିଛି। ବର୍ତ୍ତମାନ ୩୦ଟି ସେବା ମଧ୍ୟରୁ ୨୧ଟି ସେବା ସୁଯୋଗ, ସ୍ବଚ୍ଛତା ଏବଂ ସ୍ୱତନ୍ତ୍ର ଅଭିଯୋଗ ପରିଚାଳନା ପୋର୍ଟାଲ୍ ମାଧ୍ୟମରେ ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ ଅନଲାଇନ୍‌ରେ ଉପଲବ୍ଧ ହୋଇଥିବାବେଳେ, ଆଉ ୭ଟି ସେବା ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ଅନଲାଇନ୍‌ରେ ଉପଲବ୍ଧ ଅଛି। କେବଳ ୨ଟି ସେବା ବର୍ତ୍ତମାନ ଅଫଲାଇନ୍ ମୋଡ୍‌ରେ ଚାଲୁ ରହିଛି। ସେବାଗୁଡ଼ିକର ଅଧିକ ସ୍ୱଚ୍ଛ ମନିଟରିଂ ଓ ଦାୟିତ୍ୱବୋଧ ସୁନିଶ୍ଚିତ କରିବା ପାଇଁ ସେଣ୍ଟର ଫର୍ ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ ମାଧ୍ୟମରେ ବିକଶିତ ହେଉଥିବା ୭ଟି ଡ୍ୟାସବୋର୍ଡର ବ୍ୟବହାରକାରୀଙ୍କ ଦ୍ଵାରା ଗ୍ରହଣୀୟ ପରୀକ୍ଷଣ ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।

୧ ଏପ୍ରିଲ୍ ୨୦୨୪ ରୁ ୨୭ ଏପ୍ରିଲ୍ ୨୦୨୬ ମଧ୍ୟରେ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସମୁଦାୟ ୬,୫୯,୧୦୨ଟି ଆବେଦନ ଗ୍ରହଣ କରାଯାଇଥିଲା। ଏହା ପ୍ରଯୁକ୍ତିବିଦ୍ୟା ଆଧାରିତ ନାଗରିକ ସେବା ପ୍ରତି ସାଧାରଣ ଲୋକଙ୍କ ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି। ଏଥିମଧ୍ୟରୁ ୬,୦୭,୯୬୦ଟି ଆବେଦନ ନିର୍ଦ୍ଧାରିତ ‘ସର୍ଭିସ୍ ଲେଭଲ୍ ଏଗ୍ରିମେଣ୍ଟ’ (ଏସଏଲଆ) ସମୟସୀମା ମଧ୍ୟରେ ସମାଧାନ କରାଯାଇଥିବାବେଳେ ୧୦,୯୧୬ଟି ଆବେଦନ ବର୍ତ୍ତମାନ ପ୍ରକ୍ରିୟାଧୀନ ଥିଲେ ମଧ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରହିଛି।

ସେବାଭିତ୍ତିକ କାର୍ଯ୍ୟଦକ୍ଷତା ମଧ୍ୟରେ ବ୍ୟବସାୟିକ ଲାଇସେନ୍ସ ସେବାରେ ୫୭,୭୧୫ଟି ଆବେଦନର ଶତପ୍ରତିଶତ ସମୟାନୁବର୍ତ୍ତୀ ସମାଧାନ ସହ ଶୂନ୍ୟ ପେଣ୍ଡିଂ ରେକର୍ଡ କରାଯାଇଛି। ସ୍ୱେରେଜ୍ ସଂଯୋଗ ସେବାରେ ୯୮% ଏବଂ ଜଳ ଓ ସ୍ୱେରେଜ୍ ସଂଯୋଗ ସେବାରେ ୯୬% ସମୟସୀମା ଅନୁପାଳନ ହୋଇଛି। ଜଳ ଓ ସ୍ୱେରେଜ୍ ସଂଯୋଗ ସେବାରେ ସର୍ବାଧିକ ୫,୦୨,୫୫୫ଟି ଆବେଦନ ଗ୍ରହଣ କରାଯାଇଥିଲା। ସମ୍ପତ୍ତି କର ନୂତନ ଆକଳନ ସେବାରେ ୯୬% ଏବଂ ସମ୍ପତ୍ତି କର ମାଲିକାନା ବଦଳ ସେବାରେ ୭୬% ସମୟାନୁବର୍ତ୍ତୀ ସମାଧାନ ହୋଇଛି। ବିବାହ ପ୍ରମାଣପତ୍ର ସେବାରେ ୫୩% ଆବେଦନ ସମୟସୀମା ମଧ୍ୟରେ ସମାଧାନ ହୋଇଥିବାବେଳେ ୪୬% ଆବେଦନ ନିର୍ଦ୍ଧାରିତ ସମୟ ପରେ ସମାଧାନ ହୋଇଥିବା ଜଣାପଡ଼ିଛି।

error: Content is protected !!