July 8, 2026

Now Odisha

Now Odisha

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

Spread the love

ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ବଡ଼ଗଡ଼ ଥାନା ଅନ୍ତର୍ଗତ ମଇଁଷିଖାଲ ବସ୍ତି ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଭିଯୁକ୍ତମାନେ ଘରର କବାଟ ନ ଖୋଲିବାରୁ ଅବକାରୀ ଅଧିକାରୀମାନେ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ପରେ ବାପ–ପୁଅଙ୍କୁ କାବୁ କରି ଗିରଫ କରାଯାଇଥିଲା।

ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହି ନିଶାଦ୍ରବ୍ୟ ଚାଲାଣରେ ବ୍ୟବହୃତ ହେଉଥିବା ଏକ ଦାମୀ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ପରିମାଣ ଓ ବଜାର ମୂଲ୍ୟ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି।

ଅବକାରୀ ବିଭାଗ ପକ୍ଷରୁ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି। ବ୍ରାଉନସୁଗାର କେଉଁଠାରୁ ଆସୁଥିଲା, କାହା ପାଖକୁ ଚାଲାଣ ହେଉଥିଲା ଏବଂ ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି। ଏହି ଘଟଣାରେ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।

error: Content is protected !!