July 10, 2026

Now Odisha

Now Odisha

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

Spread the love

କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିଥିବା ପଦଯାତ୍ରା ଓ ଆନ୍ଦୋଳନକୁ ନେଇ ଶାସକ ଭାଜପା ଏବଂ ବିରୋଧୀ ବିଜେଡି ମଧ୍ୟରେ ରାଜନୈତିକ ବାଦବିବାଦ ତେଜିବାରେ ଲାଗିଛି। ଏହି ଆନ୍ଦୋଳନ କୌଣସି ବିରୋଧୀ ଦଳ ପକ୍ଷରୁ କରାଯାଉନାହିଁ, ବରଂ ଖୋଦ୍ ଭାଜପାର ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟ ଯଜ୍ଞ ପ୍ରସାଦ ସାହୁଙ୍କ ନେତୃତ୍ୱରେ ହେଉଛି। ଏହି ପ୍ରସଙ୍ଗରେ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି ଭାଜପା ସରକାର ଓ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି।

ବିଧାୟକ ଶ୍ରୀ ସେଠି କହିଛନ୍ତି ଯେ, କେନ୍ଦୁଝର ପୋଲିସ ଓ ପ୍ରଶାସନ ସମସ୍ତ ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ଦକ୍ଷତାର ସହ କାମ କରୁଛି ଏବଂ ପୋଲିସର ‘ଅପରେସନ ବୈତରଣୀ’ ମଧ୍ୟ ସଫଳତାର ସହ ଆଗକୁ ବଢ଼ୁଛି। ମାତ୍ର ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିବା ବେଳେ, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲାରେ ଭାଜପା କର୍ମୀ ଯଜ୍ଞ ପ୍ରସାଦଙ୍କ ଏହି ଆନ୍ଦୋଳନ ଭାଜପା ଦଳର ଆଭ୍ୟନ୍ତରୀଣ ଦୟନୀୟ ସ୍ଥିତିକୁ ପଦାରେ ପକାଇଛି। ନିଜ ଦଳର ଲୋକ ହିଁ ନିଜ ଜିଲାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ସହ ସରକାର, ପୋଲିସ ଓ ପ୍ରଶାସନକୁ ଟାର୍ଗେଟ୍ କରୁଛନ୍ତି। ଏହି ଆନ୍ଦୋଳନରେ କଂଗ୍ରେସ ସମର୍ଥକ, ଭୀମ ଆର୍ମି ସଦସ୍ୟ ଏବଂ ବାଲି ବେପାରୀମାନେ ସାମିଲ ଥିବାରୁ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ଭୟଙ୍କର ଷଡ଼ଯନ୍ତ୍ର ଚାଲିଥିବା ସ୍ପଷ୍ଟ ଜଣାପଡ଼ୁଛି। ଏପରିକି ବୈତରଣୀ ପାଣି କମ୍ପାନୀ ନେଇଯିବ କହି ପାଟଣାରେ ପ୍ରତିଷ୍ଠା ହେବାକୁ ଥିବା ବୃହତ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ଲୋକଙ୍କୁ ଭଡ଼କାଇବା ପାଇଁ ଚେଷ୍ଟା କରାଯାଉଛି।

ଯଜ୍ଞ ପ୍ରସାଦ ସାହୁ ଓ ତାଙ୍କ ପରିବାରର ରାଜନୈତିକ ପୃଷ୍ଠଭୂମି ଉପରେ ପ୍ରଶ୍ନ ଉଠାଇ ବିଧାୟକ କହିଛନ୍ତି ଯେ, ଗତ ନିର୍ବାଚନରେ ଯଜ୍ଞଙ୍କ ପୁରା ପରିବାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପାଇଁ ‘ଅଟୋ’ ଚିହ୍ନରେ ପ୍ରଚାର କରୁଥିଲେ। ପୂର୍ବରୁ ତାଙ୍କ ବାପା ଭଗବାନ ସାହୁ ମଧ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ, ଯାହା ଯୋଗୁଁ ଘସିପୁରା ନିର୍ବାଚନ ମଣ୍ଡଳୀରେ ଭାଜପା ଆଗକୁ ବଢ଼ିପାରୁନାହିଁ। ଦଳୀୟ ଶୃଙ୍ଖଳା ଜଳାଞ୍ଜଳି ଦେଇ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ଓ ପବ୍ଲିକ ଆଟେନସନ ପାଇଁ ଏହି ଡ୍ରାମା କରାଯାଉଛି। ଭଗବାନ ସାହୁ ରାଜ୍ୟ ଭାଜପା ସଭାପତିଙ୍କର ଏକାନ୍ତ ଅନୁଗତ ହୋଇଥିବା ବେଳେ ତାଙ୍କର ବଡ଼ପୁଅ ବିଭୁ ପ୍ରସାଦ ସବୁବେଳେ ରାଜ୍ୟ ସଭାପତିଙ୍କ ସହ ରହୁଛନ୍ତି। ତେଣୁ ଏହି ସମ୍ପୂର୍ଣ୍ଣ ଆନ୍ଦୋଳନ ନିଜ ବସ୍‌ଙ୍କୁ ଖୁସି କରି ଆଗାମୀ ଦିନରେ ନେତା ହେବାର ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିଜେଡି ବିଧାୟକ ଅଭିମନ୍ୟୁ ସେଠି ପ୍ରକାଶ କରିଛନ୍ତି।

error: Content is protected !!