September 11, 2026

Now Odisha

Now Odisha

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

Spread the love

ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଘଟିଥିବା ବେଳେ ଜଣେ ‘ଇନଷ୍ଟା ଆଶିକ୍’ଙ୍କ ଏହି ହାଇଭୋଲଟେଜ୍ ଡ୍ରାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବକ ଇନଷ୍ଟାଗ୍ରାମରେ ଜଣେ କଲେଜ ଛାତ୍ରୀଙ୍କ ପଛରେ ପଡ଼ିଥିଲା। ଦିନରାତି ଚାଟିଂ କରିବା ସହ ନିଜକୁ ବଡ଼ ପ୍ରେମିକ ଦେଖାଇବା ପାଇଁ ଗତ ୩ ଦିନ ତଳେ ଛାତ୍ରୀଙ୍କ ସହପାଠୀଙ୍କ ହାତରେ ଏକ ଉପହାର ମଧ୍ୟ ପଠାଇଥିଲେ। କିନ୍ତୁ ଛାତ୍ରୀ ଜଣକ ସେହି ଉପହାରକୁ ନ ନେଇ ଫେରାଇ ଦେଇଥିଲେ। ଏତିକିରେ ନ ଥମି, ସେ ଇନଷ୍ଟାଗ୍ରାମରେ ଯୁବକଜଣଙ୍କୁ ବ୍ଲକ୍ କରିଦେବା ସହ  କଥାବାର୍ତ୍ତା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ।

ପ୍ରେମ ପ୍ରସ୍ତାବ ପ୍ରତ୍ୟାଖ୍ୟାତ ହେବା ପରେ ଯୁବକଜଣକ ନିଜର ଅସଲ ଚେହେରା ଦେଖାଇଥିଲେ। ଇନଷ୍ଟାରେ କଥା ହୋଇ ନ ପାରିବାରୁ ସେ ପ୍ରତିଶୋଧ ପରାୟଣ ହୋଇ କଲେଜ ଯିବା ରାସ୍ତାରେ ଛାତ୍ରୀଙ୍କୁ ଜଗି ରହିଥିଲେ। ବୁଧବାର ଛାତ୍ରୀ ଜଣକ ଏକୁଟିଆ କଲେଜ ଯାଉଥିବା ସୁଯୋଗ ନେଇ ଯୁବକଜଣକ ତାଙ୍କ ବାଟ ଓଗାଳିଥିଲେ। ସେଠାରେ ଗାଳିଗୁଲଜ କରିବା ସହ ଛାତ୍ରୀଙ୍କ ଉପରକୁ ଆକ୍ରମଣ କରି ପିଟାପିଟି କରିଥିଲେ।

ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡରେ ଭୟଭୀତ ହୋଇ ଛାତ୍ରୀ ଜଣକ ଚିତ୍କାର କରିବା ସହ ନିଜ ଜୀବନ ବଞ୍ଚାଇବାକୁ ଘରକୁ ଦୌଡ଼ି ପଳାଇଥିଲେ। ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନଥିବା ନନ୍ଦିପଦା ଏବଂ ସୋସୋ ପୋଲିସ ତରଫରୁ ସୂଚନା ମିଳିଛି।

error: Content is protected !!