September 18, 2026

Now Odisha

Now Odisha

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ

Spread the love

ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬’ ଅନୁଯାୟୀ ପାସପୋର୍ଟ ଆବେଦନ ଫି’ ଏବଂ ବୈଧତା ସମ୍ପର୍କିତ ନିୟମରେ ପରିବର୍ତ୍ତନ ହୋଇଛି। ସେପ୍ଟେମ୍ବର ୧୫ରେ ଏହି ନୂଆ ନିୟମ ସରକାରୀ ଗେଜେଟ୍‌ରେ ପ୍ରକାଶ ପାଇବା ସହ ଲାଗୁ ହୋଇଥିବା କୁହାଯାଇଛି । ସାଧାରଣ, ତତ୍କାଳ ଏବଂ ପିସିସି (Police Clearance Certificate) ସମେତ ବିଭିନ୍ନ ପାସପୋର୍ଟ ସେବାର ଫି’ରେ ପରିବର୍ତ୍ତନ କରାଯାଇଛି।

ନୂଆ ନିୟମ ଅନୁଯାୟୀ, ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଦିଆଯାଉଥିବା ୩୬ ପୃଷ୍ଠାର ସାଧାରଣ ପାସପୋର୍ଟର ବୈଧତା ୫ ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ପିଲା ୧୮ ବର୍ଷ ବୟସରେ ପହଞ୍ଚିବା ପୂର୍ବରୁ ଯଦି ଏହି ୫ ବର୍ଷର ଅବଧି ଶେଷ ହୁଏ, ତେବେ ସେହି ଅବଧିକୁ ହିଁ ବୈଧତା ଭାବେ ଧରାଯିବ। ଅର୍ଥାତ୍‌ ୫ ବର୍ଷ କିମ୍ବା ୧୮ ବର୍ଷ ବୟସ—ଯେଉଁଟି ପ୍ରଥମେ ଆସିବ, ସେହି ଅନୁଯାୟୀ ପାସପୋର୍ଟର ବୈଧତା ରହିବ।

ନୂଆ ନିୟମରେ ବୟସ୍କଙ୍କ ସାଧାରଣ ୩୬ ପୃଷ୍ଠାର ପାସପୋର୍ଟ ପାଇଁ ପୂର୍ବରୁ ୧,୫୦୦ ଟଙ୍କା ଫି’ ଦେବାକୁ ପଡ଼ୁଥିବା ବେଳେ ଏବେ ୨,୫୦୦ ଟଙ୍କା ଦେବାକୁ ପଡ଼ିବ। ୬୦ ପୃଷ୍ଠାର ସାଧାରଣ ପାସପୋର୍ଟର ଫି’ ୨,୦୦୦ରୁ ବଢ଼ି ୩,୫୦୦ ଟଙ୍କା ହୋଇଛି। ସେହିପରି ୩୬ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ଫି’ ୩,୫୦୦ରୁ ବଢ଼ି ୫,୦୦୦ ଟଙ୍କା ହୋଇଛି । ୬୦ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ଏବେ ୬,୦୦୦ ଟଙ୍କା ଦେବାକୁ ପଡ଼ିବ, ଯାହା ପୂର୍ବରୁ ୪,୦୦୦ ଟଙ୍କା ଥିଲା। ୬୦ ପୃଷ୍ଠାର ପାସପୋର୍ଟ ହଜିଯିବା କିମ୍ବା ନଷ୍ଟ ହୋଇଯିବା ପରେ ତତ୍କାଳ ପରିବର୍ତ୍ତୀ ପାସପୋର୍ଟ ପାଇଁ ମଧ୍ୟ ଫି’ ବଢ଼ିଛି । ପୂର୍ବରୁ ଏଥିପାଇଁ ୫,୫୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ୮,୫୦୦ ଟଙ୍କା ଦେବାକୁ ପଡ଼ିବ ।

ନାବାଳକଙ୍କ ୩୬ ପୃଷ୍ଠାର ନର୍ମାଲ୍‌ ଫ୍ରେଶ୍‌ କିମ୍ବା ରି-ଇସ୍ୟୁ ପାସପୋର୍ଟର ଫି’ ୧,୦୦୦ ଟଙ୍କାରୁ ବଢ଼ି ୧,୭୫୦ ଟଙ୍କା ହୋଇଛି । ୩୬ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ଏବେ ୩,୦୦୦ ଟଙ୍କା ଦେବାକୁ ପଡ଼ିବ । ତେବେ ୮ ବର୍ଷରୁ କମ୍‌ ବୟସର ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ନୂଆ (Fresh) ପାସପୋର୍ଟ କରାଇବା ସମୟରେ ୧୦ ପ୍ରତିଶତ ରିହାତି ମିଳିବ। ଏହି ରିହାତି କେବଳ ଫ୍ରେଶ୍‌ ପାସପୋର୍ଟ ପାଇଁ ଲାଗୁ ହେବ ।

error: Content is protected !!