September 19, 2026

Now Odisha

Now Odisha

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

Spread the love

ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ଶୀର୍ଷରେ ପହଞ୍ଚି ସାରିଥିବାରୁ ବନ୍ୟା ନିୟନ୍ତ୍ରଣ ଓ ଜଳାଶୟର ସୁରକ୍ଷା ଦୃଷ୍ଟିରୁ ଜଳସେଚନ ବିଭାଗ ପକ୍ଷରୁ ଗେଟ୍ ଖୋଲି ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଏହି ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫୁଲବାଣୀ ପିଲାସାଲୁଙ୍କି ଜଳସେଚନ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ହାଇ-ଅଲର୍ଟ ବା ସତର୍କ ସୂଚନା ଜାରି କରାଯାଇଛି। ଜଳଭଣ୍ଡାରର ତଳମୁଣ୍ଡ ଓ ନଦୀକୂଳିଆ ଗ୍ରାମଗୁଡ଼ିକରେ ବନ୍ୟା ଜଳ ପଶିବା ସମ୍ଭାବନା ଥିବାରୁ ସ୍ଥାନୀୟ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ଜରୁରୀ ନିର୍ଦ୍ଦେଶ ଦିଆଯାଇଛି।

ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ଜରୁରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ନଦୀ ଅବବାହିକା, ନାଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଆବଶ୍ୟକ ନଥିଲେ ନଦୀକୂଳକୁ ନ ଯିବା ସହ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବେ। ଜଳସ୍ତର ହଠାତ୍ ବୃଦ୍ଧି ପାଉଥିବାରୁ କୌଣସି ବି ପରିସ୍ଥିତିରେ ଗୃହପାଳିତ ପଶୁଙ୍କୁ ନଦୀ, ନାଳ କିମ୍ବା ପାଣିସ୍ରୋତ ନିକଟକୁ ନ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ବନ୍ୟା ଓ ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ଟିମ୍‌କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରାଯାଇଛି।

ସମ୍ଭାବ୍ୟ ବନ୍ୟା ବିପଦ ଓ ଧନଜୀବନ ସୁରକ୍ଷାକୁ ଆଗଧାଡ଼ିରେ ରଖି ପିଲାସାଲୁଙ୍କି ଜଳସେଚନ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନମ୍ବର ୪୪ ମାଧ୍ୟମରେ ଏହି ସୂଚନାପତ୍ର ଜାରି କରାଯାଇଛି। ଏହାର ଏକ ନକଲ କନ୍ଧମାଳ ଜିଲାପାଳ, ଅତିରିକ୍ତ ଜିଲାପାଳ, ଖଜୁରୀପଡ଼ା ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ ଏବଂ ସମ୍ପୃକ୍ତ ପ୍ରଭାବିତ ପଞ୍ଚାୟତଗୁଡ଼ିକର ସରପଞ୍ଚମାନଙ୍କୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପଠାଯାଇଛି। ସୂଚନା ପାଇବା ପରେ ଖଜୁରୀପଡ଼ା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇ ସମ୍ପୂର୍ଣ୍ଣ ସଜାଗ ରହିଥିବା ଜଣାପଡ଼ିଛି।

error: Content is protected !!