ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଦିଲ୍ଲୀରୁ ଫେରିବା ପରେ ମୃତକମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବା ଲାଗି ଘୋଷଣା ହୋଇଛି। ତେବେ ମଧ୍ୟପ୍ରଦେଶର ଆଗର-ମାଲୱା ଜିଲା ନଲଖେଡ଼ା ସ୍ଥିତ ପ୍ରସିଦ୍ଧ ମା’ ବାଗଲାମୁଖୀ ମନ୍ଦିର ନିକଟରେ ଘଟିଥିବା ଏହି ଅଭାବନୀୟ ଘଟଣା ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଏହି ପରିବାର ଗତ ସେପ୍ଟେମ୍ବର ୧୬ ତାରିଖରେ ଉଜ୍ଜୟିନୀ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ମା’ ବାଗଲାମୁଖୀ ମନ୍ଦିର ଆଡ଼କୁ ଯାଉଥିବା ସମୟରେ, ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପ୍ରବାହିତ ହେଉଥିବା ଏକ ଜଳସ୍ରୋତକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ବେଳେ ଗାଡ଼ିଟି ହଠାତ ଭାସି ଯାଇଥିଲା। ଏହି ଦୁର୍ଘଟଣାରେ କାର୍ରେ ଥିବା ଓଡ଼ିଶାର ୭ ଜଣ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଓଡ଼ିଆଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି, ଯେଉଁମାନଙ୍କ ପରିଚୟ ଶିବପ୍ରସାଦ ବେହେରା, ରୋଜାଲିନ ବେହେରା, ରୀତାରାଣୀ ବେହେରା, ଜ୍ଞାନେନ୍ଦ୍ର ବେହେରା, ସାଈ ସ୍ବର୍ଣ୍ଣପ୍ରଭା ବେହେରା, କୃଷ୍ଣା ରାଜବୀର ଏବଂ ସାଈ ସ୍ବସ୍ତିକ ବେହେରା ଭାବେ ଚିହ୍ନଟ କରାଯାଇଛି।
ଏହି ଦୁଃଖଦ ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ’ଓଡ଼ିଶା ପରିବାର’ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟପ୍ରଦେଶ ପ୍ରଶାସନ ସହ ଯୋଗାଯୋଗ କରି ମୃତଦେହଗୁଡ଼ିକୁ ସମ୍ମାନର ସହ ଓଡ଼ିଶା ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ’ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ’ରୁ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର