September 22, 2026

Now Odisha

Now Odisha

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

Spread the love

ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୨୧୬ ରନ୍‌ର ବଡ଼ ସ୍କୋର କରିଥିଲା। ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୭୯, ରିଚା ଘୋଷ ଅପରାଜିତ ୪୯ ଏବଂ ଶେଫାଳୀ ବର୍ମା ୪୮ ରନ୍‌ର ଦମଦାର ଇନିଂସ ଖେଳିଥିଲେ।

ଭାରତୀୟ ଓପନିଂ ଯୋଡ଼ି ଶେଫାଳୀ ଓ ସ୍ମୃତି ପ୍ରଥମ ୱିକେଟ୍‌ ପାଇଁ ୯୯ ରନ୍ ଯୋଡ଼ିଥିଲେ । ଶେଫାଳୀ ମାତ୍ର ୨ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ସେ ୨୯ ବଲ୍‌ରୁ ୩ ଛକା ଓ ୩ ଚୌକା ସହ ୪୮ ରନ୍ କରିଥିଲେ। ଅନ୍ୟପଟେ ସ୍ମୃତି ମନ୍ଧାନା ୪୫ ବଲ୍‌ରେ ୭୯ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ । ତାଙ୍କ ଇନିଂସରେ ୭ଟି ଛକା ଓ ୫ଟି ଚୌକା ସାମିଲ ଥିଲା। ଏହି ଇନିଂସ ସମୟରେ ସେ ୧୧ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଥିଲେ।

ସ୍ମୃତିଙ୍କ ଆଉଟ୍ ପରେ ଭାରତ ୨୦୦ ରନ୍‌ ପାର କରିବ କି ନାହିଁ ନେଇ ଆଶଙ୍କା ଥିଲା। ତେବେ ରିଚା ଘୋଷଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ୨୧୬ ରନ୍‌ରେ ପହଞ୍ଚାଇଥିଲା। ରିଚା ୨୨ ବଲ୍‌ରେ ୩ ଛକା ଓ ୬ ଚୌକା ସହ ଅପରାଜିତ ୪୯ ରନ୍ କରିଥିଲେ। ଶେଷ ଓଭରରେ ଭାରତ ୨୫ ରନ୍ ସଂଗ୍ରହ କରିଥିଲା। ୨୧୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ଇନିଂସ ଆରମ୍ଭ କରିଥିଲା। ଅଧିନାୟକ ଚମାରୀ ଆଟାପାଟ୍ଟୁ ଓ ଇମେଶା ଦୁଲାନି ପ୍ରଥମ ୱିକେଟ୍‌ ପାଇଁ ମାତ୍ର ୧୮ ରନ୍ ଯୋଡ଼ିଥିଲେ।

ବ୍ୟାଟ୍‌ରେ ଚମକିଥିବା ଶେଫାଳୀ ବଲିଂରେ ମଧ୍ୟ କମାଲ କରିଥିଲେ । ପାୱାରପ୍ଲେରେ ସେ ଇମେଶା ଦୁଲାନି ଓ ହସିନୀ ପେରେରାଙ୍କୁ ଆଉଟ୍ କରିଥିଲେ। ପରେ ଦୀପ୍ତି ଶର୍ମା ଚମାରୀ ଆଟାପାଟ୍ଟୁଙ୍କୁ ଆଉଟ୍ କରିଥିଲେ। ଆଟାପାଟ୍ଟୁ ୨୧ ବଲ୍‌ରେ ୫ ଚୌକା ସହ ୨୧ ରନ୍ କରିଥିଲେ। ଏହାପରେ ଶ୍ରେୟଙ୍କା ପାଟିଲ ହର୍ଷିତା ମାଧବୀଙ୍କୁ ଆଉଟ୍ କରିଥିଲେ। ୪୯ ରନ୍‌ରେ ଶ୍ରୀଲଙ୍କା ହଂସିମା କରୁଣାରତ୍ନେ ଓ କବିଶା ଦିଲହାରୀଙ୍କ ୱିକେଟ୍‌ ହରାଇଥିଲା। ଦୀପ୍ତି ଶର୍ମା କବିଶାଙ୍କୁ ଆଉଟ୍ କରିଥିଲେ।

ଶେଷରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଆଗରେ ଶ୍ରୀଲଙ୍କା ଦଳ ବଡ଼ ଲକ୍ଷ୍ୟ ହାସଲ କରିପାରିନଥିଲା। ୧୪୭ ରନ୍‌ର ବିଜୟ ସହ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏସିଆନ୍ ଗେମ୍ସ ୨୦୨୬ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି।

error: Content is protected !!