ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ସାହ ଓ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି।
ନିର୍ବାଚନ ଘୋଷଣା ଖବର ପ୍ରଚାରିତ ହେବା ପରେ ସୋମବାର ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରମାନେ ପରସ୍ପରକୁ ମିଠା ଖୁଆଇବା ସହ ବାଣ ଫୁଟାଇ ଓ ବାଜା ବଜାଇ ଖୁସି ମନାଇଥିଲେ।
ଗତ କିଛି ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିବାରୁ ବିଭିନ୍ନ କ୍ୟାମ୍ପସରେ ଛାତ୍ର ନେତୃତ୍ୱ ଗଠନ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା। ଏବେ ପୁଣି ନିର୍ବାଚନ ଘୋଷଣା ହେବା ଫଳରେ ଛାତ୍ରୀଛାତ୍ରମାନେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ସହ କ୍ୟାମ୍ପସର ବିଭିନ୍ନ ସମସ୍ୟାକୁ ସରକାର ଓ ପ୍ରଶାସନଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଇବେ ବୋଲି ମତ ପ୍ରକାଶ ପାଇଛି। ଛାତ୍ର ସଂସଦ ନିର୍ବାଚନ ପୁନଃ ଆରମ୍ଭ ନିଷ୍ପତ୍ତି ପାଇଁ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଛାତ୍ରନେତାମାନଙ୍କ ମତରେ, ସରକାରଙ୍କ ଏହି ପଦକ୍ଷେପ ଯୁବପିଢ଼ି ମଧ୍ୟରେ ନେତୃତ୍ୱର ମନୋଭାବ ବିକଶିତ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବ। ଦୀର୍ଘ ବର୍ଷ ପରେ ର୍ନିବାଚନ ହେବାକୁ ଥିବାରୁ ବିଶ୍ୱବିଦ୍ୟାଳୟ ପରିସରରେ ଏବେଠାରୁ ଛାତ୍ର ରାଜନୀତିକୁ ନେଇ ଚର୍ଚ୍ଚା ଓ ଉତ୍ସାହ ବଢ଼ିଛି।

More Stories
ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ
ପାଣିପାଗ ବିଭାଗର ବଡ଼ ସୂଚନା, ଆସନ୍ତା ୪ ଦିନ ଯାଏ ଏହି ଜିଲାରେ କଲବଲ କରିବ ତାତି
ପରୀକ୍ଷାଗାରରୁ ବାହାରିଲା ‘କରୋନା ଭାଇରସ’ର ଭାଇ, ରୁଷିଆରେ ୱୁହାନ ଭଳି ଘଟଣାର ପୁନରାବୃତ୍ତି!