October 5, 2026

Now Odisha

Now Odisha

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

Spread the love

ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ଆଗାମୀ ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ସେ ମୁମ୍ବାଇ ପାଇଁ ଉପଲବ୍ଧ ରହିବେ। ଅକ୍ଟୋବର ୧୧ରୁ ୱାନଖେଡେ ଷ୍ଟାଡିୟମରେ ଚଣ୍ଡୀଗଡ଼ ବିପକ୍ଷରେ ମୁମ୍ବାଇର ପ୍ରଥମ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଖେଳୁଥିବା ଦେଖିବାକୁ ମିଳିପାରେ। ସୂର୍ଯ୍ୟକୁମାର ଯାଦବ ନିଜେ ମୁମ୍ବାଇ କ୍ରିକେଟ ଆସୋସିଏସନ୍‌ର ଅଧ୍ୟକ୍ଷ ଅଜିଙ୍କ୍ୟ ନାଏକଙ୍କ ସହ ଯୋଗାଯୋଗ କରି ଆଗାମୀ ରଣଜୀ ସିଜନରେ ନିଜ ଉପଲବ୍ଧତା ବିଷୟରେ ଜଣାଇଛନ୍ତି।

ସୂର୍ଯ୍ୟକୁମାର ଶେଷ ଥର ପାଇଁ ଆଇପିଏଲ ୨୦୨୬ରେ ପ୍ରଫେସନାଲ କ୍ରିକେଟ ଖେଳିଥିଲେ। ରେଡ-ବଲ କ୍ରିକେଟ୍‌ରେ ସେ ଶେଷ ଥର ଫେବୃଆରୀ ୨୦୨୫ରେ ନାଗପୁରରେ ବିଦର୍ଭ ବିପକ୍ଷରେ ମୁମ୍ବାଇ ଜର୍ସିରେ ନଜର ଆସିଥିଲେ। ଫାର୍ଷ୍ଟ କ୍ଲାସ କ୍ରିକେଟ୍‌ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ମଧ୍ୟ ଚମତ୍କାର ରହିଛି। ସେ ୮୬ଟି ମ୍ୟାଚ୍‌ର ୧୪୪ଟି ଇନିଂସରେ ୪୨.୩୩ ହାରରେ ୫୭୫୮ ରନ କରିଛନ୍ତି। ଏଥିରେ ୧୪ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି।
୨୦୨୬ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ କରିଥିଲା ଚୟନ କମିଟି। ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଟି-୨୦ ଅଧିନାୟକ ପଦ ହଟାଇ ଶ୍ରେୟସ ଆୟରଙ୍କୁ ନୂଆ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଫର୍ମରେ ଅବନତିକୁ ଦର୍ଶାଇ ଚୟନକର୍ତ୍ତାମାନେ ଆୟରଲାଣ୍ଡ, ଇଂଲଣ୍ଡ, ଜିମ୍ବାୱେ, ଆଫଗାନିସ୍ତାନ ଏବଂ ଏସିଆନ ଗେମ୍ସ ଦଳରୁ ମଧ୍ୟ ତାଙ୍କୁ ବାଦ ଦେଇଥିବା ଖବର ଆସିଛି। ଏବେ ଘରୋଇ ରେଡ-ବଲ କ୍ରିକେଟ୍‌ରେ ବଡ଼ ଇନିଂସ ଖେଳି ପୁଣିଥରେ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସୂର୍ଯ୍ୟକୁମାରଙ୍କ ଲକ୍ଷ୍ୟ ହୋଇପାରେ।

ଅନ୍ୟପଟେ ରଣଜୀ ସିଜନ ଆରମ୍ଭ ପୂର୍ବରୁ ମୁମ୍ବାଇ ଦଳକୁ ବଡ଼ ଝଟକା ଲାଗିଛି। ଅଭିଜ୍ଞ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ଶାର୍ଦ୍ଦୁଳ ଠାକୁର ହାତରେ ଆଘାତ ଯୋଗୁଁ ପ୍ରାରମ୍ଭିକ କିଛି ମ୍ୟାଚ୍ରୁ ବାଦ ପଡ଼ିଛନ୍ତି। ପ୍ରାକ୍ଟିସ ସେସନ୍‌ରେ ବ୍ୟାଟର ଆୟୁଷ ମାହାତ୍ରେଙ୍କ ଏକ ଜୋରଦାର ଶଟ ସିଧା ଶାର୍ଦ୍ଦୁଳଙ୍କ ହାତରେ ବାଜିବାରୁ ସେ ଆହତ ହୋଇଥିଲେ। ଫଳରେ ମୁମ୍ବାଇ ଦଳକୁ ସିଜନର ଆରମ୍ଭରୁ ଏକ ବଡ଼ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।

ଏବେ ସମସ୍ତଙ୍କ ନଜର ସୂର୍ଯ୍ୟକୁମାରଙ୍କ ଉପରେ। ରଣଜୀ ଟ୍ରଫିରେ ନିଜ ପୁରୁଣା ଲୟକୁ ଫେରିପାରିଲେ, ତାହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପାଇଁ ମଧ୍ୟ ଏକ ବଡ଼ ସଙ୍କେତ ହୋଇପାରେ।

error: Content is protected !!