October 5, 2026

Now Odisha

Now Odisha

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

Spread the love

ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ୨ କେନ୍ଦ୍ରମନ୍ତ୍ରୀଙ୍କୁ ଏଥର ଟିକେଟ ମିଳିନାହିଁ। ଏହାପରେ ମନ୍ତ୍ରିମଣ୍ଡଳରେ ସମ୍ଭାବ୍ୟ ଅଦଳବଦଳକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ତେଜ ହୋଇଛି।
କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମାଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ୨୫ ନଭେମ୍ବର ୨୦୨୬ରେ ଶେଷ ହେବାକୁ ଯାଉଛି। ଭାଜପାର ନୂଆ ପ୍ରାର୍ଥୀ ତାଲିକାରେ ଉଭୟଙ୍କ ନାମ ନଥିବାରୁ ସେମାନଙ୍କ ମନ୍ତ୍ରୀପଦ ନେଇ ପ୍ରଶ୍ନ ଉଠିଛି। ସାଧାରଣତଃ ଜଣେ କେନ୍ଦ୍ରମନ୍ତ୍ରୀ ସଂସଦର କୌଣସି ଏକ ଗୃହର ସଦସ୍ୟ ହେବା ଆବଶ୍ୟକ। ତେଣୁ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହେବା ପରେ ଯଦି ତାଙ୍କୁ ପୁଣି ରାଜ୍ୟ ସଭା କିମ୍ବା ଲୋକ ସଭାକୁ ପଠାଯାଏ ନାହିଁ, ତେବେ ମନ୍ତ୍ରୀପଦ ଜାରି ରଖିବା ସମ୍ଭବ ହେବ ନାହିଁ।
ହରଦୀପ ସିଂହ ପୁରୀ ୨୦୧୮ରେ ପ୍ରଥମଥର ପାଇଁ ଉତ୍ତରପ୍ରଦେଶରୁ ରାଜ୍ୟ ସଭାକୁ ଯାଇଥିଲେ। ପରେ ୨୦୨୦ରେ ସେ ପୁଣି ନିର୍ବିରୋଧ ଭାବେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ମୋଦି ସରକାରରେ ସେ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଏବଂ ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏବେ ନୂଆ ରାଜ୍ୟ ସଭା ତାଲିକାରେ ତାଙ୍କ ନାମ ନଥିବାରୁ ତାଙ୍କ ପରବର୍ତ୍ତୀ ଭୂମିକା କଣ ହେବ, ତାହାକୁ ନେଇ ଚର୍ଚ୍ଚା ଚାଲିଛି।

ମୋଦୀ କ୍ୟାବିନେଟ୍‌ରେ ଏପରି ଆଉ ଦୁଇଜଣ ମନ୍ତ୍ରୀ ଅଛନ୍ତି, ଯେଉଁମାନେ ନିଜ ରାଜ୍ୟର ଭାଜପା ସଂଗଠନର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ପଙ୍କଜ ଚୌଧୁରୀ ଉତ୍ତରପ୍ରଦେଶ ଭାଜପାର ଅଧ୍ୟକ୍ଷ ଥିବାବେଳେ ହର୍ଷ ମଲହୋତ୍ରାଙ୍କୁ ଦିଲ୍ଲୀ ଭାଜପାର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି।

ବିଜେପିର ‘ଜଣେ ବ୍ୟକ୍ତି-ଗୋଟିଏ ପଦ’ ନୀତିକୁ ଦୃଷ୍ଟିରେ ରଖି ଏହି ଦୁଇ ନେତାଙ୍କ ମନ୍ତ୍ରୀପଦ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇନାହିଁ। ତେଣୁ ରାଜ୍ୟ ସଭା ଟିକେଟ ଘୋଷଣା ପରେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନର ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ, କେଉଁ ମନ୍ତ୍ରୀଙ୍କୁ ଦାୟିତ୍ୱରୁ ହଟାଯିବ କିମ୍ବା କାହାର ବିଭାଗ ବଦଳିବ, ତାହା ନେଇ ଏବେ ଅପେକ୍ଷା କରିବାକୁ ପଡ଼ିବ।

error: Content is protected !!