ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। କୀଟନାଶକ ପିଇ ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତକ ଦ୍ୱୟ ହେଲେ ପାଟପୁର ଥାନା ପଳାଶପୁର ଗ୍ରାମର ସନ୍ତୋଷୀ ସେଠୀ (୧୮) ଏବଂ ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମର ଭଗବାନ ସେଠୀ (୧୮)।
ମିଳିଥିବା ସୂଚନା ଅନୁଯାୟୀ, ଉଭୟେ ମଙ୍ଗଳବାର ସକାଳେ ତପ୍ତପାଣି ବୁଲିବାକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ପାଳୁଖଳା ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇ ପୂର୍ବ ଯୋଜନା ମୁତାବକ କୀଟନାଶକ ପିଇ ଦେଇଥିଲେ। ଜଙ୍ଗଲ ଭିତରେ ସନ୍ତୋଷୀ ଛଟପଟ ହେଉଥିବା ବେଳେ ରାସ୍ତାକଡ଼ରେ ଭଗବାନଙ୍କୁ ଅସୁସ୍ଥ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ୧୧୨ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ବାଲିକାନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଭଗବାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ଭଗବାନଙ୍କ ସୂଚନା ଆଧାରରେ ପୋଲିସ ଜଙ୍ଗଲ ଭିତରୁ ସନ୍ତୋଷୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ମେଡିକାଲରେ ପରିବାର ଲୋକେ ପହଞ୍ଚିବା ପରେ କାନ୍ଦବୋବାଳିରେ ପରିବେଶ ଶୋକାକୁଳ ହୋଇପଡ଼ିଥିଲା।
ଏହି ସମ୍ପର୍କରେ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଦୁଇଟି ଅପମୃତ୍ୟୁ ମାମଲା (ନଂ. ୨୦/୨୬ ଏବଂ ୨୧/୨୬) ରୁଜୁ କରିଛନ୍ତି। ଭଗବାନଙ୍କ ବଡ଼ ଭଉଣୀ ଏବଂ ସନ୍ତୋଷୀଙ୍କ ମାଆଙ୍କ ଏତଲା କ୍ରମେ ଅନୁସନ୍ଧାନକାରୀ ଅଧିକାରୀ ଏସ.ଆଇ ତ୍ରିନାଥ ଭୋଇ ଓ ଏଏସଆଇ କୃଷ୍ଣଚନ୍ଦ୍ର ଦାସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି।
ପ୍ରାୟ ୨ ବର୍ଷ ତଳେ ସାନଖେମୁଣ୍ଡି ବ୍ଲକ ଅଧୀନସ୍ଥ ଏକ କଲେଜରେ +୨ ପଢ଼ୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପାଠପଢ଼ା ଶେଷ ପରେ ଭଗବାନ ଗ୍ରାମରେ ଜଣେ ମେକାନିକଙ୍କ ପାଖରେ ହେଲ୍ପର ଭାବେ ବିଦ୍ୟୁତ ଯନ୍ତ୍ରାଂଶ ମରାମତି କାମ କରୁଥିଲେ। ସେ ତାଙ୍କ ପରିବାରର ଏକମାତ୍ର ପୁଅ ଥିଲେ ଏବଂ ତାଙ୍କ ବାପା ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଅପରପକ୍ଷରେ, ସନ୍ତୋଷୀ ଘରେ ରହୁଥିଲେ ଏବଂ ତାଙ୍କ ବାପା ଭୁବନେଶ୍ୱରରେ ରାଜମିସ୍ତ୍ରୀ ଭାବେ କାମ କରନ୍ତି। ଗୋଟିଏ ବର୍ଷ ପୂର୍ବେ ମଧ୍ୟ ଭଗବାନ ଆତ୍ମହତ୍ୟା ଉଦ୍ୟମ କରି ପରିବାର ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଥିଲେ। ଏହି ଅଭାବନୀୟ ଘଟଣା ପରେ ଉଭୟ ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି।

More Stories
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଜନ୍ମଦିନ ଉପଲକ୍ଷେ ଅଖଣ୍ଡ ପ୍ରଦୀପ ପ୍ରଜ୍ୱଳନ |
ଡିଜିପି ଶ୍ରୀ ବିନୟତୋଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ନନ୍ଦିଗ୍ରାମ-ରେଜିନଗରରେ ୮୦% ମତଦାନ |