October 6, 2026

Now Odisha

Now Odisha

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, 

Spread the love

 ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ଏହି ରହସ୍ୟ ଉପରୁ ଏବେ ପରଦା ଉଠିଛି। ୫୦୦୦ ବର୍ଷ ପୁରୁଣା ଖପୁରିଗୁଡ଼ିକର ବୈଜ୍ଞାନିକ ପରୀକ୍ଷାରୁ ଏକ ଭୟଙ୍କର ସତ୍ୟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡିଛି ଯେ ରାଜାଙ୍କ ମୃତ୍ୟୁ ପରେ ତାଙ୍କ ସେବାରେ ଥିବା ଜଣେ କିମ୍ବା ଦୁଇଜଣ ନୁହେଁ ବହୁ ସଂଖ୍ୟକ ସେବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇ ପୋତିଦିଆଯାଇଥିଲା। ‘ଫ୍ରଣ୍ଟିୟର୍ସ ଇନ୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଆର୍କିଓଲୋଜି’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

କିଛି ସମୟ ପାଇଁ ଏଭଳି ବଳିଦାନ ପ୍ରଥା ନିଶ୍ଚୟ ଥିଲା। ଯିଶୁଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ ପ୍ରାୟ ୩୧୦୦ ରୁ ୨୯୦୦ ଖ୍ରୀଷ୍ଟପୂର୍ବ ମଧ୍ୟରେ, ପ୍ରଥମ ରାଜବଂଶର ଅତିକମରେ ୫ଜଣ ରାଜାଙ୍କୁ ମୃତ ସେବକମାନଙ୍କ ସହିତ ପୋତାଯାଇଥିଲା। ପ୍ରତ୍ନତତ୍ତ୍ୱବିତମାନେ ବିଶ୍ୱାସ କରନ୍ତି ଯେ ଏହା ଧାର୍ମିକ ବିଶ୍ୱାସ ଏବଂ ସମାଜରେ ନିଜର ପ୍ରଭାବ ଦେଖାଇବା ପାଇଁ କରାଯାଇଥିଲା। ରାଜାମାନେ ପରକାଳରେ ସେବା ପାଇଁ ନିଜ ସହ ସେବକମାନଙ୍କୁ ନେଉଥିଲେ ବୋଲି ବିଶ୍ୱାସ କରାଯାଉଥିଲା। ୧୯୨୦ ଦଶକରେ ପ୍ରତ୍ନତତ୍ତ୍ୱବିତ ଫ୍ଲିଣ୍ଡର୍ସ ପେଟ୍ରି ପୂର୍ବ ଇଜିପ୍ଟର ‘ଆବୋଡୋସ’ ନାମକ ଏକ ସ୍ଥାନରୁ ଅନେକ ସମାଧି ଆବିଷ୍କାର କରିଥିଲେ।

ପେଟ୍ରି ଜାଣିବାକୁ  ପାଇଲେ ଯେ ଏହି ରାଜାଙ୍କ ସମାଧି ଏବଂ ଆଖପାଖର ଶହ ଶହ ଛୋଟ ସମାଧିଗୁଡ଼ିକ ପ୍ରଥମ ରାଜବଂଶ ସମୟର ଅଟେ। ସେ ଏବଂ ତାଙ୍କ ଟିମ ଭାବିଥିଲେ ଯେ ଏହି ଅତିରିକ୍ତ ସମାଧୀଗୁଡ଼ିକରେ ମଣିଷଙ୍କୁ ବଳି ଦିଆଯାଇଥାଇପାରେ, କିନ୍ତୁ ସେତେବେଳେ କୌଣସି ପ୍ରମୁଖ ଆଘାତର ପ୍ରମାଣ ମିଳି ନଥିଲା। ଆବୋଡୋସରୁ ମିଳିଥିବା ଅନେକ ଖପୁଧି ହାଡ଼ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୦୦ ବର୍ଷ ଧରି ସାଇତି ରଖାଯାଇଥିଲା। ଇଣ୍ଡିଆନାର ପରଡ୍ୟୁ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ ରୋଜେଲିନ କ୍ୟାମ୍ପବେଲ ଅଧିକ ସଠିକ ପଦ୍ଧତି ବ୍ୟବହାର କରି ଏହି ପୁରୁଣା ଖପୁରୀ ହାଡ଼ଗୁଡ଼ିକୁ ପରୀକ୍ଷା କରିବାକୁ ସୁଯୋଗ ପାଇଥିଲେ। ସେ ଯାହାସବୁ ଦେଖିଲେ, ସେଥିମଧ୍ୟରୁ ୧୮ଟି ଖପୁରି ହାଡ଼ରେ ଗଭୀର ଆଘାତର ଚିହ୍ନ ସ୍ପଷ୍ଟ ଜଣାପଡୁଥିଲା, ଯାହାକୁ ପେଟ୍ରି ପୂର୍ବରୁ ପ୍ରାକୃତିକ କ୍ଷତ ବୋଲି ଭୁଲ ଭାବିଥିଲେ।
ଏହି ଖପୁରି ହାଡ଼ଗୁଡ଼ିକରେ ଲମ୍ବା ଲମ୍ବା ଫାଟ ରହିଛି, ଯାହା ଦ୍ୱାରା ବ୍ୟକ୍ତିଜଣକ ତୁରନ୍ତ ବେହୋଶ ହୋଇଯାଇଥିବେ, ଭିତରୁ ରକ୍ତସ୍ରାବ ହୋଇଥିବ ଏବଂ ମୃତ୍ୟୁ ହୋଇଥିବ ବୋଲି କ୍ୟାମ୍ପବେଲ କହିଛନ୍ତି। କେତେକ ଖପୁରିରେ ଧାରୁଆ ଅସ୍ତ୍ରର ଆଘାତ ମଧ୍ୟ ଦେଖିବାକୁ ମିଳିଛି ଏବଂ ଗୋଟିଏ ମୁଣ୍ଡରେ ଆଖି ପାଖରେ କଟା ଦାଗ ମଧ୍ୟ ରହିଛି। ତେବେ ସେମାନଙ୍କୁ କିପରି ହତ୍ୟା କରାଯାଇଥିଲା ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ଅନ୍ୟ ସେବକମାନଙ୍କର କିପରି ମୃତ୍ୟୁ ଘଟିଥିଲା ତାହା ମଧ୍ୟ ସ୍ପଷ୍ଟ ନାହିଁ। ସେମାନଙ୍କ ମୁଣ୍ଡରେ କୌଣସି ଆଘାତ ନଥିବାରୁ, ସେମାନେ ପ୍ରାକୃତିକ ଭାବରେ ମରିଯାଇଥାଇପାରନ୍ତି କିମ୍ବା ଏପରି ଭାବରେ ବଳି ଦିଆଯାଇଥାଇପାରେ ଯାହା ହାଡ଼ରେ ଜଣାପଡ଼ି ନାହିଁ।

error: Content is protected !!