ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ ଆମ୍ବୁଲାନ୍ସ ଜଳିଯିବା ସହ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ରୋଗୀ ଗୁରୁତର ହୋଇଛନ୍ତି। ମୃତକ ହେଲେ ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳର ସୁଯୋଶ ବାରିକ।
ମିଳିଥିବା ସୂଚନା ମୁତାବକ, ଉଦଳା ମେଡିକାଲରେ ଭର୍ତ୍ତି ହୋଇଥିବା ସୁଯୋଶଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେବା ସକାଶେ ଘରୋଇ ଆମ୍ବୁଲାନ୍ସ ଡକାଯାଇଥିଲା। ସୁଯୋଶଙ୍କୁ ଉକ୍ତ ଆମ୍ବୁଲାନ୍ସରେ ଭର୍ତ୍ତି କରି ଅକ୍ସିଜେନ୍ ଲଗାଯାଉଥିବା ବେଳେ ହଠାତ୍ ସିଲିଣ୍ଡର ଫାଟି ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା। ଏହି ନିଆଁରେ ସୁଯୋଶ ପୋଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଆମ୍ବୁଲାନ୍ସରୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ ବିସ୍ଫୋରଣରେ ଆମ୍ବୁଲାନ୍ସର ଛପର ଉଡ଼ି ନିକଟରେ ଥିବା ଶରତ ପ୍ରଧାନ ଓ ମାସି ମୁଣ୍ଡାଙ୍କ ଉପରେ ପଡ଼ିବାରୁ ଉଭୟେ ଗୁରୁତର ହୋଇଛନ୍ତି। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ଆମ୍ବୁଲାନ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…