October 8, 2026

Now Odisha

Now Odisha

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି…

Spread the love

ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ GST ନିୟମକୁ ସରଳ କରିବା ସହ ବ୍ୟବସାୟୀଙ୍କୁ ଅନାବଶ୍ୟକ ଆଇନଗତ ଜଟିଳତାରୁ ମୁକ୍ତି ଦେବା ଦିଗରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବୈଠକର ଏକ ବଡ଼ ନିଷ୍ପତ୍ତି ହେଉଛି GST ଅଧିକାରୀଙ୍କ ଗିରଫ କ୍ଷମତାକୁ ସୀମିତ କରାଯିବା। ନିର୍ଦ୍ଦିଷ୍ଟ ମାମଲାରେ ଅଧିକାରୀମାନଙ୍କୁ ସିଧାସଳଖ ଗିରଫ କରିବାର ଅଧିକାର ଉପରେ ଅଙ୍କୁଶ ଲଗାଯାଇଛି। ଏହା ଫଳରେ ସାଧାରଣ କିମ୍ବା ଅଜାଣତରେ ହୋଇଥିବା ଭୁଲ ପାଇଁ ବ୍ୟବସାୟୀଙ୍କ ବିରୋଧରେ କଠୋର ଅପରାଧିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା କମିବ।

GST କାଉନସିଲରେ ଅପରାଧିକ ମାମଲା ଆରମ୍ଭ କରିବାର ସୀମାକୁ ୧ କୋଟି ଟଙ୍କାରୁ ବଢ଼ାଇ ୫ କୋଟି ଟଙ୍କା କରିବାକୁ ଅନୁମୋଦନ ଦିଆଯାଇଛି । ଅର୍ଥାତ୍ ୫ କୋଟି ଟଙ୍କାରୁ ଅଧିକ ଟିକସ ଚୋରି କିମ୍ବା ଠକେଇ ଅଭିଯୋଗ ନଥିଲେ ଅପରାଧିକ ମାମଲା ଆରମ୍ଭ କରିବାର ପ୍ରକ୍ରିୟା ହେବ ନାହିଁ । ଗୁରୁତର ଠକେଇ ଏବଂ ସାଧାରଣ ଭୁଲ ମଧ୍ୟରେ ପାର୍ଥକ୍ୟ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ବୈଠକରେ ଇ-କମର୍ସ ଏବଂ ଛୋଟ ବିକ୍ରେତାଙ୍କ ପାଇଁ GST ନିୟମକୁ ସରଳ କରିବା ଉପରେ ମଧ୍ୟ ଜୋର ଦିଆଯାଇଛି। ଏହା ଅଧୀନରେ ଶୋ-କଜ୍ ନୋଟିସ୍ ଜାରି କରିବା ପାଇଁ ସର୍ବନିମ୍ନ ୧୦ ହଜାର ଟଙ୍କାର ସୀମା ଧାର୍ଯ୍ୟ କରିବା ଭଳି ପଦକ୍ଷେପ ଉପରେ ସହମତି ହୋଇଛି ।

ଏହା ଦ୍ୱାରା ଛୋଟ ବ୍ୟବସାୟୀଙ୍କୁ ଛୋଟ ଛୋଟ ମାମଲାରେ ଅନାବଶ୍ୟକ ନୋଟିସ୍‌ର ସାମ୍ନା କରିବାକୁ ପଡ଼ିବ ନାହିଁ । ନୂଆ ସଂସ୍କାର ଦ୍ୱାରା ବଜାରରେ ନଗଦ ପ୍ରବାହ ବଢ଼ିବା ସହ ପ୍ରକୃତ ଟିକସଦାତାମାନେ ଭୟମୁକ୍ତ ଭାବେ ବ୍ୟବସାୟ ଆଗକୁ ବଢ଼ାଇପାରିବେ ବୋଲି ଆଶା କରାଯାଉଛି । ୫୭ତମ GST କାଉନସିଲ ବୈଠକର ଏହି ନିଷ୍ପତ୍ତିଗୁଡ଼ିକ ବ୍ୟବସାୟୀ ଓ MSME କ୍ଷେତ୍ର ପାଇଁ ନିୟମ ପାଳନକୁ ସରଳ କରିବା ସହ ଅନାବଶ୍ୟକ ଆଇନଗତ ଚାପ କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

error: Content is protected !!