‘ସମ୍ବାଦ’କୁ କିଛିଦିନ ହେବ ଓଡ଼ିଶା ସରକାରଙ୍କ ବିଜ୍ଞାପନ ମିଳୁନାହିଁ


‘ସମ୍ବାଦ’ରେ ନଥିଲେ ବି ‘ସମ୍ବାଦ’କୁ କିଛିଦିନ ହେବ ଓଡ଼ିଶା ସରକାରଙ୍କ ବିଜ୍ଞାପନ ମିଳୁନାହିଁ।ଏହାକୁ ନେଇ ଫେସବୁକରେ ବହୁତ ପୋଷ୍ଟ ଓ କମେଣ୍ଟ ଦେଖିବାକୁ ମିଳୁଛି। ଲାଗୁଛି ଯେମିତି, ବିଜ୍ଞାପନ ମିଳିବା ଉଚିତ କି ନୁହେଁ ତାହାକୁ ନେଇ ଏକ ବିତର୍କର ବାତାବରଣ ସୃଷ୍ଟି ହୋଇଛି।ଏହି ପରିପ୍ରେକ୍ଷୀରେ ମୁଁ କେତୋଟି ମତ ରଖିବି, ‘ସମ୍ବାଦ’ର ଜଣେ କର୍ମଚାରୀ ଭାବେ ମୁଁ ଏହି ମତ ରଖୁନାହିଁ କିମ୍ବା ସତୀର୍ଥ ସହକର୍ମୀମାନଙ୍କ ଅହେତୁକ ଭାବପ୍ରଣତା ସହିତ ନିଜକୁ ସାମିଲ୍ କରୁନାହିଁ। ବରଂ ଏହି ଦେଶ ତଥା ରାଜ୍ୟର ଜଣେ ନାଗରିକ ଭାବେ ମୁଁ ବି କିଛି ମତ ରଖୁଛି, ଆପଣମାନଙ୍କ ଭଳି ମୋର ମଧ୍ୟ ମତ ଦେବାର ଅଧିକାର ଅଛି।

୧.ଏବେ କଥା ଉଠୁଛି, ଆଗରୁ ବି କେତେକ ଗଣମାଧ୍ୟମ ସଂସ୍ଥା ସରକାରୀ ବିଜ୍ଞାପନରୁ ବଂଚିତ ହୋଇଛନ୍ତି। ଅର୍ଥାତ୍ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ଦିଆଯାଇନାହିଁ କିମ୍ବା ଦିଆଯାଉନାହିଁ।କେହି ସ୍ବର ଉଠାଇଛନ୍ତି କି? ମୋର ମତ ହେଉଛି, ନିଶ୍ଚିତ ଭାବେ ସ୍ବର ଉଠାଇବାର ଆବଶ୍ୟକତା ରହିଥିଲା। ହେଲେ,କାହିଁକି ଉଠାଯାଇନଥିଲା କିମ୍ବା ଏଥିପାଇଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ବୟ ବା ସମାନ ମତ ରହିଛି କି ନାହିଁ, ଏକ ଭିନ୍ନ ପ୍ରଶ୍ନ। ଯାହାକି, ଆପଣଙ୍କର କି ମୋର ଜ୍ଞାତସାରର ବାହାରେ। ମୋର ମତ ହେଉଛି ଯେକୌଣସି ଗଣମାଧ୍ୟମ ସଂସ୍ଥା ନିର୍ଦ୍ଧାରିତ ସରକାରୀ ବିଜ୍ଞାପନରୁ ଆଦୌ ବଂଚିତ ହେବା ଉଚିତ ନୁହେଁ। ଏଥିପାଇଁ ସରକାରଙ୍କ ଯାହା ବି ମାପଦଣ୍ଡ ରହିଛି, ତଦନୁସାରେ ମିଳିବା ଉଚିତ୍। ’ସମ୍ବାଦ’କୁ ବିଜ୍ଞାପନ ମିଳୁନଥିବା ଯୋଗୁ ଯେଉଁମାନେ ଖୁସି ହେଉଛନ୍ତି କିମ୍ବା ସମବେଦନା ବ୍ୟକ୍ତ କରୁଛନ୍ତି, ସେସବୁର ଊର୍ଦ୍ଧ୍ବକୁ ଯାଇ ଗୋଟିଏ ବାସ୍ତବତା ଉପରେ ଥରୁଟିଏ ହେଲେ ବି ଚିନ୍ତା କରିବାର ଆବଶ୍ୟକତା ରହିଛି।

୨.‘ସମ୍ବାଦ’ର ସଂପାଦକ ଓ ରାଜନୀତି ପ୍ରସଙ୍ଗ। ସମ୍ପାଦକଙ୍କ ରାଜନୈତିକ ଅଭିଳାଷ ଓ ଯାତ୍ରା ସହିତ ଆମେମାନେ ଅତି ସହଜରେ ଗୋଟିଏ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସ୍ଥିତି ଓ ଅସ୍ତିତ୍ବକୁ ଯୋଡ଼ିଦେଉଛେ। ଆଶ୍ଚର୍ଯ୍ୟ ଲାଗୁଛି, ଥରୁଟିଏ ଆମେ ଚିନ୍ତା କରୁନେ ଇଏ ହେଉଛନ୍ତି ସେହି ସମ୍ପାଦକ ବା ମାଲିକ, ଯିଏକି ରାଜ୍ୟର ମୁଦ୍ରିତ ଗଣମାଧ୍ୟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ତାଙ୍କରି ଉଦ୍ୟମ ଫଳରେ ଗଣମାଧ୍ୟମର ବୃତ୍ତି ଏକ ପେସା ତଥା ଉପାର୍ଜନରେ ରୂପାନ୍ତରିତ ହୋଇଥିଲା। ଆଜି ଯେଉଁ ଗଣମାଧ୍ୟମର ବହୁଳ ଉପସ୍ଥିତି ଏବଂ ସକ୍ରିୟତା ଆମେ ଦେଖୁଛେ, ତାହା ପଛରେ ଥିବା ତାଙ୍କର ଅବଦାନକୁ ଆମେ ଏତେ ଜଲ୍ଦି ଭୁଲିଯିବା?

୩.ଏହି ସରକାର ଅମଳରେ ରାଜ୍ୟରେ କେତୋଟି ଶିଳ୍ପ ପ୍ରତିଷ୍ଠା ହୋଇଛି? ଶିଳ୍ପ ରାଜଧାନୀ କୁହାଯାଉଥିବା କଳିଙ୍ଗନଗରର ଅବସ୍ଥା କ’ଣ? ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପସଂସ୍ଥ‌ାରେ କେତେ ଯୁବକଙ୍କୁ ନିଯୁକ୍ତି ମିଳିଛି? ଏହିସବୁ ପ୍ରଶ୍ନର ଉତ୍ତର ନିଶ୍ଚୟ ଆପଣମାନଙ୍କ ନିକଟରେ ରହିଛି। କିନ୍ତୁ ‘ସମ୍ବାଦ’ ଭଳି ଗଣମାଧ୍ୟମ ସଂସ୍ଥା ଏକ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ପ୍ରତ୍ୟକ୍ଷ ଭାବେ ଏବଂ ଶହଶହ ଲୋକଙ୍କୁ ପରୋକ୍ଷ ଭାବେ ନିଯୁକ୍ତି ଦେଇଛି। ଏହି ସଂସ୍ଥା ଉପରେ ବହୁ କର୍ମଚାରୀଙ୍କ ପରିବାର ବି ନିର୍ଭର କରୁଛି। ଏବେ ଆପଣମାନେ ବିଚାର କରିବେ, ଏହିଭଳି ଏକ ନିଯୁକ୍ତିଦାତା ସଂସ୍ଥାକୁ ବିଜ୍ଞାପନରୁ ବଂଚିତ କରିବା କେତେ ଯୁକ୍ତିଯୁକ୍ତ?

୪.ଏହି ବୁନ୍ଦାରେ ମୁଁ ମୋ ବୃତ୍ତି ସହ ନିଜକୁ ସଂଲଗ୍ନ କରୁଛି। ଏଥିପାଇଁ ଆପଣମାନଙ୍କ ନିକଟରୁ କ୍ଷମା ବି ଚାହିଁନି। କେହି କେହି ମତ ଦେଉଛନ୍ତି, ସମ୍ପାଦକଙ୍କ ରାଜନୈତିକ ସ୍ବାର୍ଥ ସାଧିତ ନହେଲା ବୋଲି ସେ ବେଳେବେଳେ ସରକାରଙ୍କ ବିରୋଧରେ ଏମିତି ଲେଖୁଛନ୍ତି ବା ବିଷୋଦ୍ଗାର କରୁଛନ୍ତି। ଯାହାର ପରିଣାମସ୍ବରୁପ ସରକାର ଏହିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।ଆପଣମାନେ ଥରୁଟିଏ ଚିନ୍ତା କରନ୍ତୁ ଏବଂ ଗଭୀର ଭାବେ ଅନୁଶୀଳନ କରନ୍ତୁ? ସମ୍ପାଦକ ମହୋଦୟ ବିଜେଡିରେ ଯୋଗଦେବା ପରବର୍ତ୍ତୀ ସମୟରେ ପ୍ରକାଶିତ ଖବରକୁ ତର୍ଜମା ବି କରନ୍ତୁ। କେବଳ ଭୁବନେଶ୍ବର କାହିଁକି, ଅନ୍ୟ ଆଠଟି ସଂସ୍କରଣ ସ୍ତରରେ ପ୍ରକାଶିତ ଖବରକୁ ବି ଅନୁଧ୍ୟାନ କରନ୍ତୁ। ତା’ ହେଲେ ଆପଣମାନେ ନିଶ୍ଚିତ ଭାବେ ଜାଣିପାରିବେ ସରକାରଙ୍କ ବିଫଳତାକୁ ଯଦି କେହି ସାମ୍ନାକୁ ଆଣିଛି, ସେ ହେଉଛି ‘ସମ୍ବାଦ’। ଏହାବାଦ୍, ଅଗଣିତ ଲେଖକଲେଖିକାଙ୍କ ସମ୍ପୃକ୍ତି, ରକ୍ତଦାନ, ଭାଷାଜ୍ଞାନ ପରୀକ୍ଷା ଭଳି ଅନ୍ୟ କାର୍ଯ୍ୟକ୍ରମକୁ ମୁଁ ଯାଉନି।

୫.ସବୁଠାରୁ ଦୁଃଖ ଓ ଆଶ୍ଚର୍ଯ୍ୟ ଲାଗୁଛି, ଯେଉଁମାନେ ଦିନେ ‘ସମ୍ବାଦ’ରେ କାର୍ଯ୍ୟ କରୁଥିଲେ ଏବଂ ନିଜ ଆଡ଼ୁ ହେଉ କିମ୍ବା ସଂସ୍ଥା ପକ୍ଷରୁ ହେଉ ଛାଡ଼ି ଚାଲିଯାଇଛନ୍ତି, ସେମାନଙ୍କଠାରୁ ମିଳୁଥିବା ନକାରାତ୍ମକ। ସତରେ, ଗୋଟିଏ ପ୍ରତିକ୍ରିୟା ଦେବା ଆଳରେ ଆମେ କ’ଣ ନିଜର ମାନବୀୟତାକୁ ବି ଭୁଲି ଯାଉଛୁ? ଅନ୍ୟର ଖରାପ ପରିସ୍ଥିତି ସମୟରେ ତାଳି ବଜାଇବାକୁ ବି ଭୁଲୁନାହିଁ। ଅବଶ୍ୟ ଏହା ହେଉଛି ସେମାନଙ୍କ ବ୍ୟକ୍ତିଗତ ଭାବନା ଓ ନିଷ୍ପତ୍ତି।ଶେଷରେ, ମୁଁ ଏତିକି କହିବି ଯେ ‘ସମ୍ବାଦ’ରେ ନଥିଲେ ବି ମୁଁ ଠିକ୍ ଏହିକଥା କହିଥା’ନ୍ତି। କାରଣ, ମୁଁ ପ୍ରତ୍ୟେକ ସମ୍ବାଦପତ୍ରକୁ ବହୁତ ଭଲପାଏ। ଆହୁରି ବି ସବୁବେଳେ ଚାହିଁଥାଏ, ଛୋଟ ହେଉ କି ବଡ଼ ସବୁ ସମ୍ବାଦପତ୍ର ଓ ଗଣମାଧ୍ୟମ ସଂସ୍ଥା ଖୁବ୍ ସୁରୁଖୁରୁରେ ଚାଲୁ। ସାମ୍ବାଦିକତାକୁ ବୃତ୍ତିକରିବା ପାଇଁ ବହୁ ଆଶା ନେଇ ଆସୁଥିବା ପିଲାମାନେ ଆଦୌ ନିରାଶ ନହୁଅନ୍ତି। ଆଉ, ଆମେ ହରିଗଲା ଭଳି ସେମାନେ କେବେ ହାରି ନଯାଆନ୍ତୁ।’ଗଣମାଧ୍ୟମର ଜୟ ହେଉ’।@Chittaranjan Chiranjit.


error: Content is protected !!