October 9, 2026

Now Odisha

Now Odisha

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

Spread the love

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି।

ଘୂର୍ଣ୍ଣିବଳୟଟି ୧୧ ତାରିଖ ବେଳକୁ ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବ। ଏହା ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି। ଏପଟେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଫଳରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିବାରୁ ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। ଶୁକ୍ରବାର ସନ୍ଧ୍ୟାରୁ ବିଭିନ୍ନ ଜିଲାରେ ଝଡ଼ବର୍ଷା ହୋଇଥିବା ସୂଚନା ମିଳିଛି।

ଶନିବାର ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ଝଡ଼ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଅନ୍ୟାନ୍ୟ ଜିଲାଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଶୁକ୍ରବାର ଦିନସାରା ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୧୫ଟି ସହରର ତାପମାତ୍ରା ୩୪ ଡିଗ୍ରୀ ଉପରକୁ ରହିଥିଲା। ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ତାଳଚେର ଓ ଝାରସୁଗୁଡା ୩୫.୪, ଛତ୍ରପୁର ଓ ଢେଙ୍କାନାଳ ୩୫, ମାଲକାନଗିରି ୩୪.୮, ଭୁବନେଶ୍ୱର ୩୪.୬, ଗୋପାଳପୁର, ଟିଟିଲାଗଡ଼ ଓ ସୋନପୁର ୩୪.୫, ପୁରୀ ୩୪.୩, ବଲାଙ୍ଗୀର ୩୪.୨ ଓ ଅନୁଗୋଳରେ ୩୪.୧ ଡିଗ୍ରୀ ତାପମାତ୍ରା ରହିଥିଲା।

error: Content is protected !!