October 11, 2026

Now Odisha

Now Odisha

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

Spread the love

ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ ଦୀପକମଲ ମହାପାତ୍ର ନାମକ ଜଣେ ଯୁବକ ଗୁରୁତର ଅଛନ୍ତି। ଉମରକୋଟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଉମରକୋଟ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି। ଛୁରାମାଡ଼ କରିଥିବା ଯୁବକଙ୍କ ଗିରଫ ଦାବିରେ ଉମରକୋଟ ପୁରୁଣା ବସ୍‌ଷ୍ଟାଣ୍ଡ ଛକରେ ଦୀପକମଲଙ୍କ ପରିବାର, ଅଞ୍ଚଳବାସୀ ଧାରଣାରେ ବସିଛନ୍ତି। ସହରରେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ନବରଙ୍ଗପୁର ଏସ୍‌ପି ପାର୍ଥ ଜଗଦୀଶ କଶ୍ୟପ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଦୀର୍ଘ ୮ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ ପ୍ରତିଶ୍ରୁତି ମିଳିବାରୁ ରାତି ୯ଟାରେ ଧାରଣା ହଟିଥିଲା
ସୂଚନାନୁଯାୟୀ, ଶୁକ୍ରବାର କଲେଜ ନିର୍ୱାଚନ ପାଇଁ ନାମାଙ୍କନ ଦାଖଲ କରାଯାଇଥିଲା। ଏଥିରେ ୧୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସମସ୍ତଙ୍କ ପ୍ରାର୍ଥତ୍ପତ୍ର କାଏମ୍‌ ରହିଥିଲା। ତେବେ ଏହି ସମୟରେ ନାମାଙ୍କନ ଦାଖଲ କରିଥିବା ୨ ଛାତ୍ର ଗୋଷ୍ଠୀଙ୍କ ସମର୍ଥକ(ଅଣଛାତ୍ର)ଙ୍କ ମଧ୍ୟରେ କଲେଜ କ୍ୟାମ୍ପସ ବାହାରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରେ ପରିସ୍ଥିତି ଶାନ୍ତ ହୋଇଯାଇଥିଲା। ଶନିବାର ସକାଳେ ପୁଣି ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଦୀପକମଲଙ୍କ ସହଯୋଗୀ ଅଭିଷେକ ପଣ୍ଡାଙ୍କୁ ଅନ୍ୟ ଗୋଷ୍ଠୀର କେତେଜଣ ଯୁବକ ସ୍ଥାନୀୟ ଡିଏନ୍‌କେ ଛକଠାରେ ଆକ୍ରମଣ କରିଥିଲେ। ଦୀପକମଲ ଓ ତାଙ୍କ ଗୋଷ୍ଠୀର ଅନ୍ୟମାନେ ଡିଏନ୍‌କେସ୍ଥିତ ତ୍ରିନାଥ ମନ୍ଦିର ନିକଟରେ ଆଲୋଚନା କରୁଥିବାବେଳେ ପ୍ରାୟ ୪୦ ଜଣ ଯୁବକ ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଛୁରା ଓ ଭୁଜାଲିରେ ଦୀପକମଲଙ୍କୁ ଆକ୍ରମଣ କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଦୀପକମଲ୍‌ଙ୍କ ପେଟ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ପ୍ରକୃତ କାରଣ କ’ଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

error: Content is protected !!