ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ମଧ୍ୟ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତିଶୃଙ୍ଖଳାର ସହ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିଲା। ତେବେ ସନ୍ଧ୍ୟା ସମୟରେ ଅନୁଭବ ପଟ୍ଟନାୟକଙ୍କ ନାମରେ କେସିଙ୍ଗା ଥାନାରେ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିବା ଦର୍ଶାଇ କଲେଜ କର୍ତ୍ତୃପକ୍ଷ ତାଙ୍କ ପ୍ରାର୍ଥିପତ୍ର ନାକଚ କରିଥିଲେ। ଏହାକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଦଳୀୟ ନେତାମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଘଟଣା ଅନୁଯାୟୀ, କେସିଙ୍ଗା ମହାବିଦ୍ୟାଳୟର ସଭାପତି ପଦ ପାଇଁ ବିଜେଡି ସମର୍ଥିତ ଛାତ୍ରନେତା ଅନୁଭବ ପଟ୍ଟନାୟକ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଅଙ୍କିତ ପାଠକ ନାମାଙ୍କନ ଦାଖଲ କରିଥିଲେ। ଗତ ୮ ତାରିଖରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିବାରୁ ଅଙ୍କିତ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଗତ ୯ ତାରିଖରେ ନାମାଙ୍କନ ପ୍ରକ୍ରିୟା ଶେଷ ହେବା ପରେ ଅଙ୍କିତ ଥାନାକୁ ଯାଇ ଅନୁଭବଙ୍କ ନାମରେ ମାମଲା ପଞ୍ଜୀକରଣ ପାଇଁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଅନୁଭବଙ୍କ ନାମରେ ମାମଲା ପଞ୍ଜୀକୃତ କରିଥିଲା।
ଏହି ଖବର ଜାଣିବା ପରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ରାଜ୍ୟସ୍ତରୀୟ ଛାତ୍ର ଓ ଯୁବନେତା ଅଭିନାଶ ଠାକୁର କେସିଙ୍ଗା ଗସ୍ତ କରିଥିଲେ। ସେମାନେ ପ୍ରଥମେ ମହାବିଦ୍ୟାଳୟକୁ ଯାଇ ଅଧ୍ୟକ୍ଷଙ୍କୁ ପ୍ରାର୍ଥିପତ୍ର ନାକଚ ହେବାର କାରଣ ପଚାରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ ପଟ୍ଟନାୟକ କହିଥିଲେ ଯେ, ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୧୮ ଜଣ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ସମ୍ପର୍କରେ କେସିଙ୍ଗା ଥାନାରୁ ତଥ୍ୟ ମଗାଯାଇଥିଲା। କେସିଙ୍ଗା ଥାନା ପକ୍ଷରୁ ୧୮ ଜଣଙ୍କ ସମ୍ପର୍କିତ ରିପୋର୍ଟ ଚିଠି ମାଧ୍ୟମରେ ମହାବିଦ୍ୟାଳୟକୁ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ, ୧୭ ଜଣଙ୍କ ନାମରେ କୌଣସି ମାମଲା ନଥିବା ବେଳେ ଅନୁଭବ ପଟ୍ଟନାୟକଙ୍କ ନାମରେ ୯ ତାରିଖରେ ଏକ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିବା ଦର୍ଶାଯାଇଥିଲା। ଏହି ରିପୋର୍ଟ ମିଳିବା ପରେ ଅନୁଭବଙ୍କ ପ୍ରାର୍ଥିପତ୍ର ନାକଚ କରାଯାଇଥିଲା।
ଏହି ଘଟଣାକୁ ନେଇ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରେ ବିଜେଡି ନେତା ଓ କର୍ମୀମାନେ କେସିଙ୍ଗା ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଅଭିଯୋଗ ହେବାର ସେହି ଦିନ ତଦନ୍ତ ନକରି କାହା ଚାପରେ ଏତେ ଶୀଘ୍ର ମାମଲା ପଞ୍ଜୀକୃତ କରାଗଲା ଏବଂ ଜଣେ ଛାତ୍ରଙ୍କୁ ଅପରାଧୀ ଭାବେ ଚିତ୍ରଣ କରାଗଲା ବୋଲି ବିଧାୟିକାଙ୍କ ସମେତ ବିଜେଡି କର୍ମୀମାନେ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ କେସିଙ୍ଗା ଥାନାର ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ୱାଳ କହିଥିଲେ ଯେ, ସେ କାହାରି ଚାପରେ କାମ କରୁନାହାନ୍ତି। ଅଭିଯୋଗକାରୀ ଲିଖିତ ଅଭିଯୋଗ ଦେବା ସହ ମାମଲା ପଞ୍ଜୀକରଣ ପାଇଁ ଜିଦ୍ କରିଥିଲେ ଏବଂ ପ୍ରମାଣ ଦେଇଥିଲେ। ତେଣୁ ନିୟମ ଅନୁଯାୟୀ ସେ ନିଜ କାର୍ଯ୍ୟ କରିଛନ୍ତି ବୋଲି ଆଇଆଇସି ପ୍ରକାଶ କରିଥିଲେ। ଏଥିସହ ସେ କହିଥିଲେ ଯେ, ମହାବିଦ୍ୟାଳୟ ପକ୍ଷରୁ ଅପରାଧିକ ରେକର୍ଡ ସମ୍ପର୍କରେ ରିପୋର୍ଟ ମଗାଯାଇଥିଲା ଏବଂ ପୋଲିସ ପକ୍ଷରୁ ରିପୋର୍ଟ ପଠାଯାଇଥିଲା। ମହାବିଦ୍ୟାଳୟ କେଉଁ ଆଧାରରେ କେଉଁ ପଦକ୍ଷେପ ନେଇଛି, ସେଥିରେ ପୋଲିସର କିଛି କହିବାର ନାହିଁ ବୋଲି ଆଇଆଇସି ସ୍ପଷ୍ଟ କରିଥିଲେ।
ଏହି ଅବସରରେ କେସିଙ୍ଗା ନଗରପାଳ ନୃପରାଜ ଯାଦବ, ଟାଉନ ସଭାପତି ନଳିନ ପଟ୍ଟନାୟକ, ପୂର୍ବତନ ଟାଉନ ସଭାପତି ରମେଶ ପଟ୍ଟନାୟକ, ସିଲୁ ପରିଡ଼ା, ନେହେରୁ ସୁନାନୀଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।

More Stories
ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ
ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ
Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ