October 17, 2026

Now Odisha

Now Odisha

ଫସିଗଲେ ରାଖୀ, ଯେକୌଣସି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ

Spread the love

ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତ୍ରୀ ରାଖୀ ସାୱନ୍ତ ପୁଣିଥରେ ଏକ ବଡ଼ ଆଇନଗତ ସମସ୍ୟାରେ ଫସିଛନ୍ତି। ତାଙ୍କର ୧୬ ବର୍ଷ ପୁରଣା ଏକ ମାମଲା ପୁଣି ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଝାନ୍ସି କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା (ଜାମିନବିହୀନ ୱାରେଣ୍ଟ) ଜାରି କରିଛନ୍ତି।

ବର୍ଷ ୨୦୧୦ରେ ରାଖୀ ସାୱନ୍ତ ଟିଭିରେ ‘ରାଖୀ କା ଇନ୍‌ସାଫ୍’ ନାମକ ଏକ ଶୋ’ କରୁଥିଲେ। ଏହି ଶୋ’ରେ ଝାନ୍ସିର ଲକ୍ଷ୍ମଣ ପ୍ରସାଦ ନାମକ ଜଣେ ଯୁବକ ଭାଗ ନେଇଥିଲେ। ଅଭିଯୋଗ ହୋଇଥିଲା ଯେ, ଶୋ’ ସମୟରେ ରାଖୀ ସାୱନ୍ତ ସମସ୍ତଙ୍କ ସାମ୍ନାରେ ତାଙ୍କୁ ବହୁତ ଅପମାନିତ କରିଥିଲେ ଏବଂ ଖରାପ କଥା କହିଥିଲେ।

ଏହି ଅପମାନ ସହି ନ ପାରି ଏବଂ ମାନସିକ ଚାପରେ ଆସି ସେହି ଯୁବକଜଣକ ଆତ୍ମହତ୍ୟା କରିଥିଲେ। ପରେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଥାନାରେ ରାଖୀ ସାୱନ୍ତଙ୍କ ନାଁରେ ଆତ୍ମହତ୍ୟା ପାଇଁ ପ୍ରେରଣା ଯୋଗାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।

ଏହି ପୁରଣା ମାମଲାରେ ରାଖୀ କୋର୍ଟରେ କ୍ରମାଗତ ଭାବେ ହାଜର ହେଉ ନ ଥିଲେ। ଏହାକୁ ଦୃଷ୍ଟିରେ ରଖି ଝାନ୍ସି କୋର୍ଟ ତାଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟଙ୍କ ଏହି କଡ଼ା ଆଦେଶ ପରେ ପୋଲିସ ତାଙ୍କୁ ଯେକୌଣସି ମୁହୂର୍ତ୍ତରେ ଗିରଫ କରିପାରେ। ତେବେ ରାଖୀ ଏହି ଆଦେଶ ବିରୋଧରେ ଉଚ୍ଚ କୋର୍ଟକୁ ଯିବାର ବାଟ ଖୋଲା ରହିଛି।

error: Content is protected !!