ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍ ବର୍ଷାରେ ଧୋଇଯାଇଛି। ଫଳରେ ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୨ରେ ବରାବର ଭାବେ ଶେଷ ହୋଇଛି।
ଲଗାଣ ବର୍ଷା କାରଣରୁ ଟସ୍ରେ ପ୍ରାୟ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା। ପରେ ଦୁଇ ଦଳ ମଧ୍ୟରେ ୯ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯିବା ନେଇ ଧାର୍ଯ୍ୟ କରାଯାଇଥିଲା। ଟସ୍ ଜିତି ଓ୍ବେଷ୍ଟଇଣ୍ଡିଜ୍ ଅଧିନାୟକ ଶାଇ ହୋପ ପ୍ରତିପକ୍ଷ ଭାରତୀୟ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ।
ଭାରତ ୭.୪ ଓଭରରେ ୫ ଉଇକେଟ ହରାଇ ୧୧୮ ରନ କରିଥିବା ବେଳେ ବର୍ଷା ପୁନଃ ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ମ୍ୟାଚ୍କୁ ବାତିଲ ଘୋଷଣା କରାଯାଇଥିଲା। ଭାରତ ପାଇଁ ଇଶାନ କିଷନ ୧୦ ବଲରେ ସର୍ବାଧିକ ୩୦ (୩ ଚୌକା ଓ ୨ ଛକା) ରନ କରିଥିବା ବେଳେ ନମନ ଧିର ୬ ବଲରେ ୨୪ (୧ ଚୌକା ଓ ୩ ଛକା) ରନ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଶ୍ରେୟସ ଆୟାର ୧୪ ବଲରେ ୨୨ (୨ ଚୌକା) ଓ ସଞ୍ଜୁ ସାମସନ ୭ ବଲରେ ୧୬ (୨ ଚୌକା ଓ ୧ ଛକା) ରନ କରି ପାଭିଲିଅନ ଫେରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ପାଇଁ କିମୋ ପଲ ଓ ଶାମର ସ୍ପ୍ରିଙ୍ଗର ୨ ଲେଖାଏ ଉଇକେଟ ନେଇଥିବା ବେଳେ ଶାମର ଯୋଶେଫ ଗୋଟିଏ ଉଇକେଟ ହାତେଇଥିଲେ। ଏହି ମ୍ୟାଚ୍ ଜରିଆରେ ପ୍ରାୟ ୪ ବର୍ଷର ବ୍ୟବଧାନ ପରେ ଭୁବନେଶ୍ୱର କୁମାର ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ୩୬ ବର୍ଷୀୟ ପେସର ଅନ୍ତିମ ଥର ୨୦୨୨ ନଭେମ୍ବର ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍ରେ ଭାରତ ପାଇଁ ଖେଳିଥିଲେ।
ଏହି ସିରିଜ୍ରେ ଓଭର ପିଛା ରନର ହାର ୧୦.୯୮ ରହିଥିଲା, ଯାହାକି ଟେଷ୍ଟ ଖେଳୁଥିବା ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିପାକ୍ଷୀକ ସିରିଜ୍ରେ ସର୍ବାଧିକ। ଏଥିପୂର୍ବରୁ ଏହି ରେକର୍ଡ ଚଳିତ ବର୍ଷ ଭାରତ ଓ ନ୍ୟୁଜିଲାଣ୍ଡ ସିରିଜ୍ ନାମରେ ରହିଥିଲା। ଏହି ସିରିଜ୍ରେ ଓଭର ପିଛା ରନ ହାର ୧୦.୫୭ ରହିଥିଲା।

More Stories
୨୫ ବେଳକୁ ଲଘୁଚାପ, ପ୍ରବଳ ବର୍ଷିବ: ୟେଲୋ ଓ୍ବାର୍ନିଂ ଜାରି
୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଇଣ୍ଟରନେଟ୍ ବ୍ୟବହାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କହିଲେ ପିଲାଙ୍କ ସମେତ ସବୁବର୍ଗର…