ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ହାତୀଙ୍କ ଏକ ପ୍ରମୁଖ ବିଚରଣ କ୍ଷେତ୍ର ଭାବେ ପରିଚିତ। ତେବେ ଏହି ବନଖଣ୍ଡର କେତେକ ହାତୀ କରିଡରରେ ବିଦ୍ୟୁତ ତାର ଓହଳି ରହିଥିବା ଏବଂ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇଥିବା ଅଭିଯୋଗ ହୋଇଛି। ଟାଟା ପାୱାର ଓ ବନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ହାତୀଙ୍କ ସୁରକ୍ଷା ବିପନ୍ନ ହେବାର ଆଶଙ୍କା ଦେଖାଦେଇଛି।
ସୂଚନା ଅନୁଯାୟୀ, ଘୁମୁସର ଉତ୍ତର ବନଖଣ୍ଡର ମୁଜାଗଡ଼ ରେଞ୍ଜ ଅନ୍ତର୍ଗତ ବାଇବାଲି ରାସ୍ତାରେ ଯାଇଥିବା ବିଦ୍ୟୁତ ତାର କେତେକ ସ୍ଥାନରେ ମାତ୍ର ୧୦ରୁ ୧୫ ଫୁଟ ଉଚ୍ଚତାରେ ରହିଛି। ଏହି ତାରଗୁଡ଼ିକରେ ସୁରକ୍ଷିତ କେବୁଲ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ଖଣ୍ଡିକୋଟିଠାରୁ ମିନିଆଙ୍ଗ ଗାଁ ମଧ୍ୟରେ ମଧ୍ୟ ଅନେକ ସ୍ଥାନରେ ବିଦ୍ୟୁତ ତାର ଓହଳି ରହିଛି। ଏଥିସହ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି।
ଉକ୍ତ ଅଞ୍ଚଳରେ ନିୟମିତ ହାତୀପଲ ଚଳପ୍ରଚଳ କରୁଥିବାରୁ ଓହଳିଥିବା ବିଦ୍ୟୁତ ତାର ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ ତାରଗୁଡ଼ିକୁ ଉପଯୁକ୍ତ ଉଚ୍ଚତାରେ ଟାଣିବା ସହ ବଙ୍କା ଖୁଣ୍ଟଗୁଡ଼ିକର ମରାମତି କରିବାକୁ ଦାବି ହୋଇଛି।
ଅନ୍ୟପକ୍ଷରେ, କେତେକ ସ୍ଥାନରେ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ କେବୁଲ ତାର ବିଛାଯାଇଥିଲେ ମଧ୍ୟ ତାହା ଠିକ ଭାବେ ଟଣାଯାଇନଥିବା ଅଭିଯୋଗ ହେଉଛି। ଏପରିକି କେବୁଲ ବିଛାଯାଇଥିବା କେତେକ ଅଞ୍ଚଳରେ ଟ୍ରାନ୍ସଫର୍ମରଗୁଡ଼ିକ ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ରହିଛି। ଏହା ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସହ ବିଦ୍ୟୁତ ଚୋରି କରି ଶିକାର କରୁଥିବା ଶିକାରୀଙ୍କୁ ମଧ୍ୟ ସୁଯୋଗ ଦେଉଥିବା ଅଭିଯୋଗ ହୋଇଛି।
ହାତୀଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଅନ୍ୟପଟେ ବିଦ୍ୟୁତ ବ୍ୟବସ୍ଥାର ଏଭଳି ଅବହେଳା ଚିନ୍ତାର କାରଣ ପାଲଟିଛି। ତେଣୁ ଟାଟା ପାୱାର ଓ ବନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ହାତୀ କରିଡରରେ ଥିବା ସମସ୍ତ ବିଦ୍ୟୁତ ତାର, ଖୁଣ୍ଟ ଓ ଟ୍ରାନ୍ସଫର୍ମରର ନିୟମିତ ଯାଞ୍ଚ କରିବା ସହ ତୁରନ୍ତ ମରାମତି ଓ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ସାଧାରଣରେ ଦାବି ହୋଇଛି।
More Stories
ସରକାରଙ୍କ ବଡ଼ ଘୋଷଣା! ଦୀପାବଳିରେ ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେମିତି ଉଠାଇବେ ଲାଭ ।
ଟାଇଗର ଶ୍ରଫ ନୁହେଁ ଏହି ସେଲିବ୍ରିଟି ଥିଲେ ଟାର୍ଗେଟରେ…ଗୁଳିମାଡ଼ ମାମଲାରେ ଚାଞ୍ଚଲ୍ୟକର ଖୁଲାସା
ପୁରୀରେ ଚାଞ୍ଚଲ୍ୟ: ମା’ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଷରେ ପୁଲିସ ଜାଲରେ ।