ଯମୁନା ନଦୀର ପୁନରୁଦ୍ଧାର ଓ ସ୍ୱଚ୍ଛତାକୁ ନେଇ ବଡ଼ ଘୋଷଣା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଗୁରୁବାର ଦିଲ୍ଲୀର ଦ୍ୱାରକାଠାରେ ଯମୁନା ପୁନରୁଦ୍ଧାର ସହ ଜଡ଼ିତ ୮,୯୪୧ କୋଟି ଟଙ୍କାର ୪୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ଦୂଷିତ ଜଳ ବିଶୋଧନ, ସ୍ୱେରେଜ୍ ପରିଚାଳନା ଏବଂ ପାନୀୟ ଜଳ ସମ୍ପର୍କିତ କାର୍ଯ୍ୟ ସାମିଲ ରହିଛି।
ଏହି ଅବସରରେ ଅମିତ ଶାହା କହିଛନ୍ତି ଯେ, ୨୦୨୯ ମେ’ ପୂର୍ବରୁ ଯମୁନାକୁ ସ୍ୱଚ୍ଛ କରି ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରାଯିବ । ଏଥିପାଇଁ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣା ସରକାରଙ୍କ ମଧ୍ୟରେ ଏକ ସମୟବଦ୍ଧ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି । ଉତ୍ତରପ୍ରଦେଶ ଓ ହରିୟାଣାରୁ ମଧ୍ୟ ଦୂଷିତ ଜଳ ଯମୁନା ନଦୀକୁ ପ୍ରବେଶ କରୁଛି। ତେଣୁ ତିନୋଟି ରାଜ୍ୟର ସମନ୍ୱୟରେ ନଦୀକୁ ସ୍ୱଚ୍ଛ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏହି ଲକ୍ଷ୍ୟ ଦିଗରେ ଏପର୍ଯ୍ୟନ୍ତ ୪୦ ପ୍ରତିଶତରୁ ଅଧିକ କାମ ଆଗେଇଥିବା ଶାହା ଦାବି କରିଛନ୍ତି ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଯମୁନା ସଫେଇ ପାଇଁ ଆବଶ୍ୟକ ପଦକ୍ଷେପ ନେଇନଥିଲେ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରି ଅମିତ ଶାହା କହିଛନ୍ତି ଯେ, ପୂର୍ବ ସରକାର କେବଳ ଆବର୍ଜନା ପାହାଡ଼କୁ ନେଇ ରାଜନୀତି କରୁଥିଲେ। ଅନ୍ୟପଟେ ବର୍ତ୍ତମାନର ସରକାର ଆବର୍ଜନା ପାହାଡ଼ ହ୍ରାସ କରିବା ସହ ସେଠାରେ ସବୁଜିମା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି ।
ନିର୍ବାଚନ ଆୟୋଗ ଓ ଭୋଟ୍ ଚୋରି ଅଭିଯୋଗକୁ ନେଇ ଅମିତ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ରାହୁଲ ଗାନ୍ଧି ଓ ତାଙ୍କ ସହଯୋଗୀମାନେ ଅନୁପ୍ରବେଶକାରୀଙ୍କ ଭୋଟ୍ ସୁରକ୍ଷା କରିବା ପାଇଁ ଭୋଟ୍ ଚୋରି ଅଭିଯୋଗ ଉଠାଉଛନ୍ତି। ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସକୁ କ୍ଷମତା ମିଳିବ ନାହିଁ। ଏଥିସହ ବିଭିନ୍ନ ରାଜ୍ୟରେ କଂଗ୍ରେସର ନିର୍ବାଚନୀ ପରାଜୟକୁ ନେଇ ମଧ୍ୟ ସେ ଦଳକୁ ସମାଲୋଚନା କରିଛନ୍ତି।
ପଞ୍ଜାବରେ ଆପ୍ ସରକାରକୁ ନେଇ ମଧ୍ୟ ଶାହା ଟିପ୍ପଣୀ ଦେଇଛନ୍ତି। ପଞ୍ଜାବରେ ଭାଜପା ଓ ଏନ୍ଡିଏର ଭବିଷ୍ୟତକୁ ନେଇ ଦାବି କରିବା ସହ ରାଜ୍ୟରେ ନିଶା କାରବାର ବନ୍ଦ କରିବା ତାଙ୍କ ଦଳର ଲକ୍ଷ୍ୟ ବୋଲି କହିଛନ୍ତି।
