ଫେଲ୍‌ ମାରିଛିି ସୁନେତ୍ର ଯୋଜନା


ରାୟଗଡ଼ା,୭।୯ :-ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇ ଦେବା ପାଇଁ ୨୦୧୯ରୁ ରାୟଗଡ଼ା ଜିଲାରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ସହାୟକଙ୍କ ସମେତ ବିଭିନ୍ନ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଯାହାର ପରଳ ଦୋଷ ରହିଛି ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଅସ୍ତ୍ରୋପଚାର କରାଯିବ। ଯେଉଁ ମାନଙ୍କର ଚଷମାର ଆବଶ୍ୟକତା ରହିଛି ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଇବାର ବ୍ୟବସ୍ଥା ରହିଛି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଏହି ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି। ଲୋକେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚକ୍ଷୁ ପରୀକ୍ଷା ପାଇଁ ଆସୁଥିବା ବେଳେ ଡାକ୍ତର ମଧ୍ୟ ଆବଶ୍ୟକତା ଅନୁଯାୟୀ ଚଷମା ଲେଖିଥାନ୍ତି। ଏଥିସହ ଚିକିତ୍ସାଳୟରେ ଲୋକେ କିପରି ସହଜ ସୁବିଧାରେ ଚଷମା ପାଇବେ ସେଥିପାଇଁ ଅଧିକାରୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ହେଲେ ଲୋକଙ୍କୁ ଠିକ୍‌ ସମୟରେ ଚଷମା ମିଳୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୫ ବର୍ଷରେ ୧୦୯୭ ଚଷମା ବଣ୍ଟା ନ ହୋଇ ଖତ ଖାଉଥିବା ଦେଖିବାକୁ ମିଳିଛି। ସାମାନ୍ୟ ପରିଚାଳନାଗତ ତ୍ରୁଟି ଯୋଗୁ ଗରିବ ଲୋକ ସୁବିଧା ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି।ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯-୨୦ ମସିହାରେ ୧୧୦୭ ଚଷମାର ଆବଶ୍ୟକତା ଥିବା ମେଡିକାଲ ପକ୍ଷରୁ ବରାଦ କରାଯାଇଥିଲା। ସେଥିରୁ ୮୬୧ ଚଷମା ବଣ୍ଟନ କରାଯାଇଥିବାବେଳେ ୨୪୬ ଚଷମା ବଣ୍ଟା ନ ଯାଇ ପଡ଼ିରହିଛି। ସେହିପରି ୨୦୨୦-୨୧ରେ ୬୪୯ ଚଷମା ଆବଶ୍ୟକ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। ସେଥିରୁ ୪୯୮ ଚଷମା ବଣ୍ଟାଯାଇଥିବାବେଳେ ୧୫୧ ବଳକା ଚଷମା ମେଡିକାଲରେ ପଡ଼ି ରହିଛି । ୨୦୨୧-୨୨ରେ ବରାଦ ଅନୁଯାୟୀ ୧୨୩୬ ଚଷମା ମେଡିକାଲକୁ ଆସିଥିବାବେଳେ ସେଥିରୁ ୮୦୬ ଚଷମା ବଣ୍ଟନ କରାଯାଇଛି ଏବଂ ୩୦୮ ବଣ୍ଟା ନ ହୋଇ ପଡିରହିଛି । ସେହିପରି ୨୦୨୨-୨୩ରେ ୭୭୦ଜଣଙ୍କର ଚଷମା ଆବଶ୍ୟକ ଥିବାବେଳେ ୩୭୮ ଚଷମା ବଣ୍ଟନ କରାଯାଇଛି ଏବଂ ୩୯୨ ଚଷମା ମେଡିକାଲରେ ପଡ଼ି ରହିଥିବା ଜଣାପଡିଛି l ସମଗ୍ର ରାୟଗଡ଼ା ଜିଲାକୁ କେତେ ଚଷମା ରାଜ୍ୟସ୍ତରରୁ ଆସୁଛି ତାହାର ହିସାବ କାହା ପାଖରେ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମେଡିକାଲ ସମ୍ମୁୁଖରେ ଥିବା ଚଷମା ଦୋକନରେ ବରାଦ ଦେଲେ ୧ ଘଣ୍ଟା ମଧ୍ୟରେ ଚଷମା ମିଳୁଥିବାବେଳେ ସରକାରୀ ମେଡିକାଲରେ ଚଷମା ପାଇଁ ଆବେଦନ କଲେ ବର୍ଷକରୁ ଅଧିକ ସମୟ ଲାଗୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚେନ୍ନାଇସ୍ଥିତ ଏକ ଘରୋଇ ସଂସ୍ଥା ମାଧ୍ୟମରେ ଜିଲାକୁ ଚଷମା ଆସୁଥିବାରୁ ଚଷମା ଆସିବାରେ ବିଳମ୍ବ ହେଉଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଚଷମା ଆସିବା ପରେ ଲୋକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି କିଏ ଡାକିବ ତାକୁ ନେଇ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଚଷମା ଆସିଲାଣି କି ନାହିଁ ବାରମ୍ବାର ବୁଝୁଥିଲେ ମଧ୍ୟ ଚଷମା ଆସିନି ବୋଲି କହି କର୍ତ୍ତୃପକ୍ଷ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ବାହାର ଦୋକାନରୁ ଚଷମା ଆଣୁଥିବା କହିଛନ୍ତି।


error: Content is protected !!