ଏନଭିଡିଆର ସିଇଓ ଜେନସେନ ହୁଆଙ୍ଗଙ୍କ ଚୀନର ଲେଡି ଗୁପ୍ତଚରଙ୍କ ସହ ପ୍ରେମ ସଂପର୍କ ଉଜାଗର ହେବା ପରେ କମ୍ପାନିର ପ୍ରତିଷ୍ଠା ପ୍ରତି ଆଞ୍ଚ ଆସିଛି। ଏନଭିଡିଆର ଉନ୍ନତ ଏଆଇ ଚିପ୍ ରପ୍ତାନିକୁ ନେଇ ଆମେରିକାରେ ବଢ଼ୁଥିବା ସନ୍ଦେହ ଏବେ ନୂଆ ମୋଡ଼ ନେଇଛି। ସିଙ୍ଗାପୁରର ଚିପ୍ କମ୍ପାନୀ ମେଗାସ୍ପିଡ୍ ଇଣ୍ଟରନ୍ୟାସନାଲ ନିଜର ରପ୍ତାନି କାରବାରର ଯାଞ୍ଚ ଆରମ୍ଭ କରିଛି।
ଏହି ଘଟଣା ଏନଭିଡିଆର ମୁଖ୍ୟ ଜେନସେନ୍ ହୁଆଙ୍ଗଙ୍କୁ ନେଇ ଉଠିଥିବା ବିବାଦ ସହ ମଧ୍ୟ ଯୋଡ଼ି ହୋଇଛି। ନଭେମ୍ବର ୧୨ ତାରିଖ ଗୁରୁବାର ମେଗାସ୍ପିଡ୍ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀର ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ (ଜିପିୟୁ) ରପ୍ତାନି ପ୍ରକ୍ରିୟା ଏବଂ ଆମେରିକାର ରପ୍ତାନି ନିୟମ ପାଳନ ସମ୍ପର୍କରେ ବ୍ୟାପକ ଯାଞ୍ଚ କରାଯିବ। ଏଥିପାଇଁ ଆମେରିକାର ଏକ ପ୍ରମୁଖ ଆଇନ ସଂସ୍ଥାକୁ ନିଯୁକ୍ତ କରାଯାଇଛି। କମ୍ପାନୀର ମୁଖ୍ୟ ତାନ୍ ୟୋଙ୍ଗ ପୋଙ୍ଗ କହିଛନ୍ତି, ଆମେରିକାର ରପ୍ତାନି ନିୟନ୍ତ୍ରଣ ଆଇନ ପାଳନକୁ ମେଗାସ୍ପିଡ୍ ଗୁରୁତ୍ୱ ଦେଉଛି।
ଏହା କମ୍ପାନୀର ମୌଳିକ ପ୍ରାଥମିକତା। ଏହି ପ୍ରକ୍ରିୟାରେ ଆମେରିକା ସରକାରଙ୍କ ସହ ପାରଦର୍ଶିତା ଓ ସହଯୋଗର ସହ କାମ କରିବାକୁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। କ’ଣ ରହିଛି ଏନଭିଡିଆ ବିବାଦ ? ଏନଭିଡିଆର ସଂସ୍ଥାପକ ତଥା ଜେନସେନ୍ ହୁଆଙ୍ଗଙ୍କ ସହ ଆଲିସ୍ ହୁଆଙ୍ଗ ନାମକ ଜଣେ ମହିଳାଙ୍କ ସମ୍ପର୍କକୁ ନେଇ ବିବାଦ ଆରମ୍ଭ ହୋଇଥିଲା।
ଆଲିସ୍ ମେଗାସ୍ପିଡ୍ର ପୂର୍ବତନ ଅଧିକାରୀ ଥିଲେ। ତାଙ୍କ ଉପରେ ଚୀନ୍ ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଅଭିଯୋଗ ରହିଛି। ତେବେ ଏହି ଅଭିଯୋଗକୁ ଚୀନ୍ ଖଣ୍ଡନ କରିଛି। ରିପୋର୍ଟ ଅନୁଯାୟୀ, ଜେନସେନ୍ ନିଜ ପତ୍ନୀଙ୍କ ବିଶ୍ଵାସ ଭାଙ୍ଗିଥିବା କଥା ସ୍ୱୀକାର କରିଛନ୍ତି।
ଏହାପରେ ଏନଭିଡିଆର ବୋର୍ଡ ଘଟଣାର ଯାଞ୍ଚ ପାଇଁ ଏକ ନିରପେକ୍ଷ ତଦନ୍ତ ଆରମ୍ଭ କରିଥିବା କୁହାଯାଉଛି। ଏପରିକି ଏହି ବିବାଦ ପରେ ଜେନସେନ୍ଙ୍କ ପଦବୀ ଉପରେ ମଧ୍ୟ ବୋର୍ଡ ବିଚାର କରୁଥିବା ଖବର ପ୍ରକାଶ ପାଇଛି। ତେବେ କମ୍ପାନୀ ପକ୍ଷରୁ ଏହି ସମ୍ପର୍କିତ ଗୁଜବ ଓ ଅଭିଯୋଗ ଉପରେ ସ୍ପଷ୍ଟ ସୂଚନା ମିଳିନାହିଁ। ଏନଭିଡିଆ କହିଛି ଯେ, କମ୍ପାନୀର ବାଣିଜ୍ୟିକ ଗୁପ୍ତ ତଥ୍ୟ କିମ୍ବା ଆମେରିକାର ଜାତୀୟ ସୁରକ୍ଷା ସମ୍ପର୍କିତ ସୂଚନା ଲିକ୍ ହୋଇଥିବାର କୌଣସି କାରଣ ଏଯାଏଁ ମିଳିନାହିଁ।
ତଥାପି ଏହି ଘଟଣା ଆମେରିକାର ଚିପ୍ ରପ୍ତାନି ନୀତି ଏବଂ ଜାତୀୟ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ୪.୮ ବିଲିୟନ୍ ଡଲାରର ଚିପ୍ କାରବାରକୁ ନେଇ ସନ୍ଦେହ ସୂଚନା ଅନୁଯାୟୀ, ମେଗାସ୍ପିଡ୍ ଜୁନ୍ ୨୦୨୪ରୁ ଏଯାଏଁ ୪.୮ ବିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ଏନଭିଡିଆ ଏଆଇ ଚିପ୍ କିଣିଛି। ତେବେ ଏହି ଚିପ୍ଗୁଡ଼ିକ ଉପରେ ଆମେରିକାର କିଛି ରପ୍ତାନି କଟକଣା ରହିଥିବା ବେଳେ, ସେଗୁଡ଼ିକୁ ବେଆଇନ ଭାବେ ଚୀନ୍କୁ ପଠାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ମାମଲାରେ ମେଗାସ୍ପିଡ୍ର କାରବାର ମଧ୍ୟ ତଦନ୍ତ ପରିସରକୁ ଆସିଛି।
ଆଲିସ୍ଙ୍କ ଚୀନ୍ ଲିଙ୍କ୍ ନେଇ ତଦନ୍ତ ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଆଲିସ୍ ଏବେ ଆମେରିକାରେ ନାହାନ୍ତି ଏବଂ ଚୀନ୍ ଫେରିଯାଇଛନ୍ତି। ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ଗତ ଦୁଇ ବର୍ଷ ଧରି ତାଙ୍କ ଗତିବିଧି ଉପରେ ନଜର ରଖିଥିବା ଖବର ରହିଛି। ତଦନ୍ତକାରୀଙ୍କ ସନ୍ଦେହ ଯେ, ଚୀନ୍ର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରଣାଳୟ ତାଙ୍କୁ ଏନଭିଡିଆର ଅତ୍ୟାଧୁନିକ ଚିପ୍ ସମ୍ପର୍କିତ ତଥ୍ୟ ହାସଲ ପାଇଁ ନିଯୁକ୍ତ କରିଥାଇପାରେ। ଆହୁରି ଅଭିଯୋଗ ହୋଇଛି ଯେ, ଆଲିସ୍ ଜେନସେନ୍ଙ୍କୁ ପ୍ରଭାବିତ କରି ମେଗାସ୍ପିଡ୍କୁ କୋଟି କୋଟି ଡଲାରର ଉନ୍ନତ ଚିପ୍ ବିକ୍ରି କରାଇବାରେ ଭୂମିକା ନେଇଥାଇପାରନ୍ତି। ଆମେରିକାର ତଦନ୍ତକାରୀଙ୍କ ସନ୍ଦେହ ଯେ, ମେଗାସ୍ପିଡ୍କୁ ମାଧ୍ୟମ କରି ଏହି ଚିପ୍ଗୁଡ଼ିକୁ ଚୀନ୍କୁ ପଠାଯାଇଥାଇପାରେ।
