ଲାଞ୍ଜିଗଡ,(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ ପରିସର ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଗୁରୁବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ (ବିଭିଓ) ଡା. ସୁଜିତ କୁମାର ଶତପଥୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନିହାର ରଞ୍ଜନ ବେହେରା ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ (ଏଡିଭିଓ) ଡା. ଦୀପକ କୁମାର ଦେଓରା ଓ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ରାଜ୍ୟ ସମ୍ପାଦିକା ଡା.ସୁନୀତି ମୁଣ୍ଡ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ଲାଞ୍ଜିଗଡ ଜୋନ-୧ ଜିଲ୍ଲା ପରିଷଦ ସଦଭ୍ୟା ଅଞ୍ଜଳି ମାଝୀ, ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଲାଞ୍ଜିଗଡ ପଞ୍ଚାୟତ ସମିତି ସମିତିସଭ୍ୟ ସଂଘର ସମ୍ପାଦକ ମନୋହର ହରପାଲ, ସମାଜସେବୀ ହରିହର କୁମାର, ଲାଞ୍ଜିଗଡ ବ୍ଳକ ଜୋନ୍-୧ ମଣ୍ଡଳ ସଭାପତି ତୁଳସୀ ମାଝୀ ଏବଂ ଜୋନ୍-୨ ମଣ୍ଡଳ ସଭାପତି ନରେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

ମତ୍ସ୍ୟଚାଷ ଓ ପଶୁପାଳନକୁ କିଭଳି ଏକ ଲାଭଜନକ ଜୀବିକା ତଥା ଆତ୍ମନିର୍ଭରଶୀଳତାର ମାଧ୍ୟମ ଭାବେ ଗଢ଼ିତୋଳାଯାଇପାରିବ, ସେ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ପାରମ୍ପରିକ ଚାଷ ପଦ୍ଧତି ସହିତ ଆଧୁନିକ ଜ୍ଞାନକୌଶଳର ସମନ୍ୱୟ କରି ନିଜର ଆୟ ବୃଦ୍ଧି କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାକୁ ଅତିଥିମାନେ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ବିଭାଗୀୟ ଅଧିକାରୀମାନେ ଚାଷୀମାନଙ୍କୁ ଆଧୁନିକ ମତ୍ସ୍ୟଚାଷ ପ୍ରଣାଳୀ, ଉନ୍ନତ ପଶୁପାଳନ ପଦ୍ଧତି, ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ସହାୟତା ଓ ସବସିଡି ସୁବିଧା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ଲକର ଶ୍ରେଷ୍ଠ ଚାଷୀମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଥିସହ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ସବସିଡି ଚେକ୍ ବଣ୍ଟନ କରାଯାଇଥିଲା। ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ୧୪ଟି ସଚେତନତା ଷ୍ଟଲ୍ ଖୋଲାଯାଇଥିବା ବେଳେ ବହୁ ସଂଖ୍ୟକ ମତ୍ସ୍ୟ ଓ ଗୋପାଳନ ଚାଷୀ ଯୋଗ ଦେଇଥିଲେ। ସ୍ଥାନୀୟ ଗୋପବନ୍ଧୁ ବିଦ୍ୟାଳୟ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ମଧ୍ୟ ମେଳାରେ ସାମିଲ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ପଶୁପାଳନ ଓ ମତ୍ସ୍ୟଚାଷ ସମ୍ପର୍କିତ ବିଭିନ୍ନ ଜ୍ଞାନ ଆହରଣ କରିଥିଲେ। ସମାଜସେବୀ ଗୋପାଳ ଦାଶ ମହାନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଲାଞ୍ଜିଗଡ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡ଼. ଉଦିତ ନାରାୟଣ, ବିଶ୍ୱନାଥପୁର ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଅମିତ କୁମାର ସା ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
