କଂଗ୍ରେସ ଯେଉଁଠି ଜିତୁଛି ସେଠାରେ ଭୋଟ୍ ଚୋରି ହେଉନାହିଁ, ମାତ୍ର ବିଜେପି ଜିତିଲେ ଭୋଟ୍ ଚୋରି ହେଉଛି ବୋଲି ବିରୋଧୀଙ୍କ ଅଭିଯୋଗ ଦୋମୁହାଁ ନୀତିର ପରିଚୟ
•ଗରିବ ଓ ଜନଜାତିଙ୍କ ନେତୃତ୍ୱକୁ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ସହ୍ୟ କରିପାରୁନାହାନ୍ତି
• ‘ଅଙ୍ଗୁର କୋଳି ନ ପାଇଲେ ଖଟା’ ସଦୃଶ ନିର୍ବାଚନୀ ପରାଜୟ ପରେ କଂଗ୍ରେସର ନିରାଶାଭାବ ପଦାରେ ପଡ଼ିଛି
•ଏସଆଇଆର ବିରୋଧରେ ଆନ୍ଦୋଳନ କରି ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି କଂଗ୍ରେସ
•ଶହୀଦ ବାଜି ରାଉତ, ବିପ୍ଳବୀ ସାରଙ୍ଗଧର ଦାସ, ବୀର ବୈଷ୍ଣବ ଚରଣ ପଟ୍ଟନାୟକ ଓ ମହେଶ ଚନ୍ଦ୍ର ସୁବାହୁ ସିଂହଙ୍କ ବଳିଦାନକୁ ସ୍ମରଣ କଲେ ସାଂସଦ
•”ଲୋକତନ୍ତ୍ର ବଞ୍ଚାଓ – ଅରାଜକତା ହଟାଓ” ସ୍ଲୋଗାନକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ
ଢେଙ୍କାନାଳ, ନଭେମ୍ବର ୧୨, ୨୦୨୬ – କଂଗ୍ରେସ ନିର୍ବାଚନ ଜିତିଲେ ସବୁ ଠିକ୍, କିନ୍ତୁ ମାତ୍ର ବିଜେପି ଜିତିଲେ ଭୋଟ୍ ଚୋରି ଅଭିଯୋଗ ସେମାନଙ୍କ ଦୋମୁହାଁ ନୀତିର ପରିଚୟ ବୋଲି ଗୁରୁବାର ଢେଙ୍କାନାଳ ଠାରେ ଅନୁଷ୍ଠିତ “ଲୋକତନ୍ତ୍ର ବଞ୍ଚାଓ – ଅରାଜକତା ହଟାଓ” ପଦଯାତ୍ରା ଓ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ବୀର ପ୍ରସବିନୀ ଢେଙ୍କାନାଳ ମାଟିର ସର୍ବକନିଷ୍ଠ ଶହୀଦ ବାଜି ରାଉତ, ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ବିପ୍ଳବୀ ସାରଙ୍ଗଧର ଦାସ, ବୀର ବୈଷ୍ଣବ ଚରଣ ପଟ୍ଟନାୟକ ଏବଂ ମହେଶ ଚନ୍ଦ୍ର ସୁବାହୁ ସିଂହଙ୍କ ସ୍ମୃତିଚାରଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ମହାନ ସଂଗ୍ରାମୀମାନଙ୍କର ଅତୁଳନୀୟ ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଆମେ ଏକ ସ୍ୱାଧୀନ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଶ୍ୱାସ ନେଉଛୁ।
ବିରୋଧୀ ଦଳଗୁଡ଼ିକର ଆଚରଣ ଉପରେ ତୀବ୍ର ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗଣତନ୍ତ୍ରର ବାସ୍ତବ ଶକ୍ତି ଯୋଗୁଁ ଆଜି ଓଡ଼ିଶାର ଜଣେ ଜନଜାତି ଘରର ଝିଅ ଆଦରଣୀୟ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ ଦେଶର ରାଷ୍ଟ୍ରପତି ଏବଂ ଜଣେ ସାଧାରଣ ଚା’-ବିକାଳିଙ୍କ ପୁଅ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । କିନ୍ତୁ ଦୀର୍ଘ ସମୟର ଶାସନ କାଳରେ ଜନସେବା ନକରି ଦେଶକୁ କେବଳ ନିଜ ପରିବାରର ସମ୍ପତ୍ତି ଭାବୁଥିବା କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ଶୀର୍ଷ ନେତୃତ୍ୱ ଏହି ଗରିବ ଓ ଜନଜାତିଙ୍କ ନେତୃତ୍ୱକୁ କଦାପି ସହ୍ୟ କରିପାରୁନାହାନ୍ତି।
କଂଗ୍ରେସର ଦୋମୁହାଁ ନୀତିକୁ ସମାଲୋଚନା କରି ସାଂସଦ କହିଛନ୍ତି ଯେ, କଂଗ୍ରେସ ଯେଉଁଠି ଜିତୁଛି ସେଠାରେ ଭୋଟ୍ ଚୋରି ହେଉନାହିଁ, ମାତ୍ର ବିଜେପି ଜିତିଲେ ଭୋଟ୍ ଚୋରି ହେଉଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ବିଜେପି ଯେଉଁଠି ନିର୍ବାଚନ ହାରୁଛି, ତାକୁ ଜନମତ ଭାବି ମୁଣ୍ଡପାତି ସ୍ୱୀକାର କରୁଛି। ‘ଅଙ୍ଗୁର କୋଳି ନ ପାଇଲେ ଖଟା’ ସଦୃଶ ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ବାରମ୍ବାର ନିର୍ବାଚନୀ ପରାଜୟରେ ହତାଶ ହୋଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ନେତାମାନେ ଆଜି ସଂସଦକୁ ଅଚଳ କରିବା ସହ ଗଣତନ୍ତ୍ର, ସମ୍ବିଧାନ, ନିର୍ବାଚନ ଆୟୋଗ ଏବଂ ଜନମତ ବିରୋଧରେ ମିଥ୍ୟା ଅପପ୍ରଚାର ଚଳାଇଛନ୍ତି।
ଭୋଟ୍ ଚୋରି ଓ ଭୋଟର ତାଲିକା ଶୁଦ୍ଧୀକରଣ (ଏସଆଇଆର) ପ୍ରକ୍ରିୟାକୁ ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛି। ପ୍ରକୃତରେ ସେମାନେ ସାଧାରଣ ଜନତାଙ୍କ ଅଧିକାର ପାଇଁ ନୁହେଁ, ବରଂ ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏହି ମିଥ୍ୟା କାହାଣୀ ରଚୁଛନ୍ତି। ବାବରୀ ମସଜିଦ୍କୁ ନେଇ କାନ୍ଦଣା, ବଟଲା ହାଉସ୍ ଏନକାଉଣ୍ଟରରେ ଆତଙ୍କବାଦୀଙ୍କ ପାଇଁ ସମବେଦନା ଏବଂ ଦେଶର ସେନାର ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇବା ସେମାନଙ୍କର ତୁଷ୍ଟୀକରଣ ଓ ଦେଶବିରୋଧୀ ଚେହେରାକୁ ପଦାରେ ପକାଇଛି।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ‘ଡବଲ୍ ଇଞ୍ଜିନ୍ ସରକାର’ ଆଜି ଓଡ଼ିଶାର ପ୍ରତ୍ୟେକ ଗରିବ, ଚାଷୀ, ମହିଳା ଓ ଯୁବବର୍ଗଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି। ରାଜ୍ୟରେ ବିକାଶର ଏହି ଅଭିଯାନକୁ ଆହୁରି ଗତିଶୀଳ କରିବା ସହ ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଏକାଠି ହୋଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ଅରାଜକତା ବିରୋଧରେ ଗାଁ ଗାଁରେ ଜନଜାଗରଣ ସୃଷ୍ଟି କରିବା ଏବଂ “ଲୋକତନ୍ତ୍ର ବଞ୍ଚାଓ – ଅରାଜକତା ହଟାଓ” ସ୍ଲୋଗାନକୁ ଘରେ ଘରେ ପହଞ୍ଚାଇବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।
ଏହି ପଦଯାତ୍ରା ଓ ସାଧାରଣ ସଭାରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣିଙ୍କ ସମେତ ଜିଲ୍ଲାର ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।
