|କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ଇଷ୍ଟର୍ଣ୍ଣ ଜୋନ୍ NSS ପ୍ରି-ରିପବ୍ଲିକ୍ ଡେ କ୍ୟାମ୍ପ-୨୦୨୬। ନଭେମ୍ବର ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ କିଟ୍ ପରିସରରେ ୧୦ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବ। ଆସନ୍ତାକାଲି ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦେବେ।
କିଟ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ ଓ NSSର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।
ଏଥିରେ ପୂର୍ବାଞ୍ଚଳର ୧୦ଟି ରାଜ୍ୟରୁ ପ୍ରାୟ ୨୦୦ ଜଣ ମନୋନୀତ NSS ସ୍ୱେଚ୍ଛାସେବୀ ଯୋଗଦେବେ । ଏହି ଶିବିର ଏକ ଚୟନ ପ୍ରକ୍ରିୟା ହୋଇଥିବାବେଳେ ଏଠାରୁ ମନୋନୀତ ସ୍ୱେଚ୍ଛାସେବୀମାନେ ଆଗାମୀ ଜାନୁଆରୀ ୨୦୨୭ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସ ପରେଡ୍ରେ ଅଂଶଗ୍ରହଣ କରିବେ। ୨୦୦ ଜଣଙ୍କ ମଧ୍ୟରୁ ୩୪ ଜଣଙ୍କୁ ଚୟନ କରାଯିବ। ସେଥିମଧ୍ୟରୁ ଓଡ଼ିଶାର ୪ ଜଣ ଛାତ୍ର ଓ ୪ ଜଣ ଛାତ୍ରୀ ସୁଯୋଗ ପାଇବେ।
ଶିବିରରେ ସ୍ୱେଚ୍ଛାସେବୀଙ୍କ ଶାରୀରିକ ଦକ୍ଷତା, ଶୃଙ୍ଖଳା, ପରେଡ୍ ଓ ସାଂସ୍କୃତିକ ପ୍ରତିଭାକୁ ଗୁରୁତ୍ୱ ଦିଆଯିବ। ପ୍ରତିଦିନ ସକାଳ ୬ଟା ୩୦ରୁ ଯୋଗ, ଜୁମ୍ବା ଓ ସ୍ୱଚ୍ଛତା ଅଭିଯାନରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରେଡ୍ ଅଭ୍ୟାସ, ଅପରାହ୍ନ ୨ଟା ୩୦ରୁ ୪ଟା ପର୍ଯ୍ୟନ୍ତ ଶିକ୍ଷଣୀୟ ଅଧିବେଶନ ଏବଂ ୪ଟା ୩୦ରୁ ୬ଟା ପର୍ଯ୍ୟନ୍ତ ପୁନର୍ବାର ପରେଡ୍ ଅଭ୍ୟାସ କରାଯିବ। ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହେବ।
ଏହାସହ ଅନ୍ୟ ରାଜ୍ୟରୁ ଆସୁଥିବା ଯୁବପିଢ଼ିଙ୍କୁ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ପର୍ଯ୍ୟଟନସ୍ଥଳୀ ସହ ପରିଚିତ କରାଇବା ପାଇଁ ପୁରୀ, କୋଣାର୍କ ଓ ଧଉଳି ଆଦି ସ୍ଥାନକୁ ଫିଲ୍ଡ ଭିଜିଟ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ଓଡ଼ିଶାର ନବସୃଜନ, ସଫଳତା ଓ ସାଂସ୍କୃତିକ ବିଶେଷତ୍ୱ ସମ୍ପର୍କରେ ମଧ୍ୟ ସ୍ୱେଚ୍ଛାସେବୀମାନେ ଜାଣିବାର ସୁଯୋଗ ପାଇବେ।
୧୨୦ ବାଟାଲିୟନର ଅଧିକାରୀ ଓ ବ୍ୟାଣ୍ଡ୍ ଦଳ ସ୍ୱେଚ୍ଛାସେବୀଙ୍କୁ ପରେଡ୍ ତାଲିମ ପ୍ରଦାନ କରିବେ।ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ NSS ସମନ୍ୱୟ ଅଧିକାରୀ ଡକ୍ଟର ସ୍ମୃତିରଞ୍ଜନ ଦାସ, କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, NSS ଆଞ୍ଚଳିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର କୁଶୱାହା ଏବଂ NSS କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ପ୍ରଭାତ କୁମାର ରାଉତ ଉପସ୍ଥିତ ରହି ଶିବିରର ଆୟୋଜନ ଓ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ।
