ବଢିଲା LPG ଡିଷ୍ଟ୍ରିବ୍ୟୁଟର କମିଶନ, ଜାଣନ୍ତୁ କେତେ ଥିଲା ହେଲା କେତେ?


ସରକାର ଏଲପିଜି ଡିଷ୍ଟ୍ରିବ୍ୟୁଟରଙ୍କ କମିଶନ ଗତବର୍ଷ ମେ ମାସରେ ଧାର୍ଯ୍ୟ କରିଥିଲେ। ସେତେବେଳେ ସିଲିଣ୍ଡର ପିଛା ଡିଷ୍ଟ୍ରିବ୍ୟୁଟରଙ୍କୁ ୬୪.୮୪ ପଇସା କମିଶନ ଧାର୍ଯ୍ୟ କରାଯାଇଥିଲା। ଏବେ ଏହି କମିଶନରେ ସରକାର ସୁଧାର କରିଛନ୍ତି। ଫଳରେ ଡିଷ୍ଟ୍ରିବ୍ୟୁଟର କମିଶନ ୭୩.୦୮ ପ୍ଇସାକୁ ବୃଦ୍ଧି ହୋଇଛି। ଫଳରେ ଡିଷ୍ଟ୍ରିବ୍ୟୁଟରଙ୍କୁ ଏକକାଳୀନ ୮ଟଙ୍କା ୨୪ ପଇସାର ଲାଭ ଦିଆଯାଇଛି।ଏ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ତୈଳ ବିପଣନ କମ୍ପାନୀ(ଓଏମସି)ଙ୍କୁ ଏକ ପରିପତ୍ର ଜାରି କରିଛନ୍ତି।ଏହି ସର୍କୁଲାରରେ ୧୪.୨ କେଜି ସିଲିଣ୍ଡର ପିଛା ଡିଷ୍ଟ୍ରିବ୍ୟୁଟର କମିସନକୁ ସଂଶୋଧନ କରି ୭୩.୦୮ ପଇସା କରିଦିଆଯାଇଥିବା ସୂଚିତ କରିଛନ୍ତି। ଏଥିରେ ଡିଷ୍ଟ୍ରିବ୍ୟୁଟରଙ୍କ ଏଷ୍ଟାବ୍ଲିସମେଣ୍ଟ ଚାର୍ଜ ବାବଦକୁ ୩୯.୬୫ ଟଙ୍କା ରଖିଥିବା ବେଳେ ଡେଲିଭର ଚାର୍ଜକୁ ସିଲିଣ୍ଡର ପିଛା ୩୩ଟଙ୍କା ୪୩ ପଇସା କରିଛନ୍ତି। ସେହିପରି ସରକାର ୫ କେଜି ସିଲିଣ୍ଡର ଉପରେ ମଧ୍ୟ ଡିଷ୍ଟ୍ରିବ୍ୟୁଟର କମିଶନ ବୃଦ୍ଧି କରିଛନ୍ତି। ଏଥିରେ ୧୯.୮୨ ପଇସା ଏଷ୍ଟାବ୍ଲିସମେଣ୍ଟ ଚାର୍ଜ ରଖିଥିବା ବେଳେ ସିଲିଣ୍ଡର ପିଛା ଡେଲିଭରି ଚାର୍ଜ ୧୬.୭୨ ଟଙ୍କା କରିଛନ୍ତି।ସରକାର ଏହି ପରିବର୍ତ୍ତନ ଏପରି ସମୟରେ କରିଛନ୍ତି ଯେତେବେଳେ ଦେଶରେ ଖୁଚୁରା ମୁଦ୍ରାସ୍ପିତି ଓ ଆଗାମୀ ବିଧାନସଭା ନିର୍ବାଚନ ଲାଗି ଏଲପିଜି ମୂଲ୍ୟ ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଉପାୟ ଘୋଷଣା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗତ ଅକ୍ଟୋବର ୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ହିତାଧିକାରୀଙ୍କ ନିମନ୍ତେ ରୋଷେଇ ଗ୍ୟାସ୍ ମୂଲ୍ୟରେ ଅତିରିକ୍ତ ୧୦୦ ଟଙ୍କାର ସବସିଡିକୁ ମଞ୍ଜୁରି ଦେଇଥିଲେ। ଫଳରେ ୯ କୋଟିରୁ ଅଧିକ ହିତାଧିକାରୀଙ୍କ ନିମନ୍ତେ ମୋଟ ଏଲପିଜି ସବସିଡି ୩୦୦ ଟଙ୍କା ହୋଇଯାଇଛି।ଉଲ୍ଲେଖଯୋଗ୍ୟ ଯେ ଗତମାସରେ କେନ୍ଦ୍ର କ୍ୟାବିନେଟ୍ ଏଲପିଜି ମୂଲ୍ୟରେ ପ୍ରତି ସିଲିଣ୍ଡର ୨୦୦ ଟଙ୍କା ହ୍ରାସକୁ ମଞ୍ଜୁରି ଦେଇଥିଲେ। ଏବେର ତାଜା ନିଷ୍ପତ୍ତି ଅନୁସାରେ ଉଜ୍ଜ୍ୱଳା ଗ୍ୟାସ୍ ହିତାଧିକାରୀଙ୍କୁ ପ୍ରତି ଏଲପିଜି ସିଲିଣ୍ଡର କିଣିବାକୁ ୬୦୩ ଟଙ୍କା ପୈଠ କରିବାକୁ ହେବ। ତେବେ ଦେଶରେ ସାଧରଣ ଗ୍ୟାସ ଉପଭୋକ୍ତା ଏବେବି ପ୍ରତି ୧୪.୨ କେଜି ଏଲପିଜି ସିଲିଣ୍ଡରକୁ ୯୦୩ ଟଙ୍କା ଦେଇ କ୍ରୟ କରୁଛନ୍ତି।


error: Content is protected !!