ଶ୍ରଦ୍ଧାର ସୁମନ ଶହୀଦ ବାଜି ରାଉତ


ଆଶ୍ୱିନ ମାସ ରାତିର ମୃଦୁମନ୍ଦ ପବନରେ ଡଙ୍ଗା ଭିତରେ ଆଖି ଲାଗିଯାଇଥିଲା ୧୨ ବର୍ଷର କିଶୋରର । ହଠାତ୍ ଚାପା ଚିତ୍କାର ଶୁଣି ଧଡପଡ ହୋଇ ଉଠିପଡିଲା ସେ । ନିଦୁଆ ଆଖି ମେଲି ଦେଖିଲା ତା’ର ଆଗରେ ଛିଡା ହୋଇଛନ୍ତି ଜଣେ ଗୋରା ସାହେବ ଏବଂ ତାଙ୍କ ପଛକୁ ଦଳେ ସଶସ୍ତ୍ର ସୈନ୍ୟ । ସାହେବଙ୍କର ହୁକୁମ ଜଲ୍‌ଦି ବ୍ରାହ୍ମଣୀ ନଦୀ ପାରି କରାଇବାକୁ ହେବ ।କିନ୍ତୁ କିଶୋରଟି ଅଚଳ , ପ୍ରତିକ୍ରିୟା ଶୂନ୍ୟ । ଯେତେ ନାଲି ଆଖି ଦେଖାଇଲେ ବି ଆଦୌ ହଲଚଲ ହେଉନାହିଁ କାରଣ ଅତ୍ୟାଚାରୀ ବ୍ରିଟିଶ ଶାସକଙ୍କର କାହାରିକି ସେ ନଈ ପାରି କରାଇବ ନାହିଁ । ସାଧାରଣ ଜଣେ କିଶୋର ର ଏଭଳି ଦୁଃସାହସ ! ମୁହୂର୍ତ୍ତକ ମଧ୍ୟରେ ଡଙ୍ଗା ଭିତରେ ହିଁ ଲୋଟି ପଡ଼ିଲା ତାର ନିଥର ଦେହ । ପ୍ରଥମେ ମୁଣ୍ଡରେ ବାୟୋନେଟ୍‌ର ଆଘାତ । ତା’ପରେ ଛାତିରେ ଓ ମୁଣ୍ଡରେ ଗୁଳି । ଡଙ୍ଗା ଭିତରେ ପଡି ରହିଲା ୧୨ ବର୍ଷ ବୟସର ଗୋଟିଏ କିଶୋରର ନିର୍ଜୀବ ଦେହ , ପରାଧୀନ ଭାରତର ସର୍ବକନିଷ୍ଠ ଶହୀଦ ବାଜିରାଉତ । ସେଦିନଟି ଥିଲା ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ ।ଅକାଳମୃତ୍ୟୁ ର ମାତ୍ର କେଇଦିନ ପୂର୍ବରୁ ଥିଲା ତା’ର ଜନ୍ମଦିନ । ଅବଶ୍ୟ ଗରୀବ ପାଇଁ ଜନ୍ମଦିନ ର କୌଣସି ଅର୍ଥ ହିଁ ନ ଥାଏ ।ଅଭାବର ସଂସାର । ବାଜି ରାଉତ ର ମା ଆଖପାଖର ବିଭିନ୍ନ ଲୋକଙ୍କ ଘରେ ଢେଙ୍କି କୁଟୁଥିଲେ । ସେଥିରୁ ହିଁ ସାମାନ୍ୟ କିଛି ଖୁଦମିଶା ଚାଉଳ ଘରକୁ ଆସୁଥିଲା ।ଓଡିଶାର ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମର ଏକ ଦରିଦ୍ର ପରିବାରରେ ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ବାଜି ରାଉତ ଜନ୍ମଗ୍ରହଣ କରିଥିଲା । ବାପା ଥିଲେ ନୀଳକଣ୍ଠପୁର ଘାଟର ନାଉରିଆ । ଲୋକଙ୍କୁ ବ୍ରାହ୍ମଣୀ ନଈ ପାରି କରାଇ ଯାହା ପାଉଥିଲେ ତହିଁରେ ସଂସାର ଚଳୁନଥିଲା । ଅଦିନରେ ସ୍ତ୍ରୀ ଓ ସନ୍ତାନଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଆରପାରିକୁ ଚାଲିଗଲେ ନୀଳକଣ୍ଠପୁର ଘାଟର ନାଉରିଆ । ଅପଟୁ ହାତରେ କାତ ଓ ଆହୁଲା ଧରିବା ବ୍ୟତୀତ ବାଜି ରାଉତ ପାଇଁ ଅନ୍ୟ କିଛି ବିକଳ୍ପ ନ ଥିଲା । ସେ ହିଁ ତା ମା ର ଏକମାତ୍ର ସାହା ଭରସା ।ଢେଙ୍କାନାଳ ଗଡ଼ଜାତ ର ତତ୍କାଳୀନ ରାଜା ଥିଲେ ଶଙ୍କର ପ୍ରତାପ ସିଂହଦେଓ । ତାଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପଡୁଥିଲେ ସାଧାରଣ ପ୍ରଜା । ଧୀରେ ଧୀରେ ତାଙ୍କ ବିରୁଦ୍ଧରେ କ୍ଷୋଭ ପୁଞ୍ଜିଭୂତ ହେବାକୁ ଲାଗିଲା ।ସାଧାରଣ ଲୋକଙ୍କ ପାଖରେ ଆସି ଛିଡା ହେଲେ କମ୍ୟୁନିଷ୍ଟ ମନ୍ତ୍ରରେ ଦୀକ୍ଷିତ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ । ହରମୋହନ ପଟ୍ଟନାୟକଙ୍କ ସହ ମିଶି ସେ ଆରମ୍ଭ କଲେ ” ପ୍ରଜାମଣ୍ଡଳ ଆନ୍ଦୋଳନ ” । ତାହାର ଏକ ଅଂଶ ଭାବରେ ଗଢି ଉଠିଥିଲା ” ବାନର ସେନା ” । ସ୍ଥାନୀୟ ବାଳକ ଓ କିଶୋର ମାନଙ୍କୁ ନେଇ ଗଠିତ ଏହି ସଂଗଠନ ର କାମ ଥିଲା ଗୁପ୍ତ ଭାବରେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା । ବାଜି ରାଉତ ମଧ୍ୟ ସେହି ସଂଗଠନର ସଦସ୍ୟ ଥିଲା ।ପ୍ରଜାମଣ୍ଡଳ ଆନ୍ଦୋଳନ ଯେତେ ଯେତେ ଉଗ୍ରରୂପ ଧାରଣ କରୁଥିଲା , ବ୍ରିଟିଶ ଶାସକର ଅତ୍ୟାଚାର ମଧ୍ୟ ସେତେ ସେତେ ଭୟଙ୍କର ହୋଇ ଉଠୁଥିଲା । ଜାରି କରା ଯାଇଥିଲା ” ରାଜଭକ୍ତ କର ” । ଯେଉଁମାନେ ଏହି କର ଦେଉନଥିଲେ କିମ୍ବା ଦେବାକୁ ଅକ୍ଷମ, ସେମାନଙ୍କର ମାଟି ଘର ହାତୀ ପାଦରେ ଦଳି ଗୁଣ୍ଡ କରି ଦିଆ ଯାଉଥିଲା । ଅତ୍ୟାଚାରକୁ ଆହୁରି ନିର୍ମମ କରିବା ପାଇଁ ଢେଙ୍କାନାଳ ଶାସକଙ୍କ ସହ ଯୋଗ ଦେଇଥିଲେ ଆହୁରି କିଛି ଶାସକ । କଲିକତା ଠାରୁ ୨୫୦ ଜଣ ବନ୍ଧୁକଧାରୀ ସେନା ପଠାଇଲେ ବ୍ରିଟିଶ ସରକାର ।ହରମୋହନ ପଟ୍ଟନାୟକଙ୍କ ସନ୍ଧାନ ପାଇଁ ଭୁବନ ଗ୍ରାମରେ ସୈନ୍ୟବାହିନୀ ପାଗଳଙ୍କ ପରି ତଲାସୀ ଆରମ୍ଭ କଲେ । ଘରକୁ ଘର ଜେରା, ହରମୋହନ ପଟ୍ଟନାୟକଙ୍କ ସମ୍ପର୍କରେ ତଥ୍ୟ ଖୋଜିବାରେ ଲାଗିଲେ । ଏତେ ନିର୍ମମ ଅତ୍ୟାଚାର ପରେ ମଧ୍ୟ ଗ୍ରାମବାସୀମାନେ ପାଟି ଖୋଲିଲେ ନାହିଁ । ବ୍ରିଟିଶ ପ୍ରଶାସନ ଗୁପ୍ତ ଖବର ପାଇଥିଲେ ଯେ ହରମୋହନ ପଟ୍ଟନାୟକ ଭୁବନ ଗ୍ରାମରେ ଲୁଚି ରହିଛନ୍ତି । ବୈଷ୍ଣବ ଚରଣ ଥିଲେ ରେଳ ବିଭାଗର କର୍ମଚାରୀ । ତାଙ୍କୁ ମଧ୍ୟ ବ୍ରିଟିଶ ପୋଲିସ ଧରି ପାରୁନଥିଲା ।ବ୍ରିଟିଶ ଗୋଇନ୍ଦା ବିଭାଗ ପାଖରେ ଖବର ପହଞ୍ଚିଥିଲା ଯେ , ବ୍ରାହ୍ମଣୀ ନଦୀ ପାରି ହୋଇ ହରମୋହନ ପଳାଇଛନ୍ତି । ଫଳରେ ତାଙ୍କ ସନ୍ଧାନରେ ବ୍ରିଟିଶ ସୈନ୍ୟବାହିନୀ ନୀଳକଣ୍ଠପୁର ଘାଟରେ ଆସି ପହଞ୍ଚିଥିଲା । ବାନର ସେନା ର ସଦସ୍ୟ ଭାବରେ ବାଜି ରାଉତ ଉପରେ ଦାୟିତ୍ଵ ଥିଲା ଘାଟରେ କଡ଼ା ନଜର ରଖିବା ।‌ ସୈନ୍ୟ ବାହିନୀ ଯଦି ନଈ ପାରି ହୋଇ ପାରିବେ ନାହିଁ ତେବେ ହରମୋହନ ପଟ୍ଟନାୟକଙ୍କୁ ଧରି ପାରିବେ ନାହିଁ । ତେଣୁ ବ୍ରିଟିଶ ସୈନ୍ୟବାହିନୀ କୁ ନଈ ପାରି କରାଇବା ବଦଳରେ ମୃତ୍ୟୁକୁ ବରଣ କରି ନେଇଥିଲା ବାଜି ରାଉତ । ମୃତ୍ୟୁ ପୂର୍ବରୁ ଘାଟରେ ସୈନ୍ୟ ପହଞ୍ଚିଥିବା ଖବର ପାଟିକରି ଗ୍ରାମବାସୀଙ୍କୁ ଜଣାଇ ଦେଇଥିଲା ।ବାଜି ରାଉତ ର ଚିତ୍କାର ଓ ଗୁଳି ଫୁଟିବା ଶବ୍ଦରେ ଗ୍ରାମବାସୀ ନୀଳକଣ୍ଠପୁର ଘାଟରେ ଆସି ପହଞ୍ଚି ଯାଇଥିଲେ । ସେହି ଭିଡ଼କୁ ଘଉଡେଇବା ପାଇଁ ବ୍ରିଟିଶ ସେନା ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ସେଦିନ ଡଙ୍ଗା ଘାଟରେ ବାଜି ରାଉତ ସହିତ ଆହୁରି ଚାରିଜଣ ପ୍ରାଣ ହରାଇଥିଲେ । ବାଜି ରାଉତ ସହ ଅନ୍ୟମାନଙ୍କର ମୃତଦେହ କଟକକୁ ପଠା ଯାଇଥିଲା । ସନାକ୍ତକରଣ ଓ ପୋଷ୍ଟମର୍ଟମ ପରେ କଟକ ସହରର ରାସ୍ତାରେ ବିରାଟ ଏକ ଶୋଭାଯାତ୍ରାରେ ବାଜି ରାଉତ ଏବଂ ଅନ୍ୟମାନଙ୍କର ଶବ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ଆଜି ମଧ୍ୟ ଯେତେବେଳେ ପ୍ରତି ପ୍ରଭାତରେ ବ୍ରାହ୍ମଣୀ କୂଳରେ ସୂର୍ଯ୍ୟ ଉଦୟ ହୁଏ , ସୂର୍ଯ୍ୟର ସୁନେଲି କିରଣ ସହ ବିଛୁରିତ ହୁଏ ଏକ ବିପ୍ଳବୀ କିଶୋରର ଶୌର୍ଯ୍ୟ ।ଆଜି ଅକ୍ଟୋବର ଏଗାର ତାରିଖ ବାଜି ରାଉତଙ୍କ ବଳିଦାନ ଦିବସ ପରାଧୀନ ଭାରତର ସର୍ବକନିଷ୍ଠ ଶହୀଦଙ୍କୁ ଅସୁମାରୀ ଶ୍ରଦ୍ଧା ଓ ସମ୍ମାନ।


error: Content is protected !!