ଡକ୍ଟର ଦ୍ବାରକାନାଥ ଶାନ୍ତାରାମ କୋଟନିସ


ଚୀନର ହେବେଇ ପ୍ରଦେଶର ସିଜାଝହୁୟାଂ ଏକ ଛୋଟ ସହର । ସେହି ସହରରେ ରହିଛି ଗୋଟିଏ ଶହୀଦ ସ୍ମାରକୀ ପାର୍କ । ସେହି ପାର୍କରେ ରହିଛି ଜଣେ ଭାରତୀୟ ଚିକିତ୍ସକଙ୍କର ଏକ ବିରାଟ ମୂର୍ତ୍ତି ଏବଂ ମ୍ୟୁଜିୟମ୍ । ସେହି ଚିକିତ୍ସକଙ୍କ ନାମ ଦ୍ବାରକାନାଥ ଶାନ୍ତାରାମ କୋଟନିସ । ଏହି ଚିକିତ୍ସକ ଆଜି ମଧ୍ୟ ଚୀନ୍ ର ଅଧିବାସୀ ଙ୍କ ପାଖରେ ଜଣେ ହିରୋ । ମ୍ୟୁଜିୟମ୍ ରେ ସଂରକ୍ଷିତ ହୋଇ ରହିଛି ସେହି ଭାରତୀୟ ଡାକ୍ତରଙ୍କର ପୁରୁଣା ଚିଠିପତ୍ର । ପ୍ରାୟ ପ୍ରତିବର୍ଷ କୌଣସି ନା କୌଣସି ଚୀନା ନେତା ଭାରତକୁ ଆସି ସାକ୍ଷାତ କରିଥାନ୍ତି ସେହି ଡାକ୍ତରଙ୍କ ପରିବାର ଓ ଆତ୍ମୀୟ ମାନଙ୍କ ସହିତ । ଏପରିକି ଚୀନ୍ ର ବିଦ୍ୟାଳୟ ମାନଙ୍କରେ ପ୍ରଚଳିତ ପାଠ୍ୟ ପୁସ୍ତକରେ ମଧ୍ୟ ସ୍ଥାନ ପାଇଛି ଏହି ଡାକ୍ତରଙ୍କ ଜୀବନ କାହାଣୀ । ଦ୍ବାରକାନାଥ ଶାନ୍ତାରାମ କୋଟନିସ ଙ୍କ ନାମରେ ଡାକଟିକଟ ମଧ୍ୟ ଚୀନ୍ ଦେଶରେ ପ୍ରକାଶିତ ହୋଇଛି ।ଜଣେ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ ପରେ ମଧ୍ୟ ଚୀନ୍ ଦେଶରେ ତାଙ୍କୁ ଏତେ ସମ୍ମାନ ଦେବାର କାରଣ କ’ଣ ?ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଆମକୁ ଡାକ୍ତର ଦ୍ବାରିକାନାଥ ଶାନ୍ତାରାମ କୋଟନିସ ଙ୍କ ଜୀବନ କାହାଣୀ ଜାଣିବାକୁ ହେବ ।ଦ୍ବାରିକାନାଥ ଶାନ୍ତାରାମ କୋଟନିସ ୧୯୧୦ ମସିହା ଅକ୍ଟୋବର ୧୦ ତାରିଖ ଦିନ ମହାରାଷ୍ଟ୍ରର ସୋଲାପୁର ଠାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ଶାନ୍ତାରାମ କୋଟନବିସଙ୍କର ତିନି ପୁତ୍ର ଏବଂ ପାଞ୍ଚଜଣ କନ୍ୟା ଥିଲେ । ଦ୍ବାରକାନାଥ ବମ୍ବେ ( ମୁମ୍ବାଇ ) ବିଶ୍ଵବିଦ୍ୟାଳୟ ର ଶେଠ ଗୋବର୍ଦ୍ଧନଦାସ ସୁନ୍ଦରଦାସ ମେଡିକାଲ କଲେଜରୁ ଚିକିତ୍ସାଶାସ୍ତ୍ର ଅଧ୍ୟୟନ କରନ୍ତି ।୧୯୩୮ ମସିହା । ଚୀନ ଜାପାନ ଆକ୍ରମଣ କରିଥିଲା । ଚୀନରେ ସେତେବେଳେ ସୈନିକମାନଙ୍କର ଚିକିତ୍ସା କରିବା ପାଇଁ ଚିକିତ୍ସକଙ୍କର ଘୋର ଅଭାବ । ଚୀନା ଜେନେରାଲ ଚୁ ଦେଂ , ଜବାହରଲାଲ ନେହେରୁଙ୍କୁ ଭାରତରୁ କିଛି ଚିକିତ୍ସକ ପଠାଇବା ପାଇଁ ଅନୁରୋଧ କରିଥିଲେ । ନେହେରୁ ତତ୍କାଳୀନ କଂଗ୍ରେସ ସଭାପତି ସୁଭାଷ ଚନ୍ଦ୍ର ବୋଷଙ୍କୁ କିଛି ସ୍ବେଚ୍ଛାସେବୀ ଚିକିତ୍ସକ ଚୀନ୍ କୁ ପଠାଇବା ପାଇଁ ଅନୁରୋଧ କଲେ । ୧୯୩୮ ମସିହା ଜୁନ୍ ୩୦ ତାରିଖ ଦିନ ନେତାଜୀ ଭାରତବାସୀ ଙ୍କୁ ଏହି ବିଷୟରେ ଆବେଦନ କରନ୍ତି । ସୁଭାଷ ଚନ୍ଦ୍ର ବୋଷଙ୍କ ଆବେଦନକୁ ସମ୍ମାନ ଜଣାଇ ଏହ୍ଲଆବ ରୁ ମଦନମୋହନ ଅଟଲ , ନାଗପୁର ରୁ ଏମ. ଚୋଲକର , କୋଲକାତା ରୁ ଦେବେଶ ମୁଖୋପାଧ୍ୟାୟ ଓ ବିଜୟ କୁମାର ବସୁ ଏବଂ ସୋଲାପୁର ରୁ ଦ୍ବାରକାନାଥ ଶାନ୍ତାରାମ କୋଟନିସ ଚୀନ୍ ଯିବାପାଇଁ ସମ୍ମତି ଜଣାନ୍ତି । ଫଳରେ ସେହି ପାଞ୍ଚଜଣ ଡାକ୍ତର ଏବଂ ଗୋଟିଏ ଆମ୍ବୁଲାନ୍ସ ଚୀନ୍ ଉଦ୍ଦେଶ୍ୟରେ ନେତାଜୀ ପଠାଇଥିଲେ ।୧୯୩୯ ମସିହାର ମାର୍ଚ୍ଚ ମାସରେ ଚୀନ୍ ପହଞ୍ଚିଥିଲେ ଦ୍ବାରକାନାଥଙ୍କ ସହ ପାଞ୍ଚଜଣ ଚିକିତ୍ସକ । ଏହି ପାଞ୍ଚଜଣ ଚିକିତ୍ସକ ଦଳ ଚୀନର ମହାନ୍ ସହରର ହାନକୋ ବନ୍ଦରରେ ପଦାର୍ପଣ କରିବା ପରେ ସେମାନଙ୍କୁ ଇୟେନାନ୍ ପଠାଇ ଦିଆଯାଏ । ସେଠାରେ ସେମାନଙ୍କୁ ମାଓ ସେ ତୁଂ , ଚୁ ତେଂ ଏବଂ ଅନ୍ୟାନ୍ୟ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ନେତାମାନେ । ବିଭିନ୍ନ ସ୍ଥାନ ବୁଲି ବୁଲି ସୈନିକମାନଙ୍କର ଚିକିତ୍ସା କରୁଥିଲେ ଏହି ପାଞ୍ଚଜଣ ଚିକିତ୍ସକ । ୧୯୩୯ ମସିହାରେ କୋଟନିସ ଉଟାଇ ପର୍ବତ ନିକଟରେ ଜୀନ- ଚା- ଜି ସୀମାନ୍ତରେ ମାଓ ସେ ତୁଂ ଙ୍କ ନେତୃତ୍ବରେ ଥିବା ଅଷ୍ଟମ ରୁଟ୍ ବାହିନୀରେ ଯୋଗଦାନ କରନ୍ତି । ଔଷଧପତ୍ର ଥିଲା ଖୁବ୍ ଅଳ୍ପ । ଏପରିକି ଚିକିତ୍ସା ପାଇଁ ଉପଯୁକ୍ତ ସରଞ୍ଜାମ ମଧ୍ୟ ନ ଥିଲା । ତଥାପି ଦିନରାତି ଭୁଲି ସେନାମାନଙ୍କର ଚିକିତ୍ସାରେ ସମ୍ପୂର୍ଣ୍ଣ ବୁଡି ରହନ୍ତି କୋଟନିସ । ଏପରିକି ଚୀନ୍ ତରଫରୁ ଯୁଦ୍ଧ ମଧ୍ୟ କରନ୍ତି । ଥରେ କ୍ରମାଗତ ତିନିଦିନ ଖିଆପିଆ ନ କରି କିମ୍ବା ନ ଶୋଇ ପ୍ରାୟ ୮୦୦ ସୈନିକଙ୍କର ଚିକିତ୍ସା କରିଥିଲେ କୋଟନିସ । ଚୀନ୍ ଯିବା ପରେ ପରେ କୋଟନିସ ତାଙ୍କ ପିତାଙ୍କର ମୃତ୍ୟୁ ସମ୍ବାଦ ପାଆନ୍ତି , କିନ୍ତୁ ସେବା ବ୍ରତ ପରିହାର କରି ଭାରତକୁ ଫେରି ଆସିନଥିଲେ କୋଟନିସ । କୋଟନିସଙ୍କର ଭୂୟସୀ ପ୍ରଶଂସା କରିଥିଲେ ମାଓ ଜେ ଦାଂ । ସାନ୍ ଇୟାତ ସେନ ମଧ୍ୟ ତାଙ୍କ ଲେଖାରେ କୋଟନିସଙ୍କ ସେବା ମନୋବୃତ୍ତିର ପ୍ରଶଂସା କରିଛନ୍ତି ।୧୯୪୦ ମସିହାରେ କୋଟନିସ ଚୀନର ଡକ୍ଟର ବେଥୁନ ଆନ୍ତର୍ଜାତିକ ଶାନ୍ତି ହସ୍ପିଟାଲରେ ପ୍ରଥମ ପ୍ରଶାସନିକ ଅଧିକାରୀ ଦାୟିତ୍ଵ ଗ୍ରହଣ କରନ୍ତି । ଚୀନ୍ ଭାଷା ମଧ୍ୟ ଆୟତ୍ତ କରନ୍ତି । ଜଣେ ଚୀନା ସେବିକାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । ତାଙ୍କ ସ୍ତ୍ରୀ ଙ୍କ ନାମ କିଉ କିଂଲାନ । ୧୯୪୨ ମସିହାରେ ସେମାନଙ୍କର ଏକ ପୁତ୍ର ସନ୍ତାନ ର ଜନ୍ମ ହୁଏ । ପୁଅ ବଡ ହୋଇ ପିତାଙ୍କ ପରି ଚିକିତ୍ସା କୁ ପେଶା ଭାବରେ ଗ୍ରହଣ କରିବାର ସ୍ବପ୍ନ ଦେଖିଥିଲେ କୋଟନିସ। ମାତ୍ର ଅକାଳରେ କୋଟନିସଙ୍କର ଯୁବକ ପୁତ୍ରଙ୍କର ମୃତ୍ୟୁ ହୁଏ । କେଇବର୍ଷ ପୂର୍ବରୁ କୋଟନିସ ସ୍ତ୍ରୀ ଙ୍କୁ ମଧ୍ୟ ହରାଇଥିଲେ ।ପତ୍ନୀ ଓ ପୁତ୍ରଙ୍କର ମୃତ୍ୟୁ ପରେ ନିଃସଙ୍ଗ କୋଟନିସ ଆହୁରି ଆହୁରି ମାନବ ସେବାରେ ନିଜକୁ ସମର୍ପି ଦିଅନ୍ତି । ପ୍ରତିକୂଳ ଯୁଦ୍ଧ ର ପରିବେଶ ଭିତରେ ସୈନ୍ୟମାନଙ୍କର ସେବା କରୁ କରୁ ନିଜ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ କୋଟନିସଙ୍କର ଦିନକୁ ଦିନ ସ୍ବାସ୍ଥ୍ୟ ଭଙ୍ଗ ହୁଏ । ଭାରତକୁ ଆଉ ଫେରି ଆସିବା ସମ୍ଭବପର ହୁଏ ନାହିଁ । କର୍ତ୍ତବ୍ୟରତ ଥାଇ ତାଙ୍କର ମୃତ୍ୟୁ ହୁଏ । ଚୀନ୍ ର ନାନକାନ ପ୍ରଦେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଏ । ସେଠାରେ ନିର୍ମିତ କୋଟନିସଙ୍କ ସମାଧିରେ ସ୍ବୟଂ ମାଓ ସେ ତୁଂ ଲେଖିଯାଇଛନ୍ତି — “The army has lost a helping hand, the nation has lost a friend. Let us always bear in mind his internationalist spirit.”କୋଟନିସଙ୍କ ଜୀବନ କାହାଣୀ ଅବଲମ୍ବନରେ ଖ୍ବାଜା ଅହମ୍ମଦ ଆବ୍ବାସଙ୍କ ରଚିତ ଚିତ୍ରନାଟ୍ୟ କୁ କୋଟନିସକି ଅମର କାହାନୀ ଶୀର୍ଷକ ରେ ବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଶାନ୍ତାରାମ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ୧୯୮୨ ମସିହାରେ କେ ଡି ହ୍ୟୁୟା ଫୁ ନାମରେ କୋଟନିସଙ୍କ ଜୀବନୀ ଅବଲମ୍ବନରେ ଚୀନ୍ ଭାଷାରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଥିଲା । ୨୦୦୯ ମସିହାରେ ଚୀନ୍‌ରେ ହୋଇଥିବା ଏକ ସର୍ଭେରୁ ଜଣାଯାଏ ଯେ ଚୀନ୍‌ର ସର୍ବାଧିକ ଜନପ୍ରିୟ ୧୦ ଜଣ ବ୍ୟକ୍ତିଙ୍କ ତାଲିକାରେ କୋଟନିସଙ୍କ ନାମ ମଧ୍ୟ ରହିଥିଲା ।କୋଟନିସ କେବଳ ଜଣେ ସମର୍ପିତ ଡାକ୍ତର ନ ଥିଲେ , ସେ ଥିଲେ ଭାରତ ଓ ଚୀନ୍ ର ପାରସ୍ପରିକ ସୁସମ୍ପର୍କ ଗଢିବାରେ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ଵ ।ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଚୀନ୍ ସଂସ୍କୃତିରେ ବ୍ୟକ୍ତି ପୂଜାର ପରମ୍ପରା ନାହିଁ ଅଥଚ ଚୀନ୍‌ର ହବେଇ ପ୍ରଦେଶର ସିଜାଝହୁୟାଂ ସ଼ହରର ଶହୀଦ ପାର୍କରେ ଡାକ୍ତର ଦ୍ବାରକାନାଥ ଶାନ୍ତାରାମ କୋଟନବିସ ଙ୍କର ଏକ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ସେହି ପାର୍କରେ ସ୍ଥାପନ କରାଯାଇଛି ଏକ ମ୍ୟୁଜିୟମ୍, ଯେଉଁଠାରେ କୋଟନବିସଙ୍କର ବିଭିନ୍ନ ଜିନିଷ ଏବଂ ଫଟୋ ରଖାଯାଇଛି । ବ୍ୟକ୍ତିପୂଜା ବିରୋଧୀ ଚୀନ୍ ସଂସ୍କୃତି ରେ ତଥାପି କୋଟନବିସଙ୍କ ଜନ୍ମଦିନରେ ସହରବାସୀ କୋଟନବିସଙ୍କ ମୂର୍ତ୍ତି ଆଗରେ ସମବେତ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥାନ୍ତି । ଜଣେ ଭାରତୀୟଙ୍କ ପ୍ରତି ଚୀନବାସୀଙ୍କର ଏହି ଆନ୍ତରିକ ଶ୍ରଦ୍ଧା ଦେଖି ଅବାକ୍ ହେବା ସହିତ ଏହି ବିଶ୍ବାସ ମଧ୍ୟ ଜନ୍ମିଥାଏ ଯେ ସେବା ଏବଂ ଭଲପାଇବା ଦେଇ ପୃଥିବୀର ଯେକୋୖଣସି ଅଞ୍ଚଳର ମଣିଷମାନଙ୍କ ହୃଦୟରେ ଘରକରି ରହିବା ସମ୍ଭବ।[ତଥ୍ୟ ସୂତ୍ର:ଆନନ୍ଦବାଜାର ପତ୍ରିକା ]


error: Content is protected !!