ଭଗିନୀ ନିବେଦିତା


ଉଇଲ୍ ତିଆରି କରାଗଲା । ବ୍ୟାଙ୍କରେ ଅଛି ତିନିଶହ ପାଉଣ୍ଡ । ବନ୍ଧୁ ଓଲିବୁଲ ତାଙ୍କ ନିଜ ସମ୍ପତ୍ତି ର ଭାଗରୁ ସାତ ଶହ ପାଉଣ୍ଡ ଦେଇ ଯାଇଥିଲେ । ପ୍ରତି ବର୍ଷ ସେହି ଟଙ୍କା ଆସୁଥିଲା, ସେହି ଟଙ୍କା । ଆଉ ନିଜର ଯାବତୀୟ ବହିର ସତ୍ଵ ଓ ଉପସତ୍ବ — ସବୁକିଛି ପରମଗୁରୁ ବିବେକାନନ୍ଦଙ୍କ ପ୍ରତିଷ୍ଠିତ ବେଲୁର ଶ୍ରୀରାମକୃଷ୍ଣ ମଠର ଟ୍ରଷ୍ଟି ମାନଙ୍କୁ ଦାନ କରି ଲେଖିଦେଲେ *ଭଗିନୀ ନିବେଦିତା* ।ସର୍ତ୍ତ ରହିଲା , ସେହି ଅର୍ଥ ଗୋଟିଏ ସ୍ଥାୟୀ ଅମାନତ ହିସାବରେ ଜମା ରହିବ ଏବଂ ତାହାର ଆୟରୁ ଭାରତୀୟ ପଦ୍ଧତିରେ ଭାରତୀୟ କନ୍ୟା ବା ନାରୀମାନଙ୍କ ପାଇଁ ଜାତୀୟ ଶିକ୍ଷାର ବ୍ୟବସ୍ଥା କରାଯିବ । ଭଗ୍ନୀ କ୍ରିଷ୍ଟିନ୍‌ଙ୍କ ପରାମର୍ଶ ଅନୁସାରେ ସେହି ଅର୍ଥ ଖର୍ଚ୍ଚ କରାଯାଇ ପାରିବ । ମୋଟ ଉପରେ ଏହାହିଁ ତାଙ୍କ ଉଇଲ୍ ର ସାରକଥା ଥିଲା ।ଚିରଦିନ ପାଇଁ ବିଦାୟ ନେବା ପୂର୍ବରୁ ନିବେଦିତା ତାଙ୍କର ସମସ୍ତ ସମ୍ପଦ ଗୁରୁଙ୍କ ପ୍ରତିଷ୍ଠିତ ମଠକୁ ଦେଇ ଯାଇଥିଲେ । ଅଥଚ , ନଅ ବର୍ଷ ପୂର୍ବରୁ ୧୯୦୨ ମସିହା ଜୁଲାଇ ମାସରେ ପରମଗୁରୁଙ୍କର ମହାପ୍ରସ୍ଥାନର କିଛିଦିନ ପରେ ହିଁ ନିବେଦିତା ଚିଠି ଲେଖି ମଠ ଓ ମିଶନ ସହିତ ନିଜର ସମ୍ପର୍କ ତ୍ୟାଗ କରିଥିଲେ । ମଠ ଓ ମିଶନ କର୍ତ୍ତୃପକ୍ଷ ଖବରକାଗଜ ରେ ବିଜ୍ଞପ୍ତି ଜାରି କରି ସେହିକଥା ସର୍ବସାଧାରଣଙ୍କୁ ଜଣାଇ ଦେଇଥିଲେ । କିନ୍ତୁ କାହିଁକି ଏପରି ଘଟିଥିଲା ? ଉତ୍ତର ମାତ୍ର ଗୋଟିଏ – ” ଭାରତବର୍ଷ ” ।କେବଳ ଭାରତବର୍ଷ… ଭାରତବର୍ଷ… ଏବଂ ଭାରତବର୍ଷ ।ଭଗିନୀ ନିବେଦିତା ଙ୍କ ପରମଗୁରୁ ସ୍ବାମୀ ବିବେକାନନ୍ଦ ଥରେ ତାଙ୍କୁ କହିଥିଲେ –” ମୋ ଚରିତ୍ରର ସର୍ବପ୍ରଧାନ ତ୍ରୁଟି – ମୁଁ ମୋର ଦେଶକୁ ଭଲପାଏ ।” ଗୁରୁଙ୍କର ଏହି ତ୍ରୁଟି ଶିଷ୍ୟା ନିବେଦିତାଙ୍କ ଚରିତ୍ରରେ ମଧ୍ୟ ପ୍ରବେଶ କରିଥିଲା। ସେବା ଓ ଶିକ୍ଷାଦାନ କରିବା ସମୟରେ ସ୍ବାମୀଜୀ ଙ୍କ ସହିତ ଚାରିବର୍ଷ ରହିବା ଭିତରେ ଭଗିନୀ ନିବେଦିତା ପ୍ରତ୍ୟକ୍ଷ କରିଥିଲେ ଭାରତବର୍ଷର ” ବିପ୍ଳବର ଆଦିଗୁରୁ ” ଙ୍କୁ । ଏବଂ ଏହି ଅଳ୍ପ ସମୟ ମଧ୍ୟରେ ହିଁ ସ୍ବାମୀଜୀ ତାଙ୍କର ଶିଷ୍ୟାଙ୍କୁ ବୁଝାଇ ଦେଇଥିଲେ ଯେ ପରାଧୀନତାରୁ ମୁକ୍ତ ନ ହେଲେ ଭାରତବର୍ଷର ଉନ୍ନତି ସମ୍ଭବ ନୁହେଁ । ତାହା ସହିତ ସାବଧାନ ବାଣୀ ମଧ୍ୟ ଥିଲା – ଭାରତକୁ ନ ଜାଣି ରାଜନୀତିରେ ପ୍ରବେଶ କରିବା ଉଚିତ ନୁହେଁ । ଯଦିଓ ଭାରତ ଆସିବାର ଦୀର୍ଘ କେଇମାସ ଅପେକ୍ଷା ପରେ ହିଁ ଗୁରୁଙ୍କ ପାଖରୁ କାମ କରିବାର ଦାୟିତ୍ବ ପାଇଥିଲେ ନିବେଦିତା । ପ୍ରଥମ କାମ ଥିଲା ବାଗବାଜାରରେ ଝିଅମାନଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରିବା ; ଦ୍ବିତୀୟ କାମ ଥିଲା ଭୟଙ୍କର ପ୍ଲେଗ୍ ରୋଗର ଆକ୍ରମଣ ରୁ ସାଧାରଣ ଲୋକଙ୍କୁ ରକ୍ଷା କରିବା ।-” ପରାଧୀନ ଭାରତର ମୁକ୍ତିର ପ୍ରଥମ ପାହାଚ ହେଉଛି ଦେଶର ନାରୀ – ପୁରୁଷ ଉଭୟଙ୍କର ସଠିକ୍ ଶିକ୍ଷା ଲାଭ କରିବା.. ବିଶେଷତଃ ଗୋଟିଏ ଦେଶର ନାରୀମାନେ ଯଦି ସଠିକ ଶିକ୍ଷା ଲାଭ କରିପାରନ୍ତି ନାହିଁ, ତେବେ ସେହି ଦେଶ କୌଣସିକାଳରେ ଉନ୍ନତି କରି ପାରେନାହିଁ ” — ଏହିକଥା ସ୍ବାମୀଜୀ ତାଙ୍କର ଶିଷ୍ୟା ନିବେଦିତା ଙ୍କୁ କହିଥିଲେ । ୧୮୯୮ ମସିହା ନଭେମ୍ବର ୧୩ , କୋଲକାତାରେ ୧୬ ନମ୍ବର ( ପରେ ୧୭ ନମ୍ବର ) ବୋଷପାଡା ଲେନ୍ ଠାରେ ନିବେଦିତା ସ୍ଥାପନ କରନ୍ତି ” ନିବେଦିତା ବାଳିକା ବିଦ୍ୟାଳୟ” । କାଳୀପୂଜା ଦିନ ସ୍କୁଲ ଉଦ୍ଘାଟନ କରିବା ପାଇଁ ଆସିଥିଲେ ସ୍ବୟଂ ମା ସାରଦା । ପ୍ରଥମଦିନ ହିଁ ନିବେଦିତା ତାଙ୍କ ସ୍କୁଲର ଛାତ୍ରୀମାନଙ୍କୁ କହିଥିଲେ –” ଭାରତର କନ୍ୟାଗଣ, ଆଜିଠାରୁ ତୁମେମାନେ ସମସ୍ତେ ଜପ କରିବ – ଭାରତବର୍ଷ ମୋର ମା । ” ଏହି ଗୋଟିଏ କଥାରୁ ତାଙ୍କର ଭବିଷ୍ୟତ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯାଏ – ଭବିଷ୍ୟତରେ ଏହି ବାଳିକା ବିଦ୍ୟାଳୟ ଜାତୀୟବାଦୀ ପ୍ରତିଷ୍ଠାନ ରେ ପରିଣତ ହେବ । ଏହି ବିଦ୍ୟାଳୟ ପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ନିବେଦିତା ବିଦେଶ ବୁଲିଛନ୍ତି କିନ୍ତୁ କୌଣସି ଇଂରେଜ ଠାରୁ ସାହାଯ୍ୟ ଗ୍ରହଣ କରିନଥିଲେ । ସ୍କୁଲର ପ୍ରାର୍ଥନାରେ ସେ ” ବନ୍ଦେ ମାତରମ୍ ” ଗୀତ ଗାଇବା ଆରମ୍ଭ କରିଥିଲେ । ସ୍କୁଲରେ ଖଦୀ ର ପୋଷାକ ପ୍ରଚଳନ ମଧ୍ୟ କରିଥିଲେ । ଏହି ସ୍କୁଲକୁ ସ୍ବାଧୀନତା ସଂଗ୍ରାମ ସହିତ ଜଡିତ ବହୁ ବିଖ୍ୟାତ ବ୍ୟକ୍ତି ଆସୁଥିଲେ । ସ୍କୁଲରେ ନାନା ଗୁରୁତ୍ୱପୂର୍ଣ୍ଣ ସଭା, ଆଳାପ ଆଲୋଚନା ହେଉଥିଲା । କେବଳ ସ୍କୁଲ ନୁହେଁ, ପରେ ପରେ ତାଙ୍କର ଘର ମଧ୍ୟ ହୋଇ ଉଠିଥିଲା ବିପ୍ଳବୀ ମାନଙ୍କର ସମବେତ ଆଲୋଚନା କରିବା ପାଇଁ ଉତ୍କୃଷ୍ଟ ସ୍ଥାନ । ୧୮୯୫ ମସିହା, ନଭେମ୍ବର ମାସ । ଲଣ୍ଡନରେ ମାର୍ଗାରେଟ ଏଲିଜାବେଥ ନୋବେଲ ଙ୍କ ସହ ସ୍ବାମୀ ବିବେକାନନ୍ଦଙ୍କ ସାକ୍ଷାତ ହୋଇଥିଲା । ୧୮୯୮ ମସିହା ଜାନୁଆରୀ ୨୮ ତାରିଖ , ମାର୍ଗାରେଟ କୋଲକାତା ଆସନ୍ତି । ସେହି ବର୍ଷ ମାର୍ଚ୍ଚ ୨୫ ତାରିଖ ଦିନ ସ୍ବାମୀ ବିବେକାନନ୍ଦ ତାଙ୍କୁ ବ୍ରହ୍ମଚର୍ଯ୍ୟ ରେ ଦୀକ୍ଷିତ କରିଥିଲେ ଏବଂ ନାମ ଦେଇଥିଲେ – ନିବେଦିତା । ୧୯୦୨ ମସିହା , ଜୁଲାଇ ୪ ତାରିଖ ଦିନ ସ୍ବାମୀଜୀ ଦେହତ୍ୟାଗ କରିଥିଲେ । ୧୮୯୮ ମସିହାରୁ ୧୯୦୨ ମସିହା ପର୍ଯ୍ୟନ୍ତ ଏହି ଚାରିବର୍ଷ ଆମେ ସେବାମୟୀ ଓ ଶିକ୍ଷାବ୍ରତୀ ଭଗିନୀ ନିବେଦିତା ଙ୍କୁ ପାଇଛୁ । କିନ୍ତୁ ୧୯୦୨ ମସିହା ଜୁଲାଇ ମାସ ପରେ ଆରମ୍ଭ ହୋଇଥିଲା ଭାରତବର୍ଷରେ ଭଗିନୀ ନିବେଦିତା ଙ୍କ ଜୀବନର ଦ୍ବିତୀୟ ପର୍ବ । ରାଜନୀତି ପ୍ରତି ନିବେଦିତାଙ୍କ ଝୁଙ୍କ ପ୍ରଥମରୁ ହିଁ ସ୍ବାମିଜୀ ଜାଣି ପାରିଥିଲେ ଏବଂ ସେଥିପାଇଁ ବାରମ୍ବାର ସେ ତାଙ୍କର ଶିଷ୍ୟଙ୍କୁ ରାଜନୀତି ଜଗତରେ ପାଦ ନ ଥାପିବା ପାଇଁ ସତର୍କ କରାଇଥିଲେ । କିନ୍ତୁ ସ୍ବାମୀଜୀ ଏକଥା ମଧ୍ୟ ଜାଣିଥିଲେ ଯେ , ଏହି ଗୋଟିଏ ବ୍ୟାପାରରେ ତାଙ୍କର ଶିଷ୍ୟା କୌଣସି ବାରଣ ମାନିବେ ନାହିଁ । ତେଣୁ ସ୍ବାମୀଜୀ ମାର୍ଗାରେଟ୍‌ଙ୍କୁ ସନ୍ୟାସ ଦୀକ୍ଷା ଦେଇ ନ ଥିଲେ , ଦୀକ୍ଷା ଦେଇଥିଲେ ବ୍ରାହ୍ମଚର୍ଯ୍ୟର ।କାରଣ ସ୍ବାମିଜୀଙ୍କର ମନର ଭାବନା, ହୃଦୟର କଥା ଶିଷ୍ୟା ନିବେଦିତାଙ୍କ ପାଖରେ ଧରା ପଡିଯାଇଥିଲା । ନିବେଦିତା ବୁଝି ପାରିଥିଲେ ମାନବପ୍ରେମୀ ତାଙ୍କର ଗୁରୁ କେବଳ ସର୍ବତ୍ୟାଗୀ ସନ୍ୟାସୀ ନୁହନ୍ତି, ତାଙ୍କର ଗେରୁଆ ବସ୍ତ୍ର ପରିଧାନ ର ଅନ୍ତରାଳରେ ଲୁଚି ରହିଛନ୍ତି ଜଣେ ପ୍ରଚଣ୍ଡ ବିପ୍ଳବୀ, ଯାହାଙ୍କର ଲକ୍ଷ୍ୟ ” କର୍ମଯୋଗ ” ଏବଂ ସ୍ବାଧୀନ ଅଖଣ୍ଡ ଭାରତବର୍ଷ । ଏବଂ ଏହି ସନ୍ଦେହ ର କାରଣ ଥିଲା ଏକଦା ଇଂରେଜ ଗୋଇନ୍ଦା ମାନେ ସ୍ବାମୀଜୀଙ୍କ ଚାରିପାଖରେ ଘୁରି ବୁଲୁଥିଲେ । ସେହି କାରଣରୁ ପ୍ରାଥମିକ ଅବସ୍ଥାରେ ଇଂରେଜ ମାନଙ୍କ ପ୍ରତି କିଛି ପରିମାଣରେ ମୋହ ଥିଲେ ମଧ୍ୟ ଖୁବ୍ ଶୀଘ୍ର ସେହି ମୋହରୁ ନିଜକୁ ମୁକ୍ତ କରିଦେଇଥିଲେ ନିବେଦିତା । ଆଉ ତା ପରେ ତ ବ୍ରିଟିଶ ଶାସକଙ୍କ ସନ୍ଦେହ ତାଲିକାରେ ନିବେଦିତା ଙ୍କ ନାମ ମଧ୍ୟ ସାମିଲ ହୋଇଥିଲା । ଇଂରେଜ ଗୋଇନ୍ଦା ବିଭାଗ ନିବେଦିତା ଙ୍କ ସ୍କୁଲ ଥିବା ବାଗବାଜାର ଅଞ୍ଚଳକୁ ସ୍ବାଧୀନତା ଆନ୍ଦୋଳନର ଏନ୍ତୁଡ଼ିଶାଳ ଭାବରେ ଚିହ୍ନିତ କରିଥିଲେ ।ବିପ୍ଳବର ଐକ୍ୟ ପାଇଁ ଭଗିନୀ ନିବେଦିତା ହିଁ ପ୍ରଥମେ ଦେଶପାଇଁ ଏକ ପତାକା ର ଭାବନାକୁ ଜନ୍ମ ଦେଇଥିଲେ । ୧୯୦୪ ମସିହାରେ ଭାରତବର୍ଷର ପ୍ରଥମ ଜାତୀୟ ପତାକା ଭଗିନୀ ନିବେଦିତା ହିଁ ତିଆରି କରିଥିଲେ । ପରବର୍ତ୍ତୀ କାଳରେ ଏହି ପତାକାକୁ ” ଭଗିନୀ ନିବେଦିତା ପତାକା ” ନାମରେ ପରିଚିତ ହୁଏ । ଲାଲ୍ ଓ ହଳଦିଆ ରଙ୍ଗର ମଝିରେ ଧଳା ରଙ୍ଗ ଉପରେ ଲେଖାଥିଲା ” ବନ୍ଦେ ମାତରମ୍ ” । ପତାକା ମଝିରେ ଥିଲା ଅସ୍ତ୍ର ” ବଜ୍ର ” ଓ ” ଧଳା ପଦ୍ମ ” ର ଚିତ୍ର । ଲାଲ୍ ରଙ୍ଗ ସ୍ବାଧୀନତା ସଂଗ୍ରାମ ର ପ୍ରତୀକ, ହଳଦିଆ ରଙ୍ଗ ସଫଳତାର। ବଜ୍ର ଶକ୍ତି ଓ ଆତ୍ମତ୍ୟାଗର ପ୍ରତୀକ ଏବଂ ଧଳା ଥିଲା ପବିତ୍ରତାର । ସ୍ବାମୀଜୀ ନିଜକୁ ବଜ୍ର ବୋଲି ବୋଲି କହୁଥିଲେ ଏବଂ ସେଥିପାଇଁ ତାଙ୍କ ଶିଷ୍ୟାଙ୍କର ପସନ୍ଦର ପ୍ରତୀକ ଥିଲା ବଜ୍ର । ୧୯୦୬ ମସିହାରେ ତାଙ୍କର ପତାକା କଂଗ୍ରେସ ଅଧିବେଶନରେ ପ୍ରଦର୍ଶିତ ହୋଇଥିଲା । କିନ୍ତୁ ଐତିହାସିକ ଉଦାସୀନତା ହେତୁ ସେହି ପତାକା ” ପ୍ରଥମ ପତାକା ” ର ସ୍ବୀକୃତି ପାଇ ନାହିଁ ।ଲକ୍ଷ ଲକ୍ଷ ଭାରତୀୟ ନାରୀ ପୁରୁଷଙ୍କର ହୃଦୟକୁ ଛୁଇଁ ପାରିବାର କ୍ଷମତା ଭଗିନୀ ନିବେଦିତାଙ୍କର ଥିଲା । ଅଥଚ ମାତ୍ର ୧୩ ବର୍ଷ ତାଙ୍କର ଭାରତୀୟ ଜୀବନ , ତା’ର ଭିତରେ ମାତ୍ର ନଅ ବର୍ଷ ବିପ୍ଳବର ଜୀବନ । ପୁନଶ୍ଚ ଏହି ନଅ ବର୍ଷରୁ ଦୁଇବର୍ଷ ଗିରଫଦାରୀ ଏଡ଼ାଇବା ପାଇଁ ଭାରତ ବାହାରେ କଟିଥିଲା । ଏହି ସଂକ୍ଷିପ୍ତ କାଳ ଭିତରେ ସେ ଯେ କି ଅସାଧ୍ୟ ସାଧନ କରି ଯାଇଛନ୍ତି, ଭାରତବର୍ଷ ଏବଂ ଏହାର ଜନସାଧାରଣଙ୍କ କଲ୍ୟାଣ ପାଇଁ ନିରବରେ ସମସ୍ତଙ୍କର ଆଢ଼ୁଆଳରେ ନିଜକୁ ତିଳ ତିଳ କରି ସମର୍ପି ଯାଇଛନ୍ତି , ଆମେ ଅଧିକାଂଶ ଭାରତୀୟ ସେକଥା ଆଦୌ ଜାଣି ନାହୁଁ । ଆଉ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଆମକୁ ଏଭଳି ଅନନ୍ୟ ଅସାଧାରଣ ବ୍ୟକ୍ତିତ୍ବଙ୍କ ସମ୍ପର୍କରେ ଆଦୌ କିଛି ପଢାଯାଏ ନାହିଁ ।ଜୀବନର ପରମାୟୁ ଯେ ନିଃଶେଷ ହୋଇ ଆସୁଛି..ଶେଷ ମୁହୂର୍ତ୍ତରେ ନିଜ ଭିତରେ ତାହା କ୍ରମଶଃ ସ୍ପଷ୍ଟ ଉପଲବ୍ଧି କରି ପାରିଥିଲେ ଭଗିନୀ ନିବେଦିତା । ପରିବେଶ ପରିବର୍ତ୍ତନ ପାଇଁ ଅସୁସ୍ଥ ଅବସ୍ଥାରେ ଯାଇଥିଲେ । ସେଠାରେ “ମନ୍ଦକଫୁ”ପାହାଡକୁ ଯିବାପାଇଁ ଦିନେ ଯୋଜନା ହେଲା ।ଦୁର୍ଗମ ପଥ । ଯିବା ଆସିବା ପାଇଁ ଦୁଇତିନି ଦିନ ସମୟ ଲାଗିବ । ଅସୁସ୍ଥ ଅବସ୍ଥାରେ ମଧ୍ୟ ନିବେଦିତା ଯିବାପାଇଁ ଆଗ୍ରହୀ ହୋଇ ଉଠିଲେ । କିନ୍ତୁ ଯାତ୍ରା ଆରମ୍ଭ ଦିନ ହିଁ ସେ ଅଧିକ ଅସୁସ୍ଥ ହୋଇ ପଡିଲେ। କଠିଣ ରକ୍ତ- ଆମାଶୟ ତାଙ୍କୁ ଶଯ୍ୟାଶାୟୀ କରିଦେଲା ।ପ୍ରସିଦ୍ଧ ଚିକିତ୍ସକ ଡାକ୍ତର ନୀଳରତନ ସରକାର ସେତେବେଳେ ଦାର୍ଜିଲିଂ ରେ ଥିଲେ । ତାଙ୍କ ଚିକିତ୍ସାରେ ନିବେଦିତାଙ୍କୁ ” ରାୟ ଭିଲା ” ରେ ରଖାଗଲା । ମାତୃସ୍ନେହରେ ସେବା କରିବା ଦାୟିତ୍ବ ନେଲେ ବନ୍ଧୁ ଜଗଦୀଶ ଚନ୍ଦ୍ର ବୋଷ ଙ୍କ ସ୍ତ୍ରୀ ଅବଳାଦେବୀ । କିନ୍ତୁ ସବୁ ସେବା, ଯତ୍ନ, ଚିକିତ୍ସା ବ୍ୟର୍ଥ ହୋଇଗଲା । ବଙ୍ଗଭଙ୍ଗ ଆନ୍ଦୋଳନ ମଧ୍ୟ ଦେଇ ବଂଗ ତଥା ଭାରତରେ ଭଗିନୀ ନିବେଦିତା ଙ୍କ ଯେଉଁ ବୈପ୍ଳବିକ ଆତ୍ମପ୍ରକାଶ, ବହୁ ପରିଶ୍ରମ କରି ବଙ୍ଗରୁ ମଣିମୁକ୍ତାସମ ବିପ୍ଳବୀ ଯୁବକମାନଙ୍କୁ ବାଛି ବାଛି ଦଳରେ ସାମିଲ କରାଇ, ବହୁ ଯୁବକଙ୍କର ରକ୍ତପାତ ଫଳରେ ସେହି ଆନ୍ଦୋଳନ ର ସଫଳତା ଆସିବା ଦେଖିଥିଲେ ।୧୯୧୧ ମସିହା ଅକ୍ଟୋବର ୧୩ ତାରିଖ ଦିନ ସେବାଦାତ୍ରୀ, ନାରୀ ଶିକ୍ଷା ଓ ନାରୀ ଜାଗରଣର ଦୂତ , ବ୍ରହ୍ମଚାରିଣୀ, ଲୋକମାତା , ବିପ୍ଳବିନୀ , ଅଗ୍ନିକନ୍ୟା ଅନନ୍ୟା, ଅତୁଳନୀୟା ଭଗିନୀ ନିବେଦିତା ଙ୍କ ମହାପ୍ରୟାଣ ଦିବସ । ଅସଂଖ୍ୟ ଭାରତୀୟଙ୍କ ଶ୍ରଦ୍ଧା ଓ ଭଲପାଇବା କୁ ପୁଞ୍ଜି କରି ସେ ଏବେ ସ୍ୱର୍ଗଲୋକରେ।[ ●ତଥ୍ଯ ସୂତ୍ର ~ ନିବେଦିତା ଲୋକମାତା : ଶଙ୍କରୀପ୍ରସାଦ ବସୁ ]{ ■ଭାରତ ଭଗିନୀ ନିବେଦିତା : ତାମସରଞ୍ଜନ ରାୟ }


error: Content is protected !!