ତାଙ୍କ ଗୋଷ୍ଠୀକୁ ଠେଙ୍ଗ


ଘରୋଇ ବସ ଧର୍ମଘଟକୁ ନେଇ ସତ କଥାଟିଏ।ଘରୋଇ ବସ ବାଲା ଶୁକ୍ରବାର ଦିନ ଠାରୁ ଧର୍ମଘଟ ଡାକରା ଦେଇ ସାଧାରଣ ଲୋକଙ୍କୁ କଲବଲ କରିବାକୁ ହୀନ ଚକ୍ରାନ୍ତ କରିଛନ୍ତି।ଏମାନେ ସରକାରଙ୍କ”ଲକ୍ଷ୍ମୀ ବସ”ଚଳାଚଳକୁ ବିରୋଧ କରିବା ପାଇଁ ଏଭଳି ଜଘନ୍ୟ ନିଷ୍ପତ୍ତି ନେଇଛନ୍ତି ପୁଣି ଏଇ ପୂଜା ଉଲ୍ଲାସର ଘଡ଼ିରେ।ଖବର ଅନୁଯାୟୀ ପ୍ରାୟ 14,000 ବସ ଏଇ “ଧର୍ମଘଟରେ” ସାମିଲ ହେଇଛନ୍ତି।ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଭଙ୍ଗା ଦଦରା ଓ ଫିଟନେସହୀନ ବସ ଅଛନ୍ତି।ଯାହା ଯାତ୍ରୀଙ୍କ ଜୀବନ ଓ ସଡ଼କ ସୁରକ୍ଷା ପାଇଁ ଘୋର ବିପଦ।କିଛି ମାସ ପୂର୍ବେ ମୁଁ ଓ ମୋ ସପତ୍ନୀ ବ୍ରହ୍ମପୁର ଯାଇ ଫେରୁଥିଲୁ।ଗୋଟେ ଏମିତି ବସରେ ଯାହାର ସିଟ ଥିଲା ସଂକୀର୍ଣ୍ଣ କଠିନ ଓ ଜରାଜୀର୍ଣ୍ଣ lବ୍ରହ୍ମପୁରରୁ କଟକ ପ୍ରାୟ ୪ ଘଣ୍ଟାର ଯାତ୍ରା ପାଇଁ ଏମିତି ଧଇଆଁ ବସକୁ କେମିତି ପରମିଟ ମିଳିଲା ଭାବିଲା ବେଳକୁ ମନ ମୋର କ୍ରୋଧିତ ହେଉଥିଲା କ୍ରମଶଃ lକଣ୍ଡକ୍ଟର ଓ ଡ୍ରାଇଭରକୁ ତାଗିଦ କଲାରୁ ସେମାନେ ବେହିଆଙ୍କ ପରି ଦାନ୍ତ ନେଫେଡ଼ିଲେ।ହେଲେ କଣ୍ଡକ୍ଟର ମୋର ପରାକ୍ରମ ଦେଖି ଟିକେଟରୁ ୫୦ଟଙ୍କା ଫେଡ଼ିଦେଲା lହେଲେ ଆମକୁ ଜମା ସହଜ ଲାଗୁନଥିଲା ଏମିତି ଧକଡ଼ ଚକଡ଼ ଯାତ୍ରାରେ lଆଣ୍ଠୁ ବାଜୁଥିଲା ସାମ୍ନା ସିଟରେ ଗୋଡ଼ ହାତ ସଂଚାଳନ କରିବାକୁ ଜାଗା ନଥିଲା।ବଡ଼ ଅତିଷ୍ଠ ଲାଗୁଥାଏ ମତେ କାହିଁକି ଏମିତି ବସରେ ମୁଁ ବସିଲି କେମିତି ପରିବହନ ବିଭାଗୟାକୁ ଲାଇସେନ୍ସ ଦେଲେ।ଏଇ ଚିନ୍ତା ଭିତରେ ମୁଁ ଫୋନ ଲଗାଇଲି RTOଙ୍କ ନମ୍ବରକୁ ତାଙ୍କୁ ବସର ନମ୍ବର ଦେଲାପରେ ସେ ଯାଞ୍ଚ କରି କହିଲେ କି ସେ ବସ ଟାଉନବସ ପାଇଁ ଉଦ୍ଦିଷ୍ଟ ଏବଂ ବ୍ରହ୍ମପୁର ଯିବା ଆସିବା ପାଇଁ ନା ତାର ପରମିଟ ଅଛି ନା ଫିଟନେସ।ଏକଥା ଆରଟିଓଙ୍କ ଠାରୁ ଶୁଣିଲା ପରେ ମୋର ରାଗ ସେ ବସ ମାଲିକଙ୍କ ଉପରେ ଘନୀଭୂତ ହେଲା ଏବଂ ମୁଁ କଣ୍ଡକ୍ଟରଙ୍କୁ କହିଲି “ମୁଁ ତମ ବସ ନାଁରେ ଅଭିଯୋଗ କରିଦେଇଛି”କଣ୍ଡକ୍ଟର କହିଲେ “ଭଲ ହେଲା ଆଜ୍ଞା ସେ ବସ ସିଜ ହେଇଗଲେ ଯାଉ ମାଲିକ ନାମ ନଉଥାଉ”।ମୁଁ ମୋ ସ୍ତ୍ରୀ ମୁହଁକୁ ଅନାଇଲି ଓ ସେ ମତେ ଡରାଇଲା କି ମୁଁ ଯେହେତୁ ତାଙ୍କ ମାଲିକଙ୍କ ମୋବାଇଲ ନମ୍ବରରେ ଟିକେଟ ଟଙ୍କା ପୈଠ କରିଛି।ସେଥିପାଇଁ ରିସ୍କ ଆସିପାରେ।ମୁଁ ମୋର ଚିରାଚରିତ ଢଙ୍ଗରେ କହିଲି ” ହଃ କଣ ସେ ଆଲୁଅ କରିପକାଇବ କରୁଥାଉ”ଏମିତି କଥା ବାର୍ତ୍ତା ଭିତରେ ବାଟ ସରିଆସୁଥିଲା।ଦେଖୁ ଦେଖୁ ବାଲିକୁଦା ପାଖରେ ଗାଡ଼ିକୁ ଅଟକାଇଲା ଆରଟିଓଙ୍କ ସ୍କୁୱାର୍ଡ ଡ୍ରାଇଭର ଓ କଣ୍ଡକ୍ଟର ଲଣ୍ଡଭଣ୍ଡ ହେଇ ଆରଟିଓଙ୍କ ଗାଡ଼ି ପାଖକୁ ଗଲା ସମୟରେ ମୋ ଫୋନକୁ RTO ଫୋନ କରି ଜଣେଇଦେଲେ କି ସେ ଅଭିଯୁକ୍ତ ଅଯୋଗ୍ୟ ବସକୁ ବର୍ତ୍ତମାନ ଜବତ କରାଯାଉଛି।ତେଣୁ ସେ ଏଉଠୁ ଆଉ ଆଗକୁ ଗଡ଼ିବ ନାହିଁ lସ୍ତ୍ରୀ ମୋତେ ପୁଣି ତାଙ୍କ ଖପ୍ପା ମୁହଁ ଦେଖାଇଲେ।କାରଣ ଆମେ ପ୍ରେସ ଛକରେ ଓହ୍ଲାଇଥାନ୍ତୁ କିନ୍ତୁ ମୁଁ କମ୍ପ୍ଲେନ କରିବାରୁ ବସକୁ RTO ଅଧା ବାଟରେ ସିଜ କରିଦେଲେ।ଯାହା ପାଇଁ ଆମେ ହଟହଟା ହେଲୁ ଆଉ।ମୁଁ କହିଲି ଠିକ କରିଛନ୍ତି ଏଇଠି ସେ ବସକୁ ଜବତ କରିଦେଲେ।କାରଣ ବାଦାମବାଡ଼ି ଭିଡରେ ତାଙ୍କୁ ଅସୁବିଧା ହେଇଥାନ୍ତା।ମୁଁ କିନ୍ତୁ ଭାବି ନଥଲି ଏତେ ଶୀଘ୍ର ଆକ୍ସନ ନିଆଯିବ ବୋଲି।ଯାହା ହେଲା କିନ୍ତୁ ଭଲ ହେଲା ବୋଲି ମୁଁ ଧରିନେଲି ଓ ସେଇକଥା ଅବୁଝା ସ୍ତ୍ରୀକୁ ମୋର ବୁଝାଇବା ଭିତରେ ଗୋଟେ ଅଟୋ ଧରି ଆମେ ଘରକୁ ଚାଲିଗଲୁ lଏବେ ଏଇ ଅଙ୍ଗେନିଭା କାହାଣୀ ତ ଶୁଣିଲେ।ଏବେ ଆପଣ କୁହନ୍ତୁ ଏଇ ବସ ମାଲିକଙ୍କ ଧର୍ମଘଟ କେତେଦୂର ଯୁକ୍ତିଯୁକ୍ତ? ସରକାରଙ୍କୁ ଡରାଇବା ଥରାଇବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଏଇ ପାର୍ବଣ ଘଡ଼ିରେ ହନ୍ତସନ୍ତ କରିବା କଣ ଏତେ ଜରୁରୀ ଥିଲା?ଏବେ ଆପଣ କୁହନ୍ତୁ ଏହା ଜନତାଙ୍କ ହିତରେ ନା ନିଜ ଗୋଷ୍ଠୀ ସ୍ୱାର୍ଥରେ ?

●(Pradeep Mohanty)


error: Content is protected !!