ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗର ରେଳ ଧାରଣା ବିସ୍ଫୋରଣ ମାମଲାରେ ଶନିବାର ରାଜସ୍ଥାନ ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍), ଶ୍ରୀଗଙ୍ଗାନଗର ପୁଲିସ ଏବଂ ପଞ୍ଜାବ ପୁଲିସର ମିଳିତ ଅପରେସନରେ ପଞ୍ଜାବରୁ ଜଣେ ଯୁବତୀଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ୨୧ ବର୍ଷୀୟା ମହକଦୀପ କୌର ଓ ୨୨ ବର୍ଷୀୟ ଦବିନ୍ଦର ସିଂହ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ”ଆଇଏସଆଇ”ର ହନିଟ୍ରାପ୍ ଏବଂ ଆର୍ଥିକ ପ୍ରଲୋଭନରେ ପଡ଼ି ଏହି ବିସ୍ଫୋରଣ ଘଟାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।
ପୁଲିସ ତଦନ୍ତ ଅନୁଯାୟୀ, ଗିରଫ ମହକଦୀପ କୌର ପାକିସ୍ତାନରେ ବସିଥିବା ଚାଚା ଏବଂ ଶାହ ନାମକ ଦୁଇଜଣ ହ୍ୟାଣ୍ଡଲରଙ୍କ ସହ ସିଧାସଳଖ ସମ୍ପର୍କରେ ଥିଲେ। ମହକଦୀପଙ୍କ ସ୍ୱାମୀ ନିଶାଦ୍ରବ୍ୟ ଚୋରାଚାଲାଣ ମାମଲାରେ ଜେଲରେ ଥିବାରୁ ସେ ଏକୁଟିଆ ରହୁଥିଲେ। ଏହାର ସୁଯୋଗ ନେଇ ପାକିସ୍ତାନୀ ଏଜେଣ୍ଟମାନେ ପ୍ରେମ ସମ୍ପର୍କର ଜାଲ ବିଛାଇବା ସହ ତାଙ୍କୁ ଟଙ୍କା ଲୋଭ ଦେଖାଇ ରେଳ ଧାରଣାରେ ବିସ୍ଫୋରଣ ଘଟାଇବାକୁ ପ୍ରବର୍ତ୍ତାଇଥିଲେ।
ପୂର୍ବରୁ ମଧ୍ୟ ଗଙ୍ଗାନଗରର ବବିତା ନାମକ ଜଣେ ମହିଳାଙ୍କୁ ଆଇଏସଆଇ ସମାନ ଢଙ୍ଗରେ ନିଜ ଜାଲରେ ଫସାଇଥିଲା। ଚଢ଼ାଉ ସମୟରେ ପୁଲିସ ଅଭିଯୁକ୍ତ ଯୁବତୀଙ୍କ ନିକଟରୁ ଦୁଇଟି ଅସ୍ତ୍ରଶସ୍ତ୍ର, ୪୬ଟି ଗୁଳି ଏବଂ ନଗଦ ୩୦,୦୦୦ ଟଙ୍କା ଜବତ କରିଛି। ଏହାବ୍ୟତୀତ ଅଭିଯୁକ୍ତମାନଙ୍କୁ ରହିବା ପାଇଁ ସ୍ଥାନ, ବାଇକ୍ ଏବଂ ଘଟଣାସ୍ଥଳକୁ ଯିବାଆସିବାରେ ସହାୟତା କରିଥିବା ସନ୍ଦେହରେ ଅନ୍ୟ ତିନିଜଣଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଛି। ରାଜସ୍ଥାନ ଏଡିଜି ଦୀନେଶ ଏମଏନ୍, ଶ୍ରୀଗଙ୍ଗାନଗର ଏଏସପି ନିତିନ ଚୌଧୁରୀ, ଏଟିଏସ୍ ଏଏସପି ମନୀଷ ଶର୍ମା, ସୁରେନ୍ଦ୍ର ସିଂହ ଏବଂ ଗୁରଦାସପୁର ଏସପି ଆଦିତ୍ୟଙ୍କ ମିଳିତ ତତ୍ତ୍ୱାବଧାନରେ ଏହି ଅପରେସନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୩ ତାରିଖ ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ଶ୍ରୀଗଙ୍ଗାନଗରର ରାମସିଂହପୁର ନିକଟସ୍ଥ ରେଳ ଧାରଣାରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଦୁଇଟି ରେଳ ସ୍ଲିପର ଭାଙ୍ଗିଯିବା ସହ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ସେଠାରେ ପ୍ରାୟ ଅଢ଼େଇ ଫୁଟ୍ ଗଭୀରର ଗାତ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ମାତ୍ର ୭୫ ମିନିଟ୍ ପୂର୍ବରୁ ସେହି ଧାରଣା ଦେଇ ଅନୁପଗଡ଼-ସୁରତଗଡ଼ ପାସେଞ୍ଜର ଟ୍ରେନ୍ ଅତିକ୍ରମ କରିଯାଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା।
