ଗଜପତି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଆନନ୍ଦ ଉଲ୍ଲାସରେ ପିକନିକ ଯାଇ ମଜ୍ଜା ଉଠାଉ ଥିବା ବେଳେ ଗୋଡ଼ ଖସି ଜଳପ୍ରପାତରେ ବୁଡି ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାଟି ଗତକାଲି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକରେ ଥିବା ମାଙ୍କଡ଼ଡିଆଁ ଜଳପ୍ରପାତରେ ଘଟିଛି ।
ପିକନିକ ସକାଶେ ଗତକାଲି ରବିବାର ଅପରାହ୍ନରେ କିଛି ଯୁବକ ପାରଳାଖେମୁଣ୍ଡି ଠାରୁ ମାଙ୍କଡ଼ଡିଆଁ ଜଳପ୍ରପାତକୁ ଯାଇଥିଲେ । ପିକନିକରେ ମଜ୍ଜା ଉଠାଇ ଜଳପ୍ରପାତରେ ଗାଧଉ ଥିବା ବେଳେ ହଠାତ ଗୋଡ଼ ଖସି କଲ୍ୟାଣ ସତୀଶ ନାମକ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ । ଅନ୍ୟ ଯୁବକମାନେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା । ଯୁବକମାନେ ଆର. ଉଦୟଗିରି ଥାନା ପୋଲିସକୁ ଜଣାଇଥିଲେ । ଆର. ଉଦୟଗିରି ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ।
ତଥାପି ନିଖୋଜ ଯୁବକଙ୍କର ସନ୍ଧାନ ମିଳିନଥିଲା । ସନ୍ଧ୍ୟା ହେବା ଯୋଗୁଁ ଅନ୍ଧାରରେ ଖୋଜିବା ଏବଂ ଅତ୍ୟଧିକ ଶୀତ ଯୋଗୁଁ ଅଗ୍ନିଶମ ବାହିନୀ ଗତକାଲି ଖୋଜାଖୋଜି ବନ୍ଦ କରିଥିଲେ । ଆଜି ସୋମବାର ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା । କିଛି ସମୟ ଖୋଜାଖୋଜି ପରେ ନିଖୋଜ ଯୁବକଙ୍କ ଶବ ଜଳପ୍ରପାତ ମଧ୍ୟରୁ ଉଦ୍ଧାର ହୋଇଥିଲା । ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାକୁ ପୋଲିସ ପଠାଇ ଦେଇଥିଲେ । ଘଟଣା ନେଇ ଜଳପ୍ରପାତ ଅଞ୍ଚଳ ସହ ପାରଳାଖେମୁଣ୍ଡି ସହରରେ ଗଭୀର ଶୋକ ପ୍ରକାଶ ପାଇଛି ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “