ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍ର ପ୍ରଥମ ମୁକାବିଲାର ତୃତୀୟ ଦିନରେ ଚମକିଛନ୍ତି ଭାରତୀୟ ଓପନର୍ କେଏଲ ରାହୁଲ। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫୨ ରନ କରି ଅପରାଜିତ ଥିବା ରାହୁଲ ତୃତୀୟ ଦିନରେ ମଧ୍ୟ ନିଜର ଦମ୍ଦାର ବ୍ୟାଟିଂ ଜାରି ରଖି ଦ୍ୱିତୀୟ ସେସନରେ ଟେଷ୍ଟ କ୍ୟାରିୟରର ୧୩ତମ ଶତକ ପୂରଣ କରିଛନ୍ତି। ଏହି ଶତକ ସହ ରାହୁଲ ଟେଷ୍ଟ କ୍ରିକେଟରେ ଏକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି। SENA ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ)ରେ ଭାରତୀୟ ଓପନର୍ ଭାବେ ଚାରିଟି ଯାକ ଦେଶରେ ଟେଷ୍ଟ ଶତକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟର୍ ହୋଇଛନ୍ତି।
ନ୍ୟୁଜିଲାଣ୍ଡ ଗସ୍ତ କେଏଲ ରାହୁଲଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ସେ ଶତକ ସହ ଏହାର ଜବରଦସ୍ତ ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଭଳି କଠିନ ପରିସ୍ଥିତିରେ ଶତକ ହାସଲ କରିବା କୌଣସି ବ୍ୟାଟରଙ୍କ ପାଇଁ ସହଜ ନୁହେଁ। ଏହି ଚାରିଟି ଦେଶକୁ ମିଶାଇ SENA ଦେଶ କୁହାଯାଏ। ଏହି ଉପଲବ୍ଧି ସହ ରାହୁଲ ଏସୀୟ ଓପନରଙ୍କ ମଧ୍ୟରେ ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନର ପୂର୍ବତନ ଓପନର୍ ସଇଦ ଅନୱରଙ୍କ ପରେ ସେ ଦ୍ୱିତୀୟ ଏସୀୟ ଓପନର୍ ଭାବେ ଏହି ଚାରିଟି ଦେଶରେ ଟେଷ୍ଟ ଶତକ ମାରିବାରେ ସଫଳ ହୋଇଛନ୍ତି।
SENA ଦେଶରେ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାର ରେକର୍ଡ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ଏହି ଚାରିଟି ଦେଶରେ ମୋଟ ୧୭ଟି ଶତକ ହାସଲ କରିଛନ୍ତି। ଏହି ତାଲିକାରେ ୧୨ଟି ଶତକ ସହ ବିରାଟ କୋହଲି ଦ୍ୱିତୀୟ ଏବଂ ୧୦ଟି ଶତକ ସହ ରାହୁଲ ଦ୍ରାବିଡ଼ ତୃତୀୟ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ, ୮ଟି ଶତକ ସହ କେଏଲ ରାହୁଲ ଏବେ ମହାନ ବ୍ୟାଟର୍ ସୁନୀଲ ଗାଭାସ୍କରଙ୍କ ସହ ଯୁଗ୍ମ ଭାବେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। SENA ଦେଶର ସମସ୍ତ ଚାରିଟି ଦେଶରେ ଟେଷ୍ଟ ଶତକ ହାସଲ କରିବାରେ ରାହୁଲ ହେଉଛନ୍ତି ପଞ୍ଚମ ଭାରତୀୟ ବ୍ୟାଟର।
